ଆଜି ପୃଥିବୀ ନିକଟ ଦେଇ ଗତି କରିବ ବିପର୍ଯ୍ୟୟୀ କ୍ଷମତା ଥିବା ବିଶାଳ ପଥର ଖଣ୍ଡ, ନଜର ରଖିଛି ନାସା

ନୂଆଦିଲ୍ଲୀ: ମହାକାଶରେ ପୃଥିବୀ ଆଡକୁ ମାଡି ଆସୁଛି ଏକ ବିଶାଳ ପଥର ଖଣ୍ଡ । ଆଜି ପୃଥିବୀଠାରୁ ଏହା  ଅଳ୍ପ ଦୂରତାରେ ଅତିକ୍ରମ କରିବ ବୋଲି ସୂଚନା ଦେଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଜେଟ୍ ପ୍ରପଲସନ୍ ଲାବୋରୋଟୋରି। ମହାକାଶ ବିଜ୍ଞାନରେ ଏପରି ପଥର ଖଣ୍ଡକୁ ଆଷ୍ଟ୍ରଏଡ୍ ବୋଲି କୁହାଯାଇଥାଏ ।  ନାସାର ନିଅର ଆର୍ଥ ଅବଜେକ୍ଟ ଷ୍ଟଡି ସମୟରେ ଏହି ଆଷ୍ଟ୍ରଏଡର ଗତିବିଧି ସ୍ପଷ୍ଟ ହୋଇଛି ।  ନାସା ସୂଚନା ଅନୁସାରେ ଏହି ବିଶାଳ ମହାକାଶୀୟ ପଥର ଖଣ୍ଡ ଆଜି ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ପୃଥିବୀ ଯେପରି ସୂର୍ଯ୍ୟ ଚାରିପଟେ ଅତିକ୍ରମ କରିଥାଏ, ସେହିପରି ଏହି ଆଷ୍ଟ୍ରଏଡ୍ ଗୁଡିକ ମଧ୍ୟ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରିଥାନ୍ତି । ଏହି ପରିକ୍ରମଣ ସମୟରେ ବେଳେ ବେଳେ ଏଗୁଡିକ ପୃଥିବୀର ନିକଟତର ହୋଇଥାନ୍ତି ।

ତେବେ ନାସା ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଏହି ଆଷ୍ଟ୍ରଏଡଟି ପୃଥିବୀ ଠାରୁ ନିରାପଦ ଦୂରତାରେ ରହି ଯାତ୍ରା କରିବ । ଏପରିକି ଏହା ପୃଥିବୀର ବାୟୁମଣ୍ଡଳ ବାହାରେ ଯାତ୍ରା କରିବ । ନାସା ସୂଚନା ଅନୁସାରେ ଏହି ଆଷ୍ଟ୍ରଏଡ ନିକଟରେ ବିପର୍ଯ୍ୟୟ ସୃଷ୍ଟି କରିବାର କ୍ଷମତା ରହିଛି । ତେବେ ଏହା ପୃଥିବୀ ଠାରୁ ନିରାପଦ ଦୂରତାରେ ଯାତ୍ରା କରୁଥିବାରୁ ପୃଥିବୀ ପ୍ରତି କୌଣସି ବିପଦ ନଥିବା କୁହାଯାଇଛି । ପ୍ରଥମ ଥର ପାଇଁ ଏହି ମହାକାଶୀୟ ବସ୍ତୁକୁ ଜୁଲାଇ ୨୦୦୨ ମସିହାରେ ଠାବ କରିଥିଲା ନାସା , ଯାହା ଆଜି ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଏହି ଆଷ୍ଟ୍ରଏଡ୍ ଗୁଡିକରେ ସାଧାରଣତଃ ବରଫ ଓ ଧୂଳିକଣା ଭରି ରହିଥାଏ ।

ତୀବ୍ର ଗତିରେ ଗତି କରୁଥିବା ଏହି ଆଷ୍ଟ୍ରଏଡଗୁଡିକ ପ୍ରାୟ ସାଢେ ୪ ମିଲିୟନ ବର୍ଷ ତଳେ ସୃଷ୍ଟି ହୋଇଥିବା ନାସା କହିଛି । ଅନେକ ସମୟରେ ପୃଥିବୀ ପ୍ରତି ନିକଟତର ହେବା ବେଳେ ମାଧ୍ୟାକର୍ଷଣ ଶକ୍ତି କାରଣରୁ ବାୟୁମଣ୍ଡଳକୁ ଧସେଇ ପଶିଥାନ୍ତି ଆଷ୍ଟ୍ରଏଡ୍ ଗୁଡିକ । ବାୟୁମଣ୍ଡଳରେ ଏହା ଘର୍ଷଣ କାରଣରୁ ଭୂମିରେ ପଡିବା ଆଗରୁ ଜଳି ପାଉଁଶ ହୋଇଯାଇଥାନ୍ତି । ବହୁତ କମ୍ ମହାକାଶୀୟ ବସ୍ତୁ ହିଁ ବାୟୁମଣ୍ଡଳକୁ ଭେଦ କରି ପୃଥିବୀ ପୃଷ୍ଠକୁ ସ୍ପର୍ଶ କରିଥାନ୍ତି । ଏପରି ଘଟିଲେ ବଡ ଧରଣର ଆଶଙ୍କାକୁ ଏଡାଇ ହେବନି ।

ସମ୍ବନ୍ଧିତ ଖବର