ଲକ୍ଷ୍ନୌ: ମୋ ଛୁଆକୁ ବଞ୍ଚାଇ ଦିଅ… ନହେଲେ ଯିଏ ମୋ ଛୁଆର ଜୀବନ ନେଇଛି ତାକୁ କଠୋର ଦଣ୍ଡ ଦିଅ… ମୋତେ ନ୍ୟାୟ ଦିଅ… ଗରିବ ବୋଲି କଣ ଆମର ବଡ଼ ହସ୍ପିଟାଲରେ ଚିକିତ୍ସା ହେବାର ଅଧିକାର ନାହିଁ ନା ଆମ ପିଲା ବଞ୍ଚିବାର ଅଧିକାର ନାହିଁ… କୁହନ୍ତୁ ଜିଲ୍ଲାପାଳ ଆଜ୍ଞା… ଜବାବ ଦିଅନ୍ତୁ… ଆଖିରେ ଆଖିଏ ଲୁହ ନେଇ ଏମିତି କାନ୍ଦି କାନ୍ଦି କହୁଛନ୍ତି ଜଣେ ଅସହାୟ ବାପା । ଯିଏ ହସ୍ପିଟାଲର ଚିକିତ୍ସା ଅବହେଳାରୁ ତାଙ୍କ ନବଜାତ ଶିଶୁକୁ ହରାଇଛନ୍ତି ।
କେତେ ସ୍ବପ୍ନ ଦେଖିଥିଲେ ସିଏ ବାପା ହେବେ, ଆଉ ତାଙ୍କ ପିଲାଠୁ ବାପା ଡାକ ଶୁଣିବେ । କିନ୍ତୁ ହାଏ ମେଡିକାଲର ଅବହେଳା ପାଇଁ ତାଙ୍କୁ ବାପ ଡାକ ଶୁଣିବାରୁ ବଞ୍ଚିତ ହେବାକୁ ପଡିଲା । ଗରିବ ବୋଲି ଟଙ୍କା ଅଭାବରୁ ତାଙ୍କ ଛୁଆଟା ମେଡିକାଲ ବେଡରେ ଆଖିବୁଜିଲା । କଣ ଗରିବଟେ ତା ଛୁଆକୁ ମୃତ୍ୟୁ କବଳରୁ ବଞ୍ଚାଇ ପାରିବନି ନା ଏଠି ଗରିବ ଲୋକଙ୍କୁ ଭଲ ଚିକିତ୍ସା ମିଳେନି… ? ଏମିତି କିଛି ପ୍ରଶ୍ନ କରି କାନ୍ଦୁଛନ୍ତି ୟୁପିର ଜଣେ ଅସହାୟ ବାପା ।
ସୂଚନା ଅନୁସାରେ- ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରିର ଗୋଲଦାର ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁର ଅଭିଯୋଗ ଆସିଛି । ବିପିନ ଗୁପ୍ତା କହିଛନ୍ତି- ମୁଁ ହରିଦ୍ବାରରୁ ଫେରୁଥିଲି । ଏତିକିବେଳେ ମୋ ସଢୁ ଫୋନ କଲେ ଯେ ମୋ ସ୍ତ୍ରୀର ଦେହ ବହୁତ ଖରାପ ବୋଲି । ସିଏ ତାଙ୍କୁ ନିକଟସ୍ଥ ଗୋଲଦାର ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ ସର୍ତ୍ତ ରଖିଥିଲେ । କହିଥିଲେ ତମେ ଯଦି ଟଙ୍କା ଖର୍ଚ୍ଚ କରିପାରିବ ତେବେ ଏଠି ଚିକିତ୍ସା କର ନହେଲେ ଅନ୍ୟ କେଉଁଠି ନେଇଯାଅ । ବିପିନଙ୍କ ପତ୍ନୀଙ୍କ ଅବସ୍ଥା ସଂକଟ୍ଟାପନ୍ନ ଥିବାରୁ ସେମାନେ ମେଡିକାଲର ସବୁ ସର୍ତ୍ତରେ ରାଜି ହୋଇ ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ପତ୍ନୀଙ୍କର ଯେତେଯେତେ ସ୍ବାସ୍ଥ୍ୟାବସ୍ଥା ବିଗୁଡୁଥିଲା ମେଡିକାଲ ପକ୍ଷରୁ ସେତେସେତେ ଟଙ୍କା ଦାବି ହେଉଥିଲା । ଏମିତି ଏକ ସମୟ ଆସିଲା ଯେତେବେଳେ ସବୁ ଟଙ୍କା ସରିଗଲା ସେତେବେଳେ ଚିକିତ୍ସା ବନ୍ଦ କରିହେଲା ହୃଦୟହୀନ ହସ୍ପିଟାଲ । ପତ୍ନୀଙ୍କ ଠାରୁ ଜନ୍ମିତ ନବଜାତର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାର ବି ଚିକିତ୍ସା ବନ୍ଦ କରିଦିଯାଇଥିଲା । ଟଙ୍କା ଅଭାବରୁ… ଶେଷରେ ଚିକିତ୍ସା ଅବହେଳାରୁ ଆଖିବୁଜିଲା ଦୁନିଆକୁ ନୂଆ ନୂଆ ଆସିଥିବା କଅଁଳା ଶିଶୁଟି ।