ଜାକର୍ତ୍ତା: ଇଣ୍ଡୋନେସିଆରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ଏକ ଅଜଗର ଗିଳି ଦେଇଛି। ପରେ ଗ୍ରାମବାସୀ ଅଜଗରର ପେଟ କାଟି ମହିଳାଙ୍କ ମୃତଦେହ ବାହାର କରିଥିଲେ। ଶନିବାର ସ୍ଥାନୀୟ ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଦକ୍ଷିଣ ସୁଲାୱେସି ପ୍ରଦେଶର କାଲେମ୍ପଙ୍ଗ ଗାଁର ମୁଖ୍ୟ ସୁଆର୍ଡି ରୋଜି କହିଛନ୍ତି ଚାରି ସନ୍ତାନଙ୍କ ମା’ ଫରିଦା ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ ଏବଂ ଘରକୁ ଫେରି ନ ଥିଲେ। ପରେ ତାଙ୍କ ସ୍ୱାମୀ ଏବଂ ଗାଁର ଲୋକମାନେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଖୋଜାଖୋଜି ସମୟରେ ମହିଳାଙ୍କ ସ୍ୱାମୀ ତାଙ୍କର କିଛି ଜିନିଷ ପାଇଥିଲେ, ଯେଉଁଥିପାଇଁ ସେ କିଛି ଅଜଣା ସନ୍ଦେହ କରିଥିଲେ।
ଯେତେବେଳେ ଗ୍ରାମବାସୀ ଏହି ଅଞ୍ଚଳ ଖୋଜିବା କରିବା ଆରମ୍ଭ କଲେ ସେମାନେ ୧୬ ଫୁଟ ଲମ୍ବର ଅଜଗର ସେଠାରେ ଥିବା ଦେଖିଥିଲେ। ଅଜଗରର ପେଟ ଫୁଲି ଯାଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ଗ୍ରାମବାସୀ ଅଜଗରକୁ ଧରି ତାହାର ପେଟ କାଟିଥିଲେ। ସେମାନେ ପେଟ କାଟିବା ଆରମ୍ଭ କରିବା ମାତ୍ରେ ସେମାନେ ପ୍ରଥମ ଦେଖିଲେ ୪୫ ବର୍ଷିୟା ଫରିଦାଙ୍କ ମୁଣ୍ଡ ଦେଖାଯାଉଛି। ଏହା ପରେ ଫରିଦାର ମୃତଦେହ ଅଜଗର ପେଟ ଭିତରେ ପୁରା ପୋଷାକ ପିନ୍ଧି ରହିଥିବାର ଦେଖିବାକୁ ମିଳିଥିଲା।
ଅଜଗର ଦ୍ୱାରା ମଣିଷ ଗିଳିବା ଘଟଣା ଅତ୍ୟନ୍ତ ବିରଳ ବୋଲି ବିବେଚନା କରାଯାଏ। କିନ୍ତୁ ନିକଟ ଅତୀତରେ ଇଣ୍ଡୋନେସିଆରେ ଅନେକ ଲୋକ ଏହିପରି ମୃତ୍ୟୁ ବରଣ କରିଥିବାର ନଜିର ରହିଛି। ଗତ ବର୍ଷ ଦକ୍ଷିଣ-ପୂର୍ବ ସୁଲାୱେସିର ଟିନାଙ୍ଗଗିଆ ଜିଲ୍ଲାର ବାସିନ୍ଦାମାନେ ଗାଁର ଜଣେ ଚାଷୀଙ୍କୁ ଗିଳି ଦେଇଥିବା ୮ ମିଟର ଅଜଗରକୁ ହତ୍ୟା କରିଥିଲେ। ୨୦୧୮ ରେ, ଜଣେ ୫୪ ବର୍ଷ ବୟସ୍କା ମହିଳା ଦକ୍ଷିଣ ପୂର୍ବ ସୁଲାୱେସିର ମୁନା ସହରରେ ଅଜଗରର ଶିକାର ହୋଇଥିଲେ। ମହିଳାଙ୍କ ମୃତଦେହ ୭ ମିଟର ଲମ୍ବା ଅଜଗରର ପେଟ ଭିତରୁ ମିଳିଥିଲା।