ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ ମଙ୍ଗଳବାର ୧୦୮ ଫୁଟ ଲମ୍ବର ଧୂପକାଠି ଜାଳି ଏକ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ସମ୍ପନ୍ନ କରିଛନ୍ତି। ଗୁଜରାଟରୁ ସ୍ୱତନ୍ତ୍ର ଭାବେ ଅଣାଯାଇଥିବା ଏହି ଧୂପକାଠିରେ ପ୍ରବଳ ଜନସମାଗମ ମଧ୍ୟରେ ‘ଜୟ ଶ୍ରୀରାମ’ ଧ୍ବନି ଦେଇ ଅଗ୍ନିସଂଯୋଗ କରାଯାଇଥିଲା। ଏହି ବିଶାଳ ଧୂପକାଠିର ସୁଗନ୍ଧ ୫୦ କିଲୋମିଟର ଦୂରଯାଏ ସଂଚରିବ ବୋଲି ବିଶ୍ବାସ କରାଯାଉଛି। ୩୬୧୦ କେଜି ଓଜନର ଏହି ଧୂପକାଠିକୁ ଗୁଜରାଟର ବଡ଼ୋଦରାରୁ ଅଯୋଧ୍ୟା ଅଣାଯାଇଥିଲା। ଏହି ଅନନ୍ୟ ଧୂପକାଠି ତିଆରି କରିବା ପାଇଁ ଗୋବର, ଘିଅ, ସୁଗନ୍ଧ ଦ୍ରବ୍ୟ, ଫୁଲର ନିର୍ଯ୍ୟାସ ଓ ଓଷଧିର ମିଶ୍ରଣ ବ୍ୟବହାର କରାଯାଇଛି। ଥରେ ନିଆଁ ଲାଗିବା ପରେ ଏହା ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଜଳିବ ବୋଲି କୁହାଯାଉଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବଡ଼ୋଦରାରେ ଏହି ଧୂପକାଠି ପ୍ରସ୍ତୁତ କରିବାକୁ ୬ ମାସରୁ ଅଧିକ ସମୟ ଲାଗିଥିଲା।