ମୁମ୍ବାଇରେ ୯୯% ଆଇସିୟୁ ବେଡ୍‌, ୯୪% ଭେଣ୍ଟିଲେଟର ବ୍ୟବହୃତ ହୋଇସାରିଛି

ମୁମ୍ବାଇ: ଦେଶରେ କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ସହର ହେଉଛି ମୁମ୍ବାଇ। ତେବେ ମୁମ୍ବାଇରେ ପ୍ରାୟ ୯୯ ପ୍ରତିଶତ ଆଇସିୟୁ ବେଡ୍‌ ଏବଂ ୯୪ ପ୍ରତିଶତ ଭେଣ୍ଟିଲେଟର ବ୍ୟବହୃତ ହୋଇସାରିଛି। ଜୁନ୍‌ ୧୧ ସୁଦ୍ଧା ମୁମ୍ବାଇରେ ଆଇସିୟୁମାନଙ୍କରେ ୧୧୮୧ ବେଡ୍‌ ଥିଲା। କିନ୍ତୁ ଏଥି ମଧ୍ୟରୁ ୧୧୬୭ ବେଡ୍‌ରେ ରୋଗୀ ରହି ସାରିଛନ୍ତି। କେବଳ ୧୪ଟି ବେଡ୍‌ ନୂଆ ରୋଗୀଙ୍କ ପାଇଁ ବଳକା ରହିଛି। ଅନ୍ୟପକ୍ଷେ ସହରରେ ୫୩୦ ଭେଣ୍ଟିଲେଟରରୁ ୪୯୭ ଭେଣ୍ଟିଲେଟର ବ୍ୟବହୃତ ହୋଇଛି। ଅନ୍ୟପକ୍ଷେ ସହରରେ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ୍‌ (ଡିସିଏଚ୍‌) ଏବଂ ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥ ସର୍ଭିସ୍‌ (ଡିସିଏଚ୍‌ସି)ରେ ୧୦ ହଜାର ୪୫୦ ବେଡ୍‌ ରହିଛି। ଏଠାରେ ମଧ୍ୟମ ଏବଂ ଅତି ଗୁରୁତର ‌‌ରୋଗୀଙ୍କୁ ଚିକିତ୍ସା କରାଯାଉଛି। ତେବେ ଏଥି ମଧ୍ୟରୁ ୯ ହଜାର ୯୮ ବେଡ୍‌ ତଥା ପ୍ରାୟ ୮୭ ପ୍ରତିଶତ ବେଡ୍‌ ପୂରଣ ହୋଇ ସାରିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣ ମାମଲା ୫୫ ହଜାର ଟପିଯାଇଛି ଏବଂ ୨ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୯୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୩୬୬ ନୂଆ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର