ମାତାପିତାଙ୍କୁ କୃଷକଙ୍କ ଅଭିନବ ଶ୍ରଦ୍ଧାଞ୍ଜଳି: କୃଷିକ୍ଷେତରେ ଆଙ୍କିଲେ ପ୍ରତିଛବି

ହାଇଦ୍ରାବାଦ : ଜଣେ କୃଷକ ନିଜ ମାତାପିତାଙ୍କୁ ଏପରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯାହାକୁ ଦେଖି ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି। କୃଷକ ଜଣକ ଧାନକ୍ଷେତରେ ନିଜ ବାପାମାଆଙ୍କର ଏକ ସୁନ୍ଦର ପ୍ରତିଚ୍ଛବି ଆଙ୍କିଛନ୍ତି। ଏହାକୁ କେବଳ ଆକାଶରୁ ବା ଡ୍ରୋନ୍‌ର ଲେନ୍ସ ମାଧ୍ୟମରେ ହିଁ ଦେଖାଯାଇପାରିବ। ନିଜାମାବାଦରୁ ୩୫ କିମି ଦୂର ଗୋଟିଏ ଗାଁରେ ରହୁଥିବା କୃଷକ ଗଙ୍ଗାରାମ ଚିନ୍ନି କୃଷ୍ଣୁଡ଼ୁ ନିଜ କ୍ଷେତର ଫସଲ ଉପରେ ଏହି ଚିତ୍ର ଆଙ୍କିଛନ୍ତି। ଏଥିପାଇଁ ସେ ତିନି ପ୍ରକାର ଧାନ ବିହନର ଉପଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ ତାଙ୍କ ମାତାପିତାଙ୍କର ୨୧ ବର୍ଷ ତଳେ ପରଲୋକ ହୋଇଥିଲା। ସେମାନେ ତାଙ୍କୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇଥିଲେ। ମାତାପିତାଙ୍କୁ ମନେପକାଇବା ଓ ଦୁନିଆକୁ ଦେଖାଇବା ପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି।

ଚିନ୍ତଲୁର ଗାଁର ସବୁଜ କ୍ଷେତ ଉପରେ ଏକ ଡ୍ରୋନ୍ ଉଡ଼ିବା ବେଳେ ଜଣେ ପଗଡ଼ିପିନ୍ଧା ପୁରୁଷ ଓ ଜଣେ ବିନ୍ଦି ଓ ଗହଣାପିନ୍ଧା ମହିଳାଙ୍କ ଛବି ଦେଖିବାକୁ ମିଳିବ। ଚିନ୍ନି କୃଷ୍ଣୁଡ଼ୁଙ୍କ କହିବା ଅନୁସାରେ ସେ ଏଥିପାଇଁ ଜଣେ ଚିତ୍ରକାରଙ୍କର ସାହାଯ୍ୟ ନେଇଥିଲେ। ସେ ତାଙ୍କ ମାତାପିତାଙ୍କର ଏକ ଛବି ଆଙ୍କି ଦେଇଥିଲେ। ସେହି ଛବିକୁ ଦେଖି ସେ ଧାନ କ୍ଷେତରେ ଭିନ୍ନ ଭିନ୍ନ ରଙ୍ଗର ଗଛ ହେଉଥିବା ଧାନ ବିହନ ଯଥା ବଙ୍ଗାରୁ ଗୁଲାବୀ, ପଞ୍ଚରତ୍ନ, ଚିନ୍ତାଲୁରୁ ସନ୍ନାଲୁ କିସମର ବିହନ ପକାଇଥିଲେ। ଯେମିତି ଧାନଗଛ ବଡ଼ ହେଲା ସେ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଏହାର ଫଟୋ ନେଇଥିଲେ। ସେଥିରେ ତାଙ୍କ ବାପା ଓ ମାଆଙ୍କ ପ୍ରତିକୃତି ଜୀବନ୍ତ ପରି ଦେଖାଯାଉଥିଲା। ଚିନ୍ନି କୃଷ୍ଣୁଡ଼ୁ ଜଣେ ପ୍ରଗତିଶୀଳ କୃଷକ। ତାଙ୍କ ପାଖରେ ୧୧୦ କିସମର ଧାନ ବିହନ ରହିଛି।

ସମ୍ବନ୍ଧିତ ଖବର