ଚେନ୍ନାଇ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ପ୍ରବେଶିକା ଓ ଯୋଗ୍ୟତା ପରୀକ୍ଷା ବା ନିଟ୍ରୁ ତାମିଲନାଡ଼ୁକୁ ବାଦ୍ ଦେବା ଏବଂ ମେଡିକାଲ କଲେଜରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀ ମାର୍କ ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ଏକ ବିଲ୍କୁ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟର ଡିଏମ୍କେ ସରକାରକୁ ବଡ଼ ଝଟକା ଲାଗିଛି। ୨୦୨୧ ଓ ୨୦୨୨ରେ ରାଜ୍ୟ ବିଧାନସଭାରେ ଦୁଇଥର ଅନୁମୋଦନ ପାଇଥିବା ଏବଂ ସେବେଠାରୁ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଥିବା ଏହି ବିଲ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଶୁକ୍ରବାର ବିଧାନସଭାକୁ ଅବଗତ କରାଇଥିଲେ।
ଆସନ୍ତା ବର୍ଷ ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସହ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ‘ହିନ୍ଦୀ ଚାପ’ ଅଭିଯୋଗକୁ ନେଇ ବିବାଦ ଲାଗି ରହିଥିବା ବେଳେ ଷ୍ଟାଲିନ୍ ଆଜି ଏହି ବିଲ୍ ପ୍ରତ୍ୟାଖ୍ୟାତ ହେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦକ୍ଷିଣ ରାଜ୍ୟକୁ ଅପମାନିତ କରାଯାଇଛି ଏବଂ ସଂଘୀୟ ବ୍ୟବସ୍ଥାରେ ଏହା ଏକ କଳା ଅଧ୍ୟାୟ। ତାମିଲନାଡୁ ସରକାର ସମସ୍ତ ଆବଶ୍ୟକ ସ୍ପଷ୍ଟୀକରଣ ଦେବା ସତ୍ତ୍ୱେ କେନ୍ଦ୍ର ସରକାର ନିଟ୍ ଛାଡ଼କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଷ୍ଟାଲିନ୍ ବିଧାନସଭାରେ କହିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକଙ୍କ ସହ ବୈଠକ କରି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆହ୍ୱାନ ଦେଇଥିଲେ।
ଏପ୍ରିଲ ୯ ତାରିଖରେ ସମସ୍ତ ବିଧାୟକଙ୍କ ବୈଠକ ବସିପାରେ ବୋଲି ସୂଚନା ମିଳିଛି। କେନ୍ଦ୍ରର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ଆମେ ଆଇନଗତ ପଦକ୍ଷେପ ଗ୍ରହଣ କରିପାରିବା। ସେ ନେଇ ଆମେ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବୁ ବୋଲି ଷ୍ଟାଲିନ କହିଛନ୍ତି। ରାଜ୍ୟ ସରକାର ଦୀର୍ଘ କାଳ ଧରି ନିଟ୍ ବ୍ୟବସ୍ଥାକୁ ବିରୋଧ କରି ଆସୁଛନ୍ତି। ସେମାନଙ୍କର ପ୍ରଥମ ଯୁକ୍ତି ହେଉଛି ଯେ ଏହା ଧନୀ ପରିବାର ଏବଂ ସମାଜର ଉଚ୍ଚବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉପକୃତ କରିଥାଏ। କାରଣ ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ନେଇପାରିବେ। ଦ୍ୱାଦଶ ଶ୍ରେଣୀ ମାର୍କକୁ ନାମଲେଖା ମାନଦଣ୍ଡ ଭାବେ ବ୍ୟବହାର କଲେ ସାମାଜିକ ନ୍ୟାୟ ସୁନିଶ୍ଚିତ ହେବ ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଛନ୍ତି। ନିଟ୍କୁ ନେଇ ବିଗତ ବର୍ଷଗୁଡ଼ିକରେ ଏକାଧିକ ବିବାଦ ଲାଗି ରହିଥିବା ବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ପାରି ଅନେକ ପିଲା ଆତ୍ମହତ୍ୟା କରିବା ଓ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ସାମନାକୁ ଆସିଛି। ତେବେ କେବଳ ତାମିଲନାଡୁ ଏହି ବ୍ୟବସ୍ଥାକୁ ବିରୋଧ କରୁନାହିଁ। ଗତ ବର୍ଷ ଜୁଲାଇରେ ପଶ୍ଚିମବଙ୍ଗ ମଧ୍ୟ ଏଥିରେ ସାମିଲ ହୋଇ ପରୀକ୍ଷା ବିରୋଧରେ ଏକ ସଂକଳ୍ପ ପାରିତ କରିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିହାରରେ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟ ପ୍ରମୁଖ ବିରୋଧୀ ନେତାମାନେ ମଧ୍ୟ ନିଟ୍ ବିରୋଧରେ ମୁହଁ ଖୋଲିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/draupadi-murmu-president-of-india.jpg)