ନୂଆଦିଲ୍ଲୀ: ଏକ ହୃଦୟବିଦାରକ ଘଟଣା ଘଟିଛି ଦକ୍ଷିଣ ଦିଲ୍ଲୀର ଲୋଧି କଲୋନିରେ। ଶନିବାର ରାତିରେ ଦୁଇଜଣ ଲୋକ ଜଣେ ଛଅବର୍ଷର ବାଳକକୁ ହତ୍ୟା କରି ଠାକୁରଙ୍କ ପାଖରେ ବଳି ଚଢ଼ାଇଥିବା ଅଭିଯୋଗ ହୋଇଛି। ପୁଲିସର କହିବା ଅନୁସାରେ, ସମ୍ଭ୍ରାନ୍ତ ଲୋଧି କଲୋନି ଅଞ୍ଚଳରେ ସିଆର୍ପିଏଫ୍ର ଏକ ନିର୍ମାଣାଧୀନ ଘରେ ଏହି ନାରକୀୟ ଘଟଣା ଘଟିଛି। ରବିବାର ସକାଳେ ପୁଲିସ ଏ ସମ୍ପର୍କରେ ଖବର ପାଇବା ପରେ ଶବ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଥିଲା। ବାଳକର ଗଳା କାଟିଥିବା ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ବିଜୟ ଓ ଅମର। ସେମାନଙ୍କୁ ଗିରଫ କରାଯାଇଛି ଏବଂ ସେମାନେ ନିଜର ଅପରାଧ ସ୍ବୀକାର କରିଛନ୍ତି। ବିଜୟ କହିଲା ଯେ ସେ ଗଞ୍ଜେଇ ଟାଣିବା ପରେ ନିର୍ମାଣାଧୀନ ଘରର ଏକ ସ୍ଥାନରେ ଶ୍ରମିକ ସ୍ତ୍ରୀଲୋକମାନେ ଭଜନ ଗାଉଥିବା ସ୍ଥାନକୁ ଯାଇଥିଲା। ଶିବଙ୍କ ପୂଜା ପାଇଁ ସେମାନେ ଧୂପକାଠି ମାଗିଥିବା ବେଳେ ସେ ମନା କରିଦେଇଥିଲା।
ଏହାପରେ ସେ ଶୋଇ ଶୋଇ ସ୍ବପ୍ନ ଦେଖିଲା ଯେ ଭଗବାନ୍ ଶିବ କୁଆଡ଼େ ତାକୁ ଗୋଟିଏ ପିଲାର ବଳି ମାଗୁଛନ୍ତି। ଏହାପରେ ଅଭିଯୁକ୍ତ ତା’ର ଅନ୍ୟ ସହଯୋଗୀ ଅମର ସହ ମିଶି ଧର୍ମେନ୍ଦ୍ର ନାମକ ବାଳକକୁ ଏକୁଟିଆ ପାଇ ତା’ର ଗଳାକାଟି ହତ୍ୟା କରିଥିଲା। ଧର୍ମେନ୍ଦ୍ରର ବାପା ଓ ମାଆ ବି ଶ୍ରମିକ, ଯେଉଁମାନେ ଉକ୍ତ ଘରକାମରେ ନିୟୋଜିତ ଥିଲେ। ସେମାନେ ଉତ୍ତରପ୍ରଦେଶ ବରେଲିର ବାସିନ୍ଦା। ସେମାନେ ଭଜନସ୍ଥଳରୁ ଫେରିବା ପରେ ପୁଅକୁ ନ ପାଇ ଖୋଜାଖୋଜି କରିଥିଲେ। ଶେଷକୁ ଧର୍ମେନ୍ଦ୍ରର ବାପା ଅଶୋକ ପୁଅର ବେକରୁ ରକ୍ତ ବୋହୁଥିବା ମୃତ ଶରୀରକୁ ଦେଖି ଚିତ୍କାର କରିଥିଲା। ସେଠାରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ଓ ପୁଲିସକୁ ଖବର ଦିଆଯାଇଥିଲା।