୨୮ ଘଣ୍ଟାରେ ନିର୍ମାଣ ହେଲା ୧୦ ମହଲା କୋଠା

ନୂଆଦିଲ୍ଲୀ : ଗୃହ ନିର୍ମାଣ କ୍ଷେତ୍ରରେ ଚୀନର ଏକ ପ୍ରଯୁକ୍ତି କମାଲ୍‌ ଦେଖାଇଛି। ମାତ୍ର ୨୮ ଘଣ୍ଟା ୪୫ ମିନିଟରେ ୧୦ ମହଲା ବିଶିଷ୍ଟ ଏକ ଆବାସିକ ଆପାର୍ଟମେଣ୍ଟକୁ ଏହି ପ୍ରଯୁକ୍ତି ମାଧ୍ୟମରେ ନିର୍ମାଣ କରାଯାଇଛି। ଚୀନର ଚାଙ୍ଗସା ସହରରେ ଏହି କୋଠାକୁ ବ୍ରଡ୍‌ ଗ୍ରୁପ୍ ନାମକ ଏକ କମ୍ପାନି ପକ୍ଷରୁ ‌ତିଆରି କରାଯାଇଛି। କମ୍ପାନି ଏହାର ୟୁଟ୍ୟୁବ ଚାନେଲରେ ଗତ ୧୩ ତାରିଖରେ ଏହି ଘର ନିର୍ମାଣ ସଂକ୍ରାନ୍ତ ୫ ମିନିଟର ଭିଡିଓ ଛାଡ଼ିଛି।

ଘର ନିର୍ମାଣ ପାଇଁ ଅନେକ କିଛି ସାମଗ୍ରୀର ଆବଶ୍ୟକତା ରହିଥାଏ। ଘରର ପ୍ଲାନ ପ୍ରସ୍ତୁତ ଠାରୁ ଆରମ୍ଭ କରି ତାହାକୁ ନିର୍ମାଣ କରିବା ପାଇଁ ବର୍ଷ ବ‌ର୍ଷ ସମୟ ଲାଗିଥାଏ। କିନ୍ତୁ ଏତେ କମ୍ ସମୟ ମଧ୍ୟରେ ଏତେ ଉଚ୍ଚା କୋଠାର ନିର୍ମାଣ କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଆଧୁନିକ ପ୍ରଯୁକ୍ତି ଓ ମେସିନ ବ୍ୟବହାର ଫଳରେ ଯଦିଓ ନିର୍ମାଣ ସମୟକୁ କମ୍ କରାଯାଇ ପାରିଛି ତଥାପି ଏତେ କମ ସମୟ ମଧ୍ୟରେ ବହୁତଳ କୋଠା ନିର୍ମାଣ ନିଶ୍ଚିତଭାବେ ଚକିତ କରିବା ଭଳି ଖବର ପାଲଟିଛି। ପ୍ରିଫାବ୍ରିକେଟେଡ କନଷ୍ଟ୍ରକସନ ସିଷ୍ଟମ୍ ବା ପୂର୍ବରୁ ନିର୍ମିତ ହୋଇ ରହିଥିବା ଘର ସରଞ୍ଜାମ ମାଧ୍ୟମରେ ଏହି କୋଠା ତିଆରି ହୋଇଛି। ଏହି କୋଠାର ମଡ୍ୟୁଲ ବା ଢାଞ୍ଚା ପ୍ରଥମେ କମ୍ପାନିର କାରଖାନା ପରିସରରେ ପ୍ରସ୍ତୁତ କରାଯାଇଥିଲା। ତାହାପରେ ସେଗୁଡ଼ିକୁ ଟ୍ରକ ମାଧ୍ୟମରେ କୋଠା ନିର୍ମାଣ ସ୍ଥଳକୁ ନିଆଯାଇ ଆବଶ୍ୟକତା ଅନୁସାରେ ଖଞ୍ଜା ଯାଇଥିଲା। କ୍ରେନ ମାଧ୍ୟମରେ ଗୋଟିଏ ଥାକ ଉପରେ ଅନ୍ୟ ଏକ ଥାକ ଥୁଆଯାଇ ଏହି ଘର ତିଆରି ହୋଇଛି। ଥାକ ଉପରେ ଥାକ ରଖାଯିବା ପରେ କର୍ମଚାରୀମାନେ ସେଗୁଡ଼ିକର ନଟ୍‌ ବୋଲ୍‌ଟ ଭିଡ଼ିବାରେ ଲାଗିଥିଲେ। ଏଥିସହିତ ଘରକୁ ବିଜୁଳି ଏବଂ ପାଣି ସଂଯୋଗ ମଧ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର