ଶ୍ରୀନଗର: ଭାରତୀୟ ବାୟୁସେନାର ଜଣେ ମହିଳା ଫ୍ଲାଇଂ ଅଫିସର ଜଣେ ୱିଙ୍ଗ୍ କମାଣ୍ଡରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜମ୍ମୁ-କଶ୍ମୀରର ବଡ଼ଗାମ ଥାନାରେ ଏତଲା ରୁଜୁ ହୋଇଛି। ଉଭୟ ଅଧିକାରୀ ଶ୍ରୀନଗରରେ ରହୁଥିବା ବେଳେ  ଫ୍ଲାଇଂ ଅଫିସର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ଦୁଇ ବର୍ଷ ହେବ ସେ ଯୌନ ନିର୍ଯାତନା ଏବଂ ମାନସିକ ନିର୍ଯାତନା ଭୋଗୁଛନ୍ତି।

Advertisment

୨୦୨୩ ଡିସେମ୍ବର ୩୧ ତାରିଖରେ ଅଫିସର୍‌ ମେସ୍‌ରେ ଏକ ନୂଆବର୍ଷ ପାର୍ଟିରେ ବାୟୁସେନାର ବରିଷ୍ଠ ଅଧିକାରୀ ଜଣଙ୍କ ଫ୍ଲାଇଂ ଅଫିସରଙ୍କୁ ବିଭିନ୍ନ ଆଳ ଦେଖାଇ ଏକ କୋଠରୀକୁ ନେଇଥିଲେ ଏବଂ ତାଙ୍କୁ ଓରାଲ ସେକ୍ସ (ମୁଖ ମୈଥୁନ) କରିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ମହିଳା ଅଧିକାରୀ ଜଣକ କହିଛନ୍ତି ‘ମୁଁ ତାଙ୍କୁ ବାରମ୍ବାର ଏହା ବନ୍ଦ କରିବାକୁ କହିଥିଲି ଏବଂ ସମସ୍ତ ଉପାୟରେ ଏହାକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲି। ଶେଷରେ ମୁଁ ତାଙ୍କୁ ଧକ୍କା ଦେଇ ପଳାଇଥିଲି। ମୁଁ ଭୟଭୀତ ଥିଲି ଏବଂ କ’ଣ କରିବି ଜାଣି ନଥିଲି କାରଣ ପୂର୍ବରୁ ମଧ୍ୟ ଏପରି ଉଦାହରଣ ଥିଲା ଏବଂ ମୋତେ ରିପୋର୍ଟ କରିବାକୁ ନିରୁତ୍ସାହିତ କରାଯାଇଥିଲା।’ 

ମହିଳା ଅଧିକାରୀ କହିଛନ୍ତି ଯେ ସେ ଅନ୍ୟ ଦୁଇ ଜଣ ମହିଳା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନେ ତାଙ୍କୁ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ପୀଡ଼ିତା ଅଫିସର କହିଛନ୍ତି, ‘ମୁଁ ମାନସିକ ଯନ୍ତ୍ରଣାକୁ ବର୍ଣ୍ଣନା କରିପାରିବି ନାହିଁ ଯେ କିଭଳି ଜଣେ ଅବିବାହିତ ଝିଅ ସେନାରେଏଭଳି ଯୌନ ଉତ୍ପୀଡ଼ନର ଶିକାର ହୁଏ।’ ଏହି ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ କର୍ଣ୍ଣେଲ ପାହ୍ୟାର ଜଣେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ତେବେ ତଦନ୍ତରେ ଘୋର ପକ୍ଷପାତ ହେଉଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।