ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ପୂରିଲା ମାସେ । ଆଜିକୁ ୩୦ ଦିନ ତଳେ ଦୁଇ ଦେଶ ମଧ୍ୟରେ ହୋଇଥିଲା ଅସ୍ତ୍ରବିରତି ଘୋଷଣା । ମେ ୧୦ ତାରିଖ ଦିନ ସଂଧ୍ୟାରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ପହଲଗାମରେ ଆତଙ୍କୀ ହମଲା ପରେ ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ଦ୍ଵାରା ପାକିସ୍ତାନର ଆତଙ୍କୀ ଆଡ୍ଡା ଛାରଖାର କରିବା ପରେ ପାକିସ୍ତାନ ଭାରତର ସୀମାବର୍ତ୍ତୀ ରାଜ୍ୟରେ ଆକ୍ରମଣ କରିଥିଲା ।
ଗୁଳିମାଡ, ଡ୍ରୋନ ହମଲାର ବଦଲା ନେବାକୁ ଭାରତ ପାକିସ୍ତାନ ଛାତିରେ ପ୍ରହାର କରି ପାକିସ୍ତାନକୁ ଛାରଖାର କରିବା ପରେ ଭୟରେ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ବନ୍ଦ କରିବାକୁ ଭାରତ ପାଖରେ ଶରଣ ପଶିଥିଲା । ପରେ ଭାରତ କିଛି ସର୍ତ୍ତ ରଖି ଯୁଦ୍ଧ ବିରତି ପାଇଁ ରାଜି ହୋଇଥିଲା ।
ତେବେ ସର୍ତ୍ତ ଅନୁସାରେ ସୀମାରେ ଫୁଟିବନି ଗୋଟିଏ ବି ଗୁଳି । ଭାରତ-ପାକିସ୍ତାନ ସୀମାରେ ଗୋଟିଏ ବି ଗୁଳିର ଶବ୍ଦ ବି ଶୁଭାଯିବନି । ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିଲା । ସୀମାରେ ଗୋଟିଏ ବି ଗୁଳି ନଫୁଟାଇବାକୁ ଦୁଇ ଦେଶର ସହମତି ପ୍ରକାଶ ପାଇଥିଲା । ଆକ୍ରମଣାତ୍ମକ କିମ୍ବା ଶତ୍ରୁତାପୂର୍ଣ୍ଣ ଆକ୍ସନ ନନେବା ସହ ସୀମାରୁ ଦୁଇ ଦେଶ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ବୈଠକରେ ସହମତି ପ୍ରକାଶ କରାଯାଇଥିଲା ।
ମେ ୧୦ ତାରିଖ ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିବା ବେଳେ ଜଳ- ସ୍ଥଳ- ଆକାଶରେ କୌଣସି ଆକ୍ସନ ନହେବାକୁ ସର୍ତ୍ତ ଥିବାବେଳେ ଅମାନିଆ ପାକିସ୍ତାନ ସେହି ଦିନ ରାତିରେ ହିଁ ଗୁଳିମାଡ କରିଥିଲା । ପରେ ଭାରତର ରୌଦ୍ରରୂପ ଦେଖି ଅସ୍ତ୍ରବିରତି ଉଲ୍ଲଂଘନରୁ ଓହରିଥିଲା ।