ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ସ୍କୁଲ୍‌ ଯାଉଛନ୍ତି ବିହାର ନାବାଳିକା

ଭିଡିଓ ଭାଇରାଲ୍‌ ହେବା ପରେ ସହାୟତାର ସୁଅ ଛୁଟିଲା

ପାଟନା: ବିହାରର ମାଓ ପ୍ରବଣ ଜିଲ୍ଲା ଜାମୁଇର ଜଣେ ୧୦ ବର୍ଷର ନାବାଳିକା ସୀମା। ୨ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ସେ ତାଙ୍କର ଗୋଟିଏ ଗୋଡ଼ ହରାଇ ଦେଇଥିଲେ। ତେ‌ବେ ପଢ଼ିବାର ନିଶା ତାଙ୍କର ମଉଳି ନଥିଲା। ଅଭାବ ହେତୁ ସୀମାଙ୍କ ବାପା ମା’ ତାଙ୍କୁ ୩ ଚକିଆ ସାଇକେଲ୍‌ କିଣି ଦେଇ ପାରିନାହାନ୍ତି। କିନ୍ତୁ ସୀମା ମନୋବଳ ହରାଇନାହାନ୍ତି। ସେ ନିଜେ ଗୋଟିଏ ଗୋଡ଼ରେ ପ୍ରାୟ ୧ କିଲୋମିଟର ବାଟ ପର୍ଯ୍ୟନ୍ତ ଡେଇଁ ଡେଇଁ ସ୍କୁଲ୍‌ରେ ପହଞ୍ଚୁଛନ୍ତି। ଫତେପୁର ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ରୀ ସୀମା ନିଜେ ପାଠ ପଢ଼ିବା ସହ ତାଙ୍କ ଗ୍ରାମର ଅନ୍ୟ ଝିଅମାନଙ୍କୁ ବି ପାଠ ପଢ଼ିବାପାଇଁ ଉତ୍ସାହିତ କରୁଛନ୍ତି। ସୀମା ଗୋଟିଏ ଗୋଡ଼ରେ ସ୍କୁଲ୍‌ ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଦେଶବ୍ୟାପୀ ତାଙ୍କୁ ପ୍ରଶଂସା କରାଯାଇଛି ଏବଂ ସାହାଯ୍ୟର ବି ସୁଅ ଛୁଟିଛି।

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ମଧ୍ୟ ସୀମାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ସୀମାଙ୍କ ସଂଘର୍ଷ କାହାଣୀ ପ୍ରଘଟ ହେବାପରେ ଜାମୁଇ ଜିଲ୍ଲାପାଳ ଅବନୀଶ କୁମାର ସିଂହ ସୀମାଙ୍କ ଘରେ ପହଞ୍ଚି ତାଙ୍କୁ ଏକ ତିନି ଚକିଆ ସାଇକେଲ୍‌ ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ସୀମାଙ୍କ ସାହସିକତାକୁ ସାଲ୍ୟୁଟ୍‌ କରିଛନ୍ତି। ଅନ୍ୟ ଝିଅମାନଙ୍କ ପାଇଁ ସେ ଜ‌ଣେ ଉଦାହରଣ। ସୀମାଙ୍କୁ ସପ୍ତାହକ ମଧ୍ୟରେ ଏକ କୃତ୍ରିମ ଗୋଡ଼ ଦେବାପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାପାଳ ମଧ୍ୟ ସୀମାଙ୍କ ପରିବାର ପାଇଁ ପକ୍କା ଘର କରିଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସୀମାଙ୍କ ମା’ ବେବି ଦେବୀ ଏକ ଇଟା ଭାଟିରେ କାମ କରନ୍ତି। ବେବି ଦେବୀ କହିଛନ୍ତି, ସୀମାଙ୍କ ପାଇଁ ବହି କିଣିବାକୁ ତାଙ୍କ ପାଖରେ ଟଙ୍କା ନାହିଁ। ସ୍କୁଲ୍‌ ଶିକ୍ଷକମାନେ ବହିଖାତା ଦେଉଥିବା ସେ କହିଛନ୍ତି। ଅନ୍ୟପକ୍ଷେ ସୀମାଙ୍କ ବାପା ଖିରନ ମାଂଝି ରାଜ୍ୟ ବାହ‌ାରେ ଜଣେ ଶ୍ରମିକ ଭାବେ କାମ କରୁଛନ୍ତି। ୬ ଭାଇ ଭଉଣୀଙ୍କ ମଧ୍ୟରେ ସୀମା ଦ୍ବିତୀୟ ସନ୍ତାନ।

ସମ୍ବନ୍ଧିତ ଖବର