କୋଲକାତା: କୋଲକାତା ଆର୍ଜି କର ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ଅତି ନିର୍ମମ ହତ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ପ୍ରତିବାଦର ସ୍ବର ସୃଷ୍ଟି ହୋଇଛି। ମାମଲା ସିବିଆଇକୁ ହସ୍ତାନ୍ତର ନିମନ୍ତେ ବିଜେପି ଓ ପଶ୍ଚିମବଙ୍ଗ କନିଷ୍ଠ ଡାକ୍ତର ସଂଘ ଦାବି କରିଥିଲେ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଆସନ୍ତା ରବିବାର ସୁଦ୍ଧା ମାମଲାର ତଦନ୍ତ ଶେଷ ନହେଲେ ସୋମବାର ଏହା ସିବିଆଇକୁ ହସ୍ତାନ୍ତର କରାଯିବ। ସୋମବାର ଅପରାହ୍ଣରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଉପସ୍ଥିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି, ଯଦି ମାମଲାରେ ଏକାଧିକ ଅପରାଧୀ ଜଡ଼ିତ।
ଆସନ୍ତା ରବିବାର ସୁଦ୍ଧା ସମସ୍ତେ ଗିରଫ ହେବେ। ଯଦି ଏହା ନହୁଏ, ତେବେ ସେ ମାମଲା ସିବିଆଇକୁ ହସ୍ତାନ୍ତର କରିବେ। ରବୀନ୍ଦ୍ରନାଥ ଟାଗୋରଙ୍କ ନୋବେଲ୍ ପୁରସ୍କାର ଚୋରି ଯିବା ଘଟଣାର ସିବିଆଇ ତଦନ୍ତ କଥାର ଉଲ୍ଲେଖ କରି ମମତା କହିଛନ୍ତି ଯଦିଓ ସିବିଆଇ ତଦନ୍ତର ସଫଳତା ହାର ସର୍ବନିମ୍ନ ତଥାପି ମାମଲା ସିବିଆଇକୁ ଦିଆଯିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ନିର୍ଦ୍ଧାରିତ ସମୟରେ ସମାଧାନ’ ସମ୍ପର୍କରେ ପ୍ରତିକ୍ରିୟା ଦେଇ କୋଲକାତା ପୁଲିସ କମିସନର ବିନୀତ ଗୋୟଲ କହିଛନ୍ତି, ଆମେ ନିଶ୍ଚିତ ଯେ ଆସନ୍ତା ୪-୫ ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।