ଏକାକୀ ବିମାନରେ ଆସିଲା ୫ ବର୍ଷର ଶିଶୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ଏକ ୫ ବର୍ଷର ଶିଶୁ ଆସି ପହଞ୍ଚିଥିଲା। ତେବେ ଶିଶୁ ସହ ତାର ବାପା ମା’ କି ଅନ୍ୟ କେହି ସମ୍ପର୍କୀୟ ନଥିଲେ। ସେ ଏକାକୀ ଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନରେ ଆସିଥିଲା। ୩ ମାସ ଧରି ନିଜ ମା’ଠାରୁ ଦୁରେଇ ରହିଥିବା ଏହି ଶିଶୁର ନାମ ବିହାନ୍‌ ଶର୍ମା। ସରକାର ବିମାନ ଚଳାଚଳ ପାଇଁ ଅନୁମତି ଦେବାପରେ ବିହାନ୍‌ ଏକାକୀ ଦିଲ୍ଲୀରୁ ବେଙ୍ଗାଲୁରୁକୁ ଆସିଛି। ବିମାନବନ୍ଦରରେ ଓହ୍ଲାଇବାପରେ ବିହାନ୍‌ର ମା’ ତାକୁ କୋଳେଇ ନେଇଥିଲେ। ଉଭୟ ବିହାନ୍‌ ଏବଂ ତାଙ୍କ ମା’ ପରସ୍ପରକୁ ୩ ମାସ ପରେ ଦେଖିବାପରେ ଖୁବ୍‌ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା।

କର୍ଣ୍ଣାଟକ ସରକାର କହିଛନ୍ତି, ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡ଼ୁ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରୁ ଫେରୁଥିବା ଯାତ୍ରୀଙ୍କୁ ୭ ଦିନ କ୍ବାରାଣ୍ଟିନ୍‌ରେ ରହିବାକୁ ପଡ଼ିବ ଏବଂ ଏହାର ଖର୍ଚ୍ଚ ନିଜେ ଯାତ୍ରୀଙ୍କୁ ବହନ କରିବାକୁ ପଡ଼ିବ। ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ବୟସର ଶିଶୁ ହୋମ୍‌ କ୍ବା‌ରାଣ୍ଟିନ୍‌ରେ ରହିପାରିବେ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର