ଶ୍ରୀନଗର: ବର୍ଷା ପାଇଁ ଟ୍ରାକରୁ ଖସିଲା ଟ୍ରେନ୍ । ରେଳ ଧାରଣାରୁ ଲାଇନ୍ ଚ୍ୟୁତ ହେଲା ମାଲବାହୀ ଟ୍ରେନ । ପ୍ରବଳ ବର୍ଷା ପରେ ଟ୍ରାକ୍ ନଷ୍ଟ ହୋଇଯିବା ଫଳରେ ଏଭଳି ଅଘଟଣ ହୋଇଛି । ମାଲବାହୀ ଟ୍ରେନଟି ଜାମ୍ମୁରୁ ପଞ୍ଜାବ ଯିବାବେଳେ କାଠୁଆ ଜିଲ୍ଲା ସ୍ଥିତି ଲଖନପୁର ଠାରେ ଲାଇନଚ୍ୟୁତ ହୋଇଛି । 

Advertisment

ତେବେ ଆଜି ସକାଳେ ଏଭଳି ଅଘଟଣ ଘଟିଥିବା ବେଳେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଫଳରେ ମାଟି ଏବଂ ପଥର ଧସି ଆସି ଟ୍ରାକରେ ପଡିଥିଲା ଯେଉଁଥି ପାଇଁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପରେ ଉଦ୍ଧାର ଉଦ୍ୟମ ସହ ପୁନରୁଦ୍ଧାର କାମ ଜାରି ରହିଛି । ରେଳବାଇ ଟ୍ରାକମ୍ୟାନ୍ ରାମ ବାହାଦୁର କହିଛନ୍ତି, ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା, ଯାହା ଫଳରେ ସମସ୍ତ ଭଗ୍ନାବଶେଷ ଟ୍ରାକ ଉପରେ ପଡିଥିଲା । ଏହି କାରଣରୁ ଟ୍ରେନଟି ଲାଇନଚ୍ୟୁତ ହୋଇଛି ।

ସେପଟେ ଲଗାଣ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ । ସକାଳେ ଭୂକମ୍ପରେ ଦିଲ୍ଲୀ ଥରିଥିବା ବେଳେ ବର୍ଷା ପାଇଁ ହନ୍ତସନ୍ତ ହୋଇଛନ୍ତି ଲୋକେ । ଲଗାଣ ବର୍ଷା ଫଳରେ ବଢିଛି ଯମୁନା ନଦୀର ଜଳସ୍ତର । ଫଳରେ ଆଗାମୀ ଦିନରେ ଜଳବନ୍ଦୀ ମସସ୍ୟା ଭୟଙ୍କର ହେବା ନେଇ ଆଶଙ୍କା କରାଯାଉଛି ।

ଅନ୍ୟପଟେ ହରିୟାଣାର ଗୁରୁଗ୍ରାମ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି । ଗତକାଲି ବର୍ଷାର ପରିମାଣ ଏତେ ଥିଲା ଯେ ସହର ପୂରା ଉବୁଟୁବୁ ଡାକିଥିଲା । ରାସ୍ତା, ଘାଟ, ପେଟ୍ରୋଲ ପମ୍ପ, ମନ୍ଦିର, ଅଫିସ, ବଜାର ସବୁ ବୁଡିଥିଲା । ରାସ୍ତାରେ ବାଇକ୍ ଭାସି ଯାଉଥିଲା, ଅନ୍ୟାନ୍ୟ ଗାଡି ଫସି ରହିଥିଲା । ଏକପ୍ରକାର ଗୁରୁଗ୍ରାମରେ ଲୋକେ ତ୍ରାହି ତ୍ରାହି ଡାକିଥିଲେ । ଆଉ ଆଜି ବି ଗୁରୁଗ୍ରାମର ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇ ରହିଛି ।