କିବ୍: ୟୁକ୍ରେନ୍ ରାଜଧାନୀ କିବ୍ ଏବଂ ଅନ୍ୟ ପ୍ରମୁଖ ସହରରେ ରୁଷ୍ ପୁଣିଥରେ ପ୍ରଚଣ୍ଡ ଆକ୍ରମଣ କରିଛି। ଭିତ୍ତିଭୂମି ଗୁଡ଼ିକୁ ଟାର୍ଗେଟ୍ କରି ରୁଷ୍ କ୍ଷେପଣାସ୍ତ୍ର ବର୍ଷା କରିଛି। ଆକ୍ରମଣ ଯୋଗୁ କିବ୍ରେ ୮୦ ପ୍ରତିଶତ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିଛି। ଅନେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି। ଖାରକିଭରେ ରାସ୍ତାଘାଟ ବି ଅନ୍ଧାର ହୋଇଯାଇଛି। ରୁଷ୍ ସୋମବାର ସକାଳଠାରୁ କିବ୍ରେ ପ୍ରାୟ ୫୦ କ୍ରୁଜ୍ ମିସାଇଲ୍ ମାଡ଼ କରିଥିଲା। ତେବେ ୟୁକ୍ରେନ୍ ଏଥିରୁ ୪୪ଟି ମିସାଇଲକୁ ଖସାଇ ଦେଇଥିବା ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ଦାବି କରିଛନ୍ତି। ଇରାନ୍ ନିର୍ମିତ କାମିକାଜ ଡ୍ରୋନ୍ ବ୍ୟବହାର କରି ଏବଂ ମିସାଇଲ ମାଡ଼ କରି ରୁଷ୍ ୟୁକ୍ରେନ୍ର ତୃତୀୟ ବିଦ୍ୟୁତ ଭିତ୍ତିଭୂମିକୁ ଧ୍ବଂସ କରିଦେଇଛି।
ୟୁକ୍ରେନ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି, ରୁଷ୍ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରିବା ପରିବର୍ତ୍ତେ, ନାଗରିକଙ୍କ ସହ ଲଢ଼େଇ କରୁଛି। ରୁଷ୍ର ମୁକାବିଲା ପାଇଁ ୟୁକ୍ରେନ୍ ଅଧିକ ସାମରିକ ସହାୟତା ଚାହିଛି। ରକେଟ ମାଡ଼ ଯୋଗୁଁ ଇଲେକ୍ଟ୍ରିକ ସବ୍ଷ୍ଟେସନ, ହାଇଡ୍ରୋପାୱାର ଏବଂ ହିଟ୍ ଜେନେରେସନ କେନ୍ଦ୍ର ପ୍ରଭାବିତ ହୋଇଛି। ଏହା ଅତି ବର୍ବର ଆକ୍ରମଣ ବୋଲି ୟୁକ୍ରେନ ଶକ୍ତି ମନ୍ତ୍ରୀ ହେରମାନ କହିଛନ୍ତି। ୟୁକ୍ରେନ୍ ବିଦେଶ ମନ୍ତ୍ରୀ କହିଛନ୍ତି, ରୁଷ୍ ପାଖରେ ଏବେ ବି କ୍ଷେପଣାସ୍ତ୍ର ଅଛି ଏବଂ ୟୁକ୍ରେନ୍ ନାଗରିକଙ୍କୁ ମାରିବାର ଇଚ୍ଛା ଅଛି। ସେଥିପାଇଁ ଏହା ମିସାଇଲ ମାଡ଼ କରୁଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଓଲେଗ ନିକୋଲେଙ୍କୋ କହିଛନ୍ତି, କିବ୍ର ଶକ୍ତି ଭିତ୍ତିଭୂମି ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ରୁଷ୍ ଶାନ୍ତି କଥାବାର୍ତ୍ତା କିମ୍ବା ବୈଶ୍ବିକ ଖାଦ୍ୟ ସୁରକ୍ଷା ଦିଗରେ ଆଗ୍ରହୀ ନୁହେଁ। ପୁଟିନଙ୍କ ଏକମାତ୍ର ଲକ୍ଷ୍ୟ ହେଉଛି ମୃତ୍ୟୁ ଏବଂ ବିପର୍ଯ୍ୟୟ ବୋଲି ସେ କହିଛନ୍ତି।