୮ ବର୍ଷ ବୟସରେ ଦେଖିଥିଲେ ସ୍ୱପ୍ନ, ପୂରଣ ହେଲା ୮୮ ବର୍ଷରେ, ଜଣେ କୃଷକଙ୍କ ସଫଳତା କାହାଣୀ

ଚେନ୍ନାଇ : ମାତ୍ର ୮ ବର୍ଷ ବୟସରେ ସେ ଏକ ସାଇକେଲ ଚଢି ଯାଉଥିବାବେଳେ ପ୍ରଥମ ଥର ପାଇଁ ଦେଖିଲେ ଏକ ମର୍ସିଡିଜ ବେଞ୍ଜ୍‌ ଲକଜୁରୀ କାର । ଦେଖୁ ଦେଖୁ ସେ ଏହି କାରର ପ୍ରେମରେ ପଡିଗଲେ । ବିଶେଷ କରି ମର୍ସିଡିଜର ଲୋଗୋ ତାଙ୍କୁ ବେଶ ଭଲ ଲାଗୁଥିଲା । ସେହିଦିନ ସେ ମନେ ମନେ ଠିକ କରିଥିଲେ ଯେ ବଡ଼ ହେଲେ ସେ ମର୍ସିଡିଜ ଚଢିବେ । ଏବେ ୮୦ ବର୍ଷ ପରେ ତାଙ୍କ ସ୍ୱପ୍ନ ସାକାର ହୋଇଛି । ଏହି ବ୍ୟକ୍ତି ହେଉଛନ୍ତି ତାମିଲନାଡୁ କାଞ୍ଚିପୁରମର ଜଣେ ଚାଷୀ ଦେବରାଜନ । ନିକଟରେ ସେ କାଞ୍ଚିପୁରମର ଏକ ଶୋରୁମରୁ ଏହି କାର କିଣିଛନ୍ତି । ଏ ସଂପର୍କରେ ସେ କହିଛନ୍ତି ଯେ ୮ ବର୍ଷ ବୟସରେ ମର୍ସିଡିଜ ପାଇଁ ସ୍ୱପ୍ନ ଦେଖିଥିଲେ । କିନ୍ତୁ ଏକ ଗରୀବ ଚାଷୀ ଘରେ ଜନ୍ମ ହୋଇଥିବାରୁ ଏହି ସ୍ୱପ୍ନ ଏକ ଦିବାସ୍ୱପ୍ନ ପରି ଥିଲା । କିନ୍ତୁ ସେ ହାର ମାନିନଥିଲେ । ସାରା ଜୀବନ ପରିଶ୍ରମ କରି ଏକ ଧନୀ ଚାଷୀରେ ପରିଣତ ହେଲେ । କିନ୍ତୁ ଏହା ମଧ୍ୟରେ ପ୍ରାୟ ୮୦ ବର୍ଷ ବିତିଯାଇଛି । କିନ୍ତୁ ଏବେ ତାଙ୍କର ସ୍ୱପ୍ନ ସାକାର ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କର ଏହି ସ୍ୱପ୍ନ ସାକାର ହେବା ଖୁସିରେ ଉକ୍ତ ଗାଡ଼ି ଶୋରୁମ ଟ୍ରାନ୍ସ ମୋଟର୍ସ ପକ୍ଷରୁ ମଧ୍ୟ କେକ୍‌ କାଟି ସେଲିବ୍ରେସନ କରାଯାଇଛି । ଏହି ଅବସରରେ ଅଣାଯାଇଥିବା କେକ୍‌ରେ ମର୍ସିଡିଜର ଲୋଗୋ ଥିଲା ।

ସମ୍ବନ୍ଧିତ ଖବର