ନଏଡା ବିଜେପି କର୍ମୀଙ୍କ ଘରେ ବୁଲିଲା ବୁଲଡୋଜର: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଯୋଗୀ

୬ ପୁଲିସ ନିଲମ୍ବିତ

ନୂଆଦିଲ୍ଲୀ : ନଏଡାରେ ଜଣେ ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀଙ୍କୁ ପୁଲିସ ଖୋଜୁଛି। ଶ୍ରୀକାନ୍ତ ତ୍ୟାଗୀ ନଏଡାର ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ତାଙ୍କ ଫ୍ଲାଟ ସାମ୍ନାରେ କିଛି ଅଂଶକୁ ବଳପୂର୍ବକ ଦଖଲ କରି ଏକ ଅସ୍ଥାୟୀ ନିର୍ମାଣ କରିଥିଲେ। ସେ ତାଙ୍କ ଫ୍ଲାଟ୍‌ ସାମ୍ନା‌‌‌ରେ ଏକ ସାଧାରଣ ଅଞ୍ଚଳରେ ଗଛ ଲଗାଇବା କାର୍ଯ୍ୟକୁ ହାଉସିଂ ସୋସାଇଟିର ଜଣେ ମହିଳା ପ୍ରବଳ ବିରୋଧ କରିଥିଲେ। ଫଳରେ ଶ୍ରୀକାନ୍ତ ଏବଂ ଉକ୍ତ ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା। ଶ୍ରୀକାନ୍ତ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ଭିଡିଓ ଭାଇରାଲ ହେବାପରେ ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଶ୍ରୀକାନ୍ତ ତ୍ୟାଗୀଙ୍କ ‌ବେଆଇନ ନିର୍ମାଣକୁ ଆଜି ବୁଲଡୋଜର ଲଗାଇ ଭଙ୍ଗାଯାଇଛି।

ଗ୍ୟାଙ୍ଗଷ୍ଟର ଆଇନ ଅଧୀନରେ ଶ୍ରୀକାନ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶ୍ରୀକାନ୍ତ ତ୍ୟାଗୀ ଫେରାର୍‌ ଅଛନ୍ତି। ଅନ୍ୟପକ୍ଷେ ରବିବାର ଦିନ ଶ୍ରୀକାନ୍ତଙ୍କ ୬ ଜଣ ସମର୍ଥକ ହାଉସିଂ କମ୍ପ୍ଲେକ୍ସରେ ପହଞ୍ଚି ସମ୍ପୃକ୍ତ ମହିଳାଙ୍କ ଠିକଣା ଚାହିଥିଲେ। ଆଜି ସମସ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ୧୪ ଦିନ ପାଇଁ ଜେଲ୍‌ ପଠାଯାଇଛି। ତେବେ ବିଜେପି ନେତା ଜଣେ ମହିଳାଙ୍କୁ ଆକ୍ରମଣ କରିବା ମାମଲାରେ ଉତ୍ତରପ୍ରଦେଶ ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟ ଗୃହ ବିଭାଗଠାରୁ ରିପୋର୍ଟ ମାଗିଛନ୍ତି। ଉକ୍ତ ମାମଲାରେ ବିସ୍ତୃତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନଏଡ଼ା ପୁଲିସ ମଧ୍ୟ ଶ୍ରୀକାନ୍ତ ତ୍ୟାଗୀଙ୍କ ୧୦ ଜଣ ଘନିଷ୍ଠ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ପୁଲିସ ଏହି ମାମଲାରେ ୬ ପୁଲିସ ଅଧିକାରିଙ୍କୁ ନିଲମ୍ବିତ କରିଛି। ଦାୟିତ୍ବରେ ଅବହେଳା ପାଇଁ ୬ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
ଇତି ମଧ୍ୟରେ ନଏଡ଼ା ପୁଲିସ ଏବଂ ଉତ୍ତରପ୍ରଦେଶ ଏସଟିଏଫ୍‌ ତ୍ୟାଗୀଙ୍କୁ ଖୋଜୁଛନ୍ତି। ପୁଲିସ ସୂଚନାନୁଯାୟୀ ତ୍ୟାଗୀ ନଏଡ଼ାରୁ ଉତ୍ତରାଖଣ୍ଡ ପଳାଇଛନ୍ତି। ଏକାଧିକ ପୁଲିସ ଟିମ୍‌ ଉତ୍ତରାଖଣ୍ଡରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ଧରି ପାରିନାହାନ୍ତି। ଶ୍ରୀକାନ୍ତ ତ୍ୟାଗୀଙ୍କ ବାବଦରେ ସୂଚନା ପାଇଁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର