ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଆଡପ୍ଟ ଏ ‌ହେରିଟେଜ୍ ଯୋଜନାରେ ଲାଲକିଲ୍ଲାକୁ ସିମେଣ୍ଟ କମ୍ପାନି ଡାଲମିଆ ଭାରତ ଲିମିଟେଡ ‘ସ୍ମାରକୀ ମିତ୍ର’ ଭାବରେ ଗ୍ରହଣ କରିଛି। କମ୍ପାନି ଏଠାରେ ତିନିଟି ଆକର୍ଷଣୀୟ ଜିନିଷ କରିଛି। ‌ତାହା ହେଲେ ଲାଲକିଲ୍ଲା ପରିଦର୍ଶକ କେନ୍ଦ୍ର, ମାତୃଭୂମି ପ୍ରୋଜେକ୍ସନ ମ୍ୟାପିଂ ଏବଂ ଜୟ ହିନ୍ଦ୍‌ ସାଉଣ୍ଡ ଆଣ୍ଡ ଲାଇଟ୍‍ ସୋ’।

Advertisment

ପୁରାତନ ବ୍ରିଟିସ ସେନା ଛାଉଣୀରେ ଲାଲକିଲ୍ଲା ପରିଦର୍ଶକ କେନ୍ଦ୍ର ସ୍ଥାନିତ ହୋଇଛି। ଏହା ପରିଦର୍ଶକମାନଙ୍କୁ ବାସ୍ତବ ପକ୍ଷେ ଲାଲକିଲ୍ଲା ବୁଲି ଦେଖିବା ପୂର୍ବରୁ ଏ ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରୁଛି। ଜଣ ପିଛା ୧୦୦ ଟଙ୍କାର ପ୍ରବେଶ ଦେୟ ଆଦାୟ କରାଯାଉଛି। ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ପୂର୍ବାହ୍ନ ୯ଟାରୁ ରାତି ୮.୩୦ ପର୍ଯ୍ୟନ୍ତ ଏହା ଖୋଲା ରହୁଛି।

ମାତୃଭୂମି ପ୍ରୋଜେକ୍ସନ ମ୍ୟାପିଂ ଏବଂ ଲେଜର ଜରିଆରେ ଲାଲକିଲ୍ଲାର ସମ୍ମୁଖ ଭାଗ ଖାଲିସ୍ଥାନରେ ଭାରତର ୫୦୦୦ ବର୍ଷର ଯାତ୍ରାକୁ ପ୍ରଦର୍ଶନ କରାଯାଉଛି। ସମସ୍ତଙ୍କ ପାଇଁ ମାଗଣାରେ ସନ୍ଧ୍ୟା ୭.୩୦ରୁ ୮ଟା ପର୍ଯ୍ୟନ୍ତ ଏହା କରାଯାଉଛି। ଜୟ ହିନ୍ଦ୍‌- ସାଉଣ୍ଡ୍‌ ଆଣ୍ଡ ଲାଇଟ୍‌ ସୋ’ ସପ୍ତଦଶ ଶତାବ୍ଦୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଇତିହାସର ଉପସ୍ଥାପନା ହୋଇଛି। ଲାଲକିଲ୍ଲାକୁ କେନ୍ଦ୍ରକରି ମୋଗଲ ଶାସନ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ଘଟଣା ଗୁଡ଼ିକର ଲାଇଭ ପ୍ରଦର୍ଶନୀ ୬୦ ଜଣ କଳାକାରଙ୍କ ଦ୍ବାରା ପରିବେଷଣ କରାଯାଇଛି। ଏହି ସୋ’ ଲାଲକିଲ୍ଲାର ତିନିଟି ପ୍ରମୁଖ ସ୍ଥାନ ନୌବତ୍‍ଖାନା, ଦିୱାନ-ଏ-ଆମ୍‍ ଏବଂ ଦିୱାନ୍‍-ଏ-ଖାସ୍‌ରେ ହେଉଛି। ଟିକଟ ମୂଲ୍ୟ ୧୫୦୦ ଟଙ୍କା ଏବଂ ୫୦୦ ଟଙ୍କା ରଖାଯାଇଛି।

ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ସନ୍ଧ୍ୟା ୭.୩୦ରୁ ରାତି ୮.୩୦ଟା (ହିନ୍ଦୀ) ଏବଂ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ଇଂରାଜୀ ସୋ’ ହେଉଛି। ହିନ୍ଦୀ ସୋ’ରେ ଅଭିନେତା ଅମିତାଭ ବଚ୍ଚନ ଏବଂ ଇଂରାଜୀ ସୋ’ରେ ଅଭିନେତା କବିର ବେଦୀଙ୍କ ବର୍ଣ୍ଣନା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନିର ଏମ୍‌ଡି ପୁନିତ୍‍ ଡାଲମିଆ କହିଛନ୍ତି, ଐତିହ୍ୟସ୍ଥଳୀରେ କଳାକାରମାନଙ୍କୁ ନେଇ ପ୍ରତ୍ୟକ୍ଷ ଭାବେ ଲାଇଟ୍ ଆଣ୍ଡ୍‌ ସାଉଣ୍ଡ ସୋ’ରେ ଜୟ ହିନ୍ଦ୍‌ ପ୍ରଥମ। ଭାରତୀୟ ଇତିହାସ ଏବଂ ବୀରତ୍ବର ଗାଥା ସହିତ ମୋଗଲ ଓ ମରହଟ୍ଟାଙ୍କ ମଧ୍ୟରେ କ୍ଷମତା ଲଢ଼େଇ, ୧୮୫୭ ସ୍ବାଧୀନତା ସଂଗ୍ରାମ, ଆଇଏନଏର ଗଠନ ଏବଂ ପରାକ୍ରମ ଆଦି ସଂପର୍କରେ ସୂଚନା ପାଇପାରିବେ। ପର୍ଯ୍ୟଟକ ଏବଂ ବିଶେଷକରି ଛାତ୍ରଛାତ୍ରୀମାନେ ଏହି ବିଶ୍ୱମାନର କାର୍ଯ୍ୟକ୍ରମକୁ ଦେଖି ଅନନ୍ୟ ଅନୁଭୂତି ପାଇପାରିବେ ବୋଲି ସେ କହିଛନ୍ତି।