୪ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ତାମିଲନାଡ଼ୁ ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ

କୋର୍ଟରେ ଆତ୍ମହତ୍ୟା ଯୋଜନା କରିଥିଲା ଅଭିଯୁକ୍ତ

ଚେନ୍ନାଇ: ତାମିଲନାଡ଼ୁରେ ୩ ବର୍ଷ ତଳେ ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା କରାଯାଇଥିଲା। ଆଜି ତିରୁବଲ୍ଲୁର ମହିଳା ଅଦାଲତ ଏହି ମାମଲାରେ ଅଭିଯୁକ୍ତ ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଜି କୋର୍ଟରେ ଦଣ୍ଡାଦେଶ ଶୁଣାଣି ସମୟରେ ମୁଖ୍ୟ ଅଭିଯୁକ୍ତ ସୁନ୍ଦରମ ନିକଟରୁ ପୁଲିସ ଛୁରି ଜବତ କରିଛି। ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଛୁରି ରଖିଥିଲା ଏବଂ କୋର୍ଟ ପରିସରରେ ହିଁ ଆତ୍ମହତ୍ୟା ପାଇଁ ମଉକା ଖୋଜୁଥିଲା ବୋଲି ପୁଲିସ କହିଛି । ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସୁନ୍ଦରମକୁ ଜୁନ୍‌ ୨୮, ୨୦୧୯ରେ ଗିରଫ କରିଥିଲା। ଶିଶୁକୁ ଦୁଷ୍କର୍ମ ପରେ ପତ୍ନୀ ମୀନାକ୍ଷି ସହାୟତାରେ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଥିଲା।

ପରବର୍ତ୍ତୀ ସମୟରେ ପତ୍ନୀ ମଧ୍ୟ ଦୋଷ ସ୍ବୀକାର କରିଥିଲା। ଏହି ଜଘନ୍ୟ ଅପରାଧର ଶିକାର ହୋଇଥିବା ଶିଶୁଟି ଅଭିଯୁକ୍ତଙ୍କ ପଡ଼ୋଶୀ ଏବଂ ସଂପର୍କୀୟା। ଘଟଣା ଦିନ ପଡ଼ୋଶୀ ପରିବାର ଶିଶୁଟିକୁ ଏକା ଛାଡ଼ି କିଛି ସମୟ ପାଇଁ ବାହାରକୁ ଯାଇଥିବା ବେଳେ ସୁନ୍ଦରମ ବର୍ବର କାଣ୍ଡ ଘଟାଇଥିଲା। ଦୁଷ୍କର୍ମ ଓ ହତ୍ୟା ପରେ ଏହି ଦମ୍ପତି ଶବକୁ ଘର ନିକଟସ୍ଥ ଏକ ନର୍ଦ୍ଦମା ଭିତରେ ପୋତି ଦେଇଥିଲେ। ଏହି ମାମଲାରେ ଦମ୍ପତିଙ୍କ ବିରୋଧରେ ପୋସ୍କୋ ଅଦାଲତ ମଧ୍ୟ ପୂର୍ବରୁ ରାୟ ଦେଇଥିଲେ ଏବଂ ସେମାନଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଜେଲ୍‌ ହୋଇଥିଲା। ଆଜି ବିଚାରପତି ଶୁଭଦ୍ରା ଦେବୀ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର