ବିମୁଦ୍ରୀକରଣ ପରେ ରିଜର୍ଭ ବ୍ୟାଙ୍କ୍‌କୁ ଫେରିଲା ୧୫.୩୧ ଲକ୍ଷ କୋଟି ଅଚଳ ନୋଟ୍‌

ନୂଆଦିଲ୍ଲୀ: ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ ଦିନ ସରକାର ୫ଶହ ଟଙ୍କିଆ ଓ ହଜାର ଟଙ୍କିଆ ନୋଟ୍‌ର ବିମୁଦ୍ରୀକରଣ କରିବା ପରେ ବଜାରରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଛଡ଼ା ଯାଇଥିବା ନୋଟ୍‌ ଫେରାଇ ଅଣାଯାଇଛି। ଯଦିଓ ବିମୁଦ୍ରୀକରଣର ଦୁଇ ବର୍ଷ ପରେ ସମସ୍ତ ଅଚଳ ନୋଟ୍‌ ରିଜର୍ଭ ବ୍ୟାଙ୍କକୁ ଫେରି ନାହିଁ, ତଥାପି ୯୯.୩୧ ପ୍ରତିଶତ ଅଚଳ ନୋଟ୍‌ ଫେରି ଆସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ମୋଟ୍‌ ୧୫ ଲକ୍ଷ ୩୧ ହଜାର କୋଟି ଟଙ୍କା ମୂଲ୍ୟର ଅଚଳ ନୋଟ୍‌ ରିଜର୍ଭ ବ୍ୟାଙ୍କୁ ଫେରି ଆସିଥିିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ବିମୁଦ୍ରୀକରଣ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ୫ଶହ ଓ ୧୦୦୦ ଟଙ୍କା ମୂଲ୍ୟର ମୋଟ୍‌ ୧୫ ଲକ୍ଷ ୪୧ ହଜାର କୋଟି ଟଙ୍କାର ନୋଟ୍‌ ଭାରତୀୟ ବାଜାରରେ ଉପଲବ୍ଧ କରିଥିଲା। ତେବେ ନଭେମ୍ବର ୮ ତାରିଖରେ ଏହି ୫ଶହ ଓ ୧୦୦୦ ଟଙ୍କିଆ ନୋଟ୍‌କୁ କେନ୍ଦ୍ର ସରକାର ଅଚଳ ଘୋଷଣା କରିବା ପରେ ଲୋକେ, ବ୍ୟବସାୟିକ ପ୍ରତିଷ୍ଠାନ ବିଭିନ୍ନ ବ୍ୟାଙ୍କ ଜରିଆରେ ରିଜର୍ଭ ବ୍ୟାଙ୍କକୁ ଏହି ଅଚଳ ନୋଟ୍‌ ଫେରାଇଥିଲେ। ଇତିମଧ୍ୟରେ ଯେତେ ନୋଟ୍‌ ବଜାରକୁ ଛଡ଼ାଯାଇଥିଲା ତାର ୯୯.୩ ପ୍ରତିଶତ ନୋଟ୍‌ ଫେରି ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କକୁୁ ଆସିଥିବା ସମସ୍ତ ଅଚଳ ନୋଟ୍‌ ଯାଞ୍ଚ କରାଯିବା ପରେ ସୋଫିଷ୍ଟିକେଟେଡ୍‌ ହାଇ ସ୍ପିଡ୍‌ କରେନ୍ସି ଭେରିଫିକେସନ ଆଣ୍ଡ ପ୍ରସେସିଂ ସିଷ୍ଟମ ମାଧ୍ୟମରେ ଏହାର ଗଣତି କରାଯାଇଛି। ତେବେ ବ୍ୟାଙ୍କକୁ ଫେରିଥିବା ନୋଟ୍‌ ମଧ୍ୟରେ କେତେକ ଜାଲ ନୋଟ୍‌ ରହିଛି ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

ସମ୍ବନ୍ଧିତ ଖବର