ହାଇଦ୍ରାବାଦ/ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି। ଦେଶରେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ ‘ବୋଇତ ବନ୍ଦାଣ’ ଭାବରେ ପାଳନ କରାଯାଇଥାଏ। ସମୃଦ୍ଧ ସାମୁଦ୍ରିକ ନୌବାଣିଜ୍ୟ ଇତିହାସକୁ ସ୍ମରଣ କରିବା ସହ ସାଧବ ପୁଅଙ୍କୁ ସମ୍ମାନ ଜଣାଇବାର ଏହା ମହାନ ଅବସର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ସ୍କୁଲ୍ ଅଫ୍ ବିଜନେସ କ୍ୟାମ୍ପସ ପରିସରରେ ଆୟୋଜିତ ‘ଆଇଏସବି ଇନସାଇଟ୍ସ ଫୋରମ’ର ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ, କାର୍ତ୍ତିକ ପୂର୍ଣ୍ଣିମା ପ୍ରାଚୀନ ଉତ୍କଳର ସମୃଦ୍ଧ ସାଧବ ସଂସ୍କୃତି ଓ ବର୍ଣ୍ଣାଢ଼୍ୟ ବୋଇତ ବନ୍ଦାଣ ପରମ୍ପରାର ଦୃଢ଼ ଗୌରବଗାଥା। ବୋଇତ ବନ୍ଦାଣ ହେଉଛି ଅନ୍ୱେଷଣ ଓ ଉଦ୍ୟୋଗୀ ଭାବନାର ଏକ ଅନନ୍ୟ ଉତ୍ସବ। ସାରା ବିଶ୍ୱ ଆଜି ଭାରତକୁ ବୃହତ ଭରସା ଦୃଷ୍ଟିରେ ଦେଖୁଛି। ଭାରତର ଉଦ୍ୟମିତା କ୍ଷମତା ଓ ବୌଦ୍ଧିକ ଦକ୍ଷତା ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ ଭାବେ କାର୍ଯ୍ୟ କରିବ। 

Advertisment

‘ଆଇଏସ୍‌ବି ଇନସାଇଟ୍‌ସ ଫୋରମ’ର ବୋଇତ ବନ୍ଦାଣ ଉତ୍ସବ

ଶିକ୍ଷା ହେଉଛି ସମସ୍ତ ସଭ୍ୟତାର ଆବଶ୍ୟକତାକୁ ପୂରଣ କରିବାର ଜନନୀ। ତେଣୁ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଏକବିଂଶ ଶତାବ୍ଦୀର ସ୍ଥାନୀୟ ଓ ବିଶ୍ୱସ୍ତରୀୟ ଆକାଂକ୍ଷାକୁ ସାକାର କରିବାର ଏକ ଉତ୍ତମ ମାର୍ଗ। ଲୋକକଲ୍ୟାଣକୁ ବ୍ୟାପକ କରିବା ଦିଗରେ ଗବେଷଣା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଇଣ୍ଡିଆନ ସ୍କୁଲ୍ ଅଫ୍ ବିଜନେସ ନିଜର ଦୁଇ ଦଶନ୍ଧିର ଯାତ୍ରା ମଧ୍ୟରେ ଅନେକ ଉତ୍କର୍ଷତା ହାସଲ କରିଛି। ଗ୍ରାମୀଣ ବିକାଶ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, କର୍ପୋରେଟ୍ ଗଭର୍ଣ୍ଣାନ୍ସ, ଏଆଇ ଭଳି ଅଣ-ଷ୍ଟେମ୍ କ୍ଷେତ୍ରରେ ଗବେଷଣା ବିଷୟବସ୍ତୁକୁ ସାଧାରଣ ଉଦ୍ଦେଶ୍ୟ ପ୍ରଯୁକ୍ତିବିଦ୍ୟା ଭାବରେ ଗୁରୁତ୍ୱ ଦିଆଯାଉଛି। ଆଇଏସବିର ଗବେଷଣା ପ୍ରୟାସ ଅନ୍ୱେଷଣ, ଉଦ୍ଭାବନ ଓ ଉଦ୍ୟୋଗୀ ଭାବନାକୁ ବଢ଼ାଇବ। ନୂଆ ଆବିଷ୍କାର କରିବା ସହ ଲୋକ କଲ୍ୟାଣରେ ବ୍ରତୀ ରହିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।