ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ଅଧ୍ୟାପକ ଏବଂ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ଶିକ୍ଷାବିତ୍

ଭୁବନେଶ୍ବର: ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ – ୨୦୨୦ ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ବି ରାଜ୍ୟ ସରକାର ଏବଂ ଓପିଏସସି ସେହି (ସଂଶୋଧନ) ଅଧିନିୟମ ଦ୍ୱାରା ଅଧ୍ୟାପକ ଏବଂ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି, ଯାହା ଏକ ଅପରାଧ। ଯଦି ସରକାର ଏଥିରୁ ବିରତ ନ ହୁଅନ୍ତି ତେବେ ଆମେ କଣ୍ଟେମ୍ପଟ ପିଟିସନ ଦାଖଲ କରିବୁ। ଏହା କହିଛନ୍ତି ପିଟିସନର୍ ପ୍ରଫେସର ଅଜିତ ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଏହି (ସଂଶୋଧନ) ଅଧିନିୟମ ବିରୁଦ୍ଧରେ ପୂର୍ବତନ ବିଶ୍ୱବିଦ୍ୟାଳୟ କୁଳପତି, ଅବସରପ୍ରାପ୍ତ ଅଧ୍ୟାପକ, ପ୍ରଫେସରମାନେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅବମାନନା କରି ରାଜ୍ୟ ସରକାର ଏବଂ ଓପିଏସସି ନିଯୁକ୍ତି ପ୍ରକ୍ରିୟା ତଥା ଅନ୍ୟାନ୍ୟ ପଦକ୍ଷେପ ଜାରି ରଖିଥିବାରୁ ଆମେ ସୁପ୍ରିମକୋର୍ଟରେ ଏକ ଅବମାନନା ଆବେଦନ ଜାରି ରଖିଛୁ। ଅପରାଜିତ ଅଧିନିୟମ ଅନୁଯାୟୀ କରାଯାଇଥିବା ସମସ୍ତ ନିଯୁକ୍ତିକୁ ଅବୈଧ ଘୋଷଣା କରିବାକୁ ଆମେ ଏକ ଆବେଦନ ଉପରେ ମଧ୍ୟ ବିଚାର କରୁଛୁ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ – ୨୦୨୦ ଉପରେ ସୁପ୍ରିମକୋର୍ଟ ୩ ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)କୁ ପତ୍ର ଲେଖିଛନ୍ତି। ଗତ ୨୦ ତାରିଖରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ଉପରେ ମାନ୍ୟବର ସୁପ୍ରିମକୋର୍ଟ ରହିତାଦେଶ ଲଗାଇଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଓ ୟୁପିଏସସି ଉଲ୍ଲଂଘନ କରୁଥିବା ନେଇ ୟୁଜିସି ପତ୍ରରେ ଉଲ୍ଲେଖ କରିଛି।

Zee News

ୟୁଜିସି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ସଚିବ ଏବଂ ଓପିଏସସିକୁ ଲେଖିଥିବା ପୃଥକ ପୃଥକ ପତ୍ରରେ ଉଲ୍ଲେଖ କରିଛି ଯେ ମଇ ୨୩ ତାରିଖରେ ଓପିଏସସି ସମାଜବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳାଫଳ ଏବଂ ମଇ ୨୪ ତାରିଖରେ ବାଣିଜ୍ୟର ଆସିଷ୍ଟାଣ୍ଟ୍ ପ୍ରଫେସର ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସୁପ୍ରିମକୋର୍ଟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ନେଇ ଏସଏଲପି ବିଚାରଧୀନ ରହିଛି । ତେଣୁ ଓପିଏସସି ଦ୍ୱାରା ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଚୟନ ବୋର୍ଡ(ଏସଏସବି)ର ଅଣଶିକ୍ଷକଙ୍କ ନିଯୁକ୍ତିର ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି ।
ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକସେବା ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ଏହି ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରୁହନ୍ତୁ। ନଚେତ୍ ଏଥିରେ ଅବମାନନା କଲେ ଆବଶ୍ୟକ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ପତ୍ରରେ ତାଗିଦ୍ କରିଛି।

ସମ୍ବନ୍ଧିତ ଖବର