ନୂଆଦିଲ୍ଲୀ: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରର୍ଦଶନର କାରଣ ଖୋଜିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ୨ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠିତ ହୋଇଛି। ଟିମ୍‌ କେବେ ଗସ୍ତ କରିବ ସେ ନେଇ ବର୍ତ୍ତମାନ ସୁଦ୍ଧା ତାରିଖ ଧାର୍ଯ୍ୟ ହୋଇନାହିଁ। ଜୁଲାଇ ୬ ପରେ ଟିମ୍‌ କେବେ ଓଡ଼ିଶା ଗସ୍ତ କରିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି କମିଟି ସଦସ୍ୟ ତଥା କଂଗ୍ରେସ ସାଂସଦ ତାରିକ୍‌ ଅନ୍‌ୱାର ଆଜି ସୂଚନା ଦେଇଛନ୍ତି।

Advertisment

ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର କାରଣ ଖୋଜିବା ପାଇଁ ଚଳିତ ମାସ ୨୦ରେ ଏଆଇସିସି ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ତେଲେଙ୍ଗାନା ପାଇଁ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଛି। ଟିମ୍‌ ସମ୍ବନ୍ଧିତ ରାଜ୍ୟ ଗସ୍ତ କରି କଂଗ୍ରେସ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବ। ତଦନୁସାରେ ଏଆଇସିସି ଦ୍ବାରା ପ୍ରାର୍ଥୀଙ୍କ ପରାଜୟ କାରଣର ସମୀକ୍ଷା ହେବ। ଓଡ଼ିଶା ପାଇଁ ୨ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳରେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ମଧ୍ୟ ସଦସ୍ୟ ରହିଛନ୍ତି। ନିକଟରେ ଶ୍ରୀ ମାକେନଙ୍କ ମାଆଙ୍କ ପରଲୋକ ହୋଇଥିବାରୁ ଟିମ୍‌ର ଓଡ଼ିଶା ଗସ୍ତ ବିଳମ୍ବିତ ହୋଇଛି।