ପୁଅ-ବୋହୂଙ୍କ ଝିଅକୁ ଜନ୍ମଦେଲେ ୫୬ ବର୍ଷୀୟା ଆମେରିକୀୟ ମହିଳା

ୱାସିଂଟନ: ସରୋଗେସି (ଉଧାର ଗର୍ଭ) ବିଷୟରେ ଆଜିକାଲି ଗଣମାଧ୍ୟମରେ ଅନେକ ଖବର ଶୁଣିବାକୁ ମିଳେ। ସମ୍ପ୍ରତି ଆମେରିକାର ଜଣେ ୫୬ ବର୍ଷୀୟା ମହିଳା ନ୍ୟାନ୍ସି ହକ୍ ତାଙ୍କ ପୁଅ ଓ ବେହୂଙ୍କ ପୁଅର ଉଧାର ମାଆ ସାଜିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଜେଫ୍ ହକ୍‌ଙ୍କ ସ୍ତ୍ରୀ କାମ୍ବ୍ରିଆଙ୍କର ଗର୍ଭାଶୟ ଅପରେସନ ଦ୍ବାରା କଢ଼ା ହୋଇଯାଇଥିବାରୁ ସନ୍ତାନଟିଏ ପାଇବା ପାଇଁ ତାଙ୍କର ଜଣେ ଉଧାର ମାଆଙ୍କ ସାହାଯ୍ୟ ନେବା ଛଡ଼ା ଅନ୍ୟ ଉପାୟ ନ ଥିଲା। ତେବେ ଏଥିପାଇଁ ତାଙ୍କୁ ବେଶି ଖୋଜିବାକୁ ପଡ଼ି ନ ଥିଲା କାରଣ ତାଙ୍କର ୫୬ ବର୍ଷୀୟା ଶାଶୂ ପୁଅର ବଂଶରକ୍ଷା ପାଇଁ ସରୋଗେଟ୍ ମାଆ ହେବାକୁ ଆଗେଇ ଆସିଥିଲେ।

ଜେଜେମାଆ ନିଜେ ଜନ୍ମ କରିଥିବା ନାତୁଣୀର ନାଁ ରଖିଛନ୍ତି ହାନ୍ନାହ। ଉତହ ଟେକ୍ ୟୁନିଭର୍ସିଟିରେ କାମ କରୁଥିବା ନ୍ୟାନ୍ସି ହକ୍ ପୂର୍ବରୁ ବିନା ପରୀକ୍ଷାରେ କହିଥିଲେ ଯେ ଛୁଆଟି ଗୋଟିଏ ଝିଅ ହେବ ଏବଂ ତାହା ସତ ହୋଇଛି। କାମ୍ବ୍ରି୍ଆ କହିଛନ୍ତି ଯେ ତାଙ୍କ ଶାଶୂଙ୍କ ନାଁ ନ୍ୟାନ୍ସି ଓ ଝିଅର ନାଁ ହାନ୍ନାହ ଏବଂ ଉଭୟର ଅର୍ଥ ‘ଈଶ୍ବରଙ୍କ ଦୟା’। ଡ ରସେଲ ଫୋକ୍ କହିଛନ୍ତି ଯେ ଜଣେ ଜେଜେମା ନାତି ବା ନାତୁଣୀକୁ ନିଜ ଗର୍ଭରେ ଧାରଣ କରିବା ଏକ ଅସ୍ବାଭାବିକ ଘଟଣା। ତଥାପି ଜନ୍ମିତ ଶିଶୁକନ୍ୟା ସୁସ୍ଥ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର