ଗ୍ଲାସ୍‌ଗୋ: ଇଂଲଣ୍ଡରେ ଅବସ୍ଥାପିତ ଭାରତୀୟ ହାଇକମିସନର ବିକ୍ରମ ଦୋରାଇସ୍ବାମୀ ଶୁକ୍ରବାର ଗ୍ଲାସ୍‌ଗୋ ଗୁରୁଗ୍ରନ୍ଥ ସାହିବ ଗୁରୁଦ୍ବାରାକୁ ଯାଇଥିବା ବେଳେ ଲଣ୍ଡନ-ଭିତ୍ତିକ ତିନିଜଣ ଶିଖ୍ ଉଗ୍ରପନ୍ଥୀ ତାଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ଦେଇ ନ ଥିଲେ। ଏହି ଘଟଣାରେ ସମ୍ପୃକ୍ତ ଗୁରୁଦ୍ବାରା ପକ୍ଷରୁ ଦୋରାଇସ୍ବାମୀଙ୍କୁ ବ୍ୟକ୍ତିଗତ ଭାବରେ କ୍ଷମା ପ୍ରାର୍ଥନା କରାଯାଇଥିବା ବେଳେ ଏହି ତିନି ଉଗ୍ରପନ୍ଥୀଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ଚିହ୍ନଟ କରିଛି। ଅନ୍ୟପକ୍ଷରେ ଗ୍ଲାସ୍‌ଗୋ ଗୁରୁଦ୍ବାରା କମିଟି ପକ୍ଷରୁ ଏକ ଚିଠିରେ ଉଚ୍ଚାୟୁକ୍ତଙ୍କୁ ଉକ୍ତ ଅବାଞ୍ଛିତ ଘଟଣା ପାଇଁ ଦୁଃଖ ପ୍ରକାଶ କରାଯିବା ସହ ଅବଗତ କରାଯାଇଛି ଯେ, ଯେଉଁ ତିନିଜଣ ଶିଖ୍‌ ଚରମପନ୍ଥୀ ତାଙ୍କୁ ଅପମାନିତ କରିବା ସହ ଗୁରୁଦ୍ବାରା ଭିତରେ ପ୍ରବେଶ କରିବାକୁ ଦେଇ ନ ଥିଲେ, ସେମାନେ ଗୁରୁଦ୍ବାରାକୁ କେବେ ଆସନ୍ତି ନାହିଁ କିମ୍ବା ସେମାନଙ୍କୁ କେହି ଜାଣନ୍ତି ନାହିଁ। ଦୋରାଇସ୍ବାମୀ ଆଉ ଥରେ ଗୁରୁଦ୍ବାରା ପରିଦର୍ଶନରେ ଆସିବାକୁ ସେମାନେ ଉକ୍ତ ଚିଠିରେ ଅନୁରୋଧ କରିଛନ୍ତି।

Advertisment

ଚିହ୍ନଟ ହୋଇଥିବା ତିନି ଉଗ୍ରପନ୍ଥୀଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଇଂଲଣ୍ଡରେ ରହୁଥିବା ଶାମଶେର ସିଂହ ଓ ରଣବୀର ସିଂହ। ରଣବୀର ରାଇଫଲ ଚାଳନା ଅଭ୍ୟାସ କରୁଥିବା ବେଳର ଏକ ଫଟୋ ପ୍ରକାଶ ପାଇଛି। ସେମାନେ ବାବର ଖାଲସା ଆତଙ୍କବାଦୀ ଜଗତାର ସିଂହ ହାୱାରାର ସମର୍ଥକ ବୋଲି ଜଣାପଡ଼ିଛି। ଅଗଷ୍ଟ ୩୧, ୧୯୯୫ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ହତ୍ୟା ଷଡ଼ଯନ୍ତ୍ରରେ ହାୱାରା ସମ୍ପୃକ୍ତ ଥିଲା।