କୋଲକାତା ବିମାନବନ୍ଦରରେ ତିମି ଆକୃତିର ବିଶାଳ ବିମାନ

କୋଲକାତା : ବିଶାଳ ତିମି ଆକୃତିର ବିମାନ ‘ଏୟାରବସ୍ ବେଲୁଗା’ ରବିବାର କୋଲକାତା ବିମାନବନ୍ଦରରେ ଅବତରଣ କରିଥିଲା। ବିମାନବନ୍ଦର ଦେଇ ଆତଯାତ ହେଉଥିବା ଲୋକମାନଙ୍କ ପାଇଁ ଏହା ଏକ ସାମୟିକ ପ୍ରଦର୍ଶନୀରେ ପରିଣତ ହୋଇଥିଲା। ଦର୍ଶକଙ୍କ ଉତ୍ସାହର ମୁଖ୍ୟ କାରଣ ହେଲା ଏହାର ବିରାଟ ଆକାର। ତିମି ଆକୃତିର ବିମାନଟି ସାଧାରଣତଃ ଅତି ବଡ଼ ଆକାରର ମାଲ ପରିବହନ ପାଇଁ ବ୍ୟବହୃତ ହୋଇଥାଏ, ଯାହା ଏହି ଅଞ୍ଚଳକୁ କ୍ବଚିତ୍ ଆସେ। ଅହମଦାବାଦରୁ ଆସି ରବିବାର ମଧ୍ୟାହ୍ନ ୧୨ଟା ୩୦ରେ ଏହା କୋଲକାତା ବିମାନବନ୍ଦରରେ ଅବତରଣ କରିବା ପରେ ରାତି ୯ଟାରେ ଥାଇଲାଣ୍ଡ ଉଦ୍ଦେଶ୍ୟରେ ଯାତ୍ରା କରିଛି।

ବିଶାଳକାୟ ବିମାନଟି ଅବତରଣ କରିବା ପରେ କୋଲକାତା ବିମାନବନ୍ଦର ପକ୍ଷରୁ ଟ୍ବିଟ୍ କରାଯାଇଥିଲା- ‘‘ଅନୁମାନ କଲ, କିଏ ଆସିଛି! ପୁଣିଥରେ ତିମି ଆସିଛି! ଇନ୍ଧନ ଭରିବା ଏବଂ କର୍ମଚାରୀଙ୍କ ବିଶ୍ରାମ ପାଇଁ ବିଶ୍ବର ଅନ୍ୟତମ ବୃହତ୍ତମ ବିମାନ ‘ଏୟାରବସ୍ ବେଲୁଗା’ (ନଂ ୩) କୋଲକାତା ବିମାନବନ୍ଦରରେ ଅବତରଣ କରିଛି।’’ ଅନେକ ବିମାନଯାତ୍ରୀ ୫୫ ମିଟର ଦୀର୍ଘ ଓ ୪୫ ମିଟର ଚଉଡ଼ାର ଏହି ବୃହଦାକାର ବିମାନର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର