ନୂଆଦିଲ୍ଲୀ: ଆପ୍ ସରକାର ଅଧୀନରେ ଦିଲ୍ଲୀ ଜଳ ବୋର୍ଡରେ ୩୨୩୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ। ତେବେ ଆପ୍ ଏହି ଅଭିଯୋଗର ଜବାବ ଦେଇ କହିଛି ଯେ, ଦିଲ୍ଲୀବାସୀଙ୍କ ପ୍ରଗତିରେ ବାଧା ସୃଷ୍ଟି କରିବା ପାଇଁ ବିଜେପି ଷଡ଼୍ଯନ୍ତ୍ର କରୁଛି। ଜଣେ କେନ୍ଦ୍ରମନ୍ତ୍ରୀ ନିଜ ଲୋକଙ୍କ ପ୍ରତି ସମର୍ପିତ ଏକ ସଚ୍ଚୋଟ ସରକାର ବିରୋଧରେ ଏଭଳି ମନଗଢ଼ା ଆରୋପ ଲଗାଇବା ଠିକ୍ ନୁହେଁ ବୋଲି ଆପ୍ କହିଛି। ବିଜେପିର ଦିଲ୍ଲୀ ୟୁନିଟ୍ ମୁଖ୍ୟ ବୀରେନ୍ଦ୍ର ସଚଦେବାଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଲେଖୀ ଅଭିଯୋଗ କରିଛନ୍ତି ଯେ ପ୍ରତ୍ୟେକର ମୂଲ୍ୟ ୫ ଲକ୍ଷ ଟଙ୍କାରୁ କମ୍ ରଖି ୬୦୦ କୋଟି ଟଙ୍କାର ୧୨,୦୦୦ କାର୍ଯ୍ୟାଦେଶ ପାଇଁ ଟେଣ୍ଡର ଆହ୍ବାନକୁ ଏଡ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଦୁର୍ନୀତିର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦାୟିତ୍ବ ଦେବା ଉଚିତ। ଯଦି ସେ ଏହା ନ କରନ୍ତି, ତେବେ ବିଜେପି ଉପରାଜ୍ୟପାଳଙ୍କୁ ସେଥିପାଇଁ ଅନୁରୋଧ କରିବ ବୋଲି ସଚଦେବା କହିଛନ୍ତି।
ଲେଖୀ କହିଛନ୍ତି ଯେ, ଆପ୍ ଓ କେଜ୍ରିୱାଲ ଅଭିଯୋଗ କରୁଥିଲେ ଯେ ଶୀଲା ଦୀକ୍ଷିତ ସରକାର ସମୟରେ ‘ପାଣି ଟ୍ୟାଙ୍କର ମାଫିଆ’ ଥିଲେ କିନ୍ତୁ ବର୍ତ୍ତମାନ ମଧ୍ୟ ଏହା ଅଛି। ଲେଖୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ୨୦୧୭ ପରଠାରୁ ହିସାବକିତାବ ନାହିଁ ଏବଂ ସେମାନେ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଖାତାରୁ ୧୬୦୧ କୋଟି ଟଙ୍କା ଗାଏବ ହୋଇଯାଇଥିବା ବେଳେ ଡିଜେବି (ଦିଲ୍ଲୀ ଜଳ ବୋର୍ଡ)ର ଆର୍ଥିକ ବିବରଣୀ ଏବଂ ବ୍ୟାଙ୍କଗୁଡ଼ିକର ବିବରଣୀ ମଧ୍ୟରେ ୧୧୬୭ କୋଟି ଟଙ୍କାର ଅମେଳ ରହିଛି। ଏଥିସହ ୧୩୫ କୋଟି ଟଙ୍କାର ମିଆଦୀ ଜମାର କୌଣସି ପତ୍ତା ମିଳୁନାହିଁ। ଆର୍ଥିକ ହିସାବକିତାବରେ ଅନିୟମିତତା, ଆଡଜଷ୍ଟମେଣ୍ଟ ଏବଂ ପୁନଃ ଆଡଜଷ୍ଟମେଣ୍ଟ, ନିଖୋଜ ଫିକ୍ସଡ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ଆକାରରେ ବିଭିନ୍ନ ହେଡ୍ରେ ୩୨୩୭ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଲେଖୀ ଅଭିଯୋଗ କରିଛନ୍ତି। ଆପ୍ କହିଛି ଯେ ଦିଲ୍ଲୀ ସରକାର ସହର ତଥା ଏହାର ଜନସାଧାରଣଙ୍କ ପ୍ରଗତି ଓ ସମୃଦ୍ଧି ଲାଗି ପ୍ରତିବଦ୍ଧ ଅଛନ୍ତି ଏବଂ ଡିଜେବି ଜଳ ଓ ନର୍ଦ୍ଦମା ସୁବିଧା ଯୋଗାଇବା ପାଇଁ କାର୍ଯ୍ୟ କରୁଛି। ଏବେ କାମ ବନ୍ଦ କରିବା ପାଇଁ ବିଜେପି ମିଥ୍ୟା ଅଭିଯୋଗ କରୁଛି ବୋଲି ଆପ୍ କହିଛି।