ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷର ଯନ୍ତ୍ରଣାରୁ ମିଳିବ ମୁକ୍ତି । ପୁଣି ପୂର୍ବଭଳି ହସିବ ଏବଂ ଖେଳିବ ଘଟଗାଁର କୁନି ପୁଅ ବାଦଲ । ନିକଟରେ କୋଲକାତାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାର ବିରଳ ଅସ୍ତ୍ରୋପଚାର କରାଯାଇ ହୃତପିଣ୍ଡ ପ୍ରତିରୋପଣ କରାଯାଇଛି, ଯାହାକି ଓଡ଼ିଶାର ପ୍ରଥମ ଘଟଣା ବୋଲି କହିଛନ୍ତି ବାଦଲକୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କୋଲକାତା ନେଇଥିବା ଡାକ୍ତର ମାନସ ପଣ୍ଡା ।
Sambad is now on WhatsApp
Join and get latest news updates delivered to you via WhatsApp
ହାର୍ଟ ଟ୍ରାନ୍ସପ୍ଲାଂଟ ଅର୍ଥାତ୍ ହୃତପିଣ୍ଡ ପ୍ରତିରୋପଣ ହେଉଛି ଏକ ବିରଳ ଅସ୍ତ୍ରୋପଚାର । ଜଣେ ମସ୍ତିଷ୍କ ଅଚଳ ବା ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ହୃତପିଣ୍ଡ କାଢି ଜଣେ ହୃଦରୋଗୀଙ୍କଠାରେ ପ୍ରତିରୋପଣ କରାଯାଏ । ଏଥିରେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ହୃତପିଣ୍ଡକୁ କାଢି ହାର୍ଟ ବକ୍ସରେ ରଖିଦିଅନ୍ତି ଡାକ୍ତର । ସେହି ସମୟ ଭିତରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ଅପେକ୍ଷା କରିଥିବା ରୋଗୀଙ୍କୁ ଅପରେସନ୍ ଥ୍ରିଏଟରରେ ପ୍ରସ୍ତୁତ କରି ରଖାଯାଇଥାଏ । ଆଉ ସେହି ହୃତପିଣ୍ଡକୁ ଆଣି ପ୍ରତିରୋପଣ କରିବା ପରେ ଜୀବନ ଫେରି ପାଇଥାନ୍ତି ଜଣେ ହୃଦରୋଗୀ ।
କେନ୍ଦୁଝର ଘଟଗାଁ ବ୍ଲକ୍ କୁଣ୍ଡପୀଠା ଗାଁର ରବୀନ୍ଦ୍ର ପଇଦାଙ୍କ ପୁଅ ବାଦଲ । ୩ ବର୍ଷ ତଳେ କୁନି ପୁଅ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାକୁ ନେଇଥିଲେ ରବୀନ୍ଦ୍ର । ଜନ୍ମରୁ ବାଦଲ ହୃଦରୋଗରେ ପୀଡିତ ଥିବାରୁ ହୃତପିଣ୍ଡ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର। ଅର୍ଥ ଅଭାବରୁ ବାଦଲଙ୍କ ଚିକିତ୍ସା ଅଟକି ରହିଥିବା ବେଳେ ହାର୍ଟ ଟ୍ରାନ୍ସପ୍ଲାଂଟ ବାବଦ ସମସ୍ତ ଖର୍ଚ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ହେଲେ କରୋନା ଯୋଗୁଁ ହୃତପିଣ୍ଡ ଦାତା ମିଳି ନଥିଲେ କି ବାଦଲର ହାର୍ଟ ଟ୍ରାନ୍ସପ୍ଲାଂଟ ହୋଇ ପାରିନଥିଲା । ସୌଭାଗ୍ୟବଶତଃ ୩ଦିନ ତଳେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଘଟଗାଁର ବାଦଲଙ୍କ ଦେହରେ ହାର୍ଟ ଟ୍ରାନ୍ସପ୍ଲାଂଟ ହୋଇଛି, ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
କୋଲକାତାସ୍ଥିତ ନାରାୟଣ ମଲ୍ଟି ହସ୍ପିଟାଲରୁ ବାଦଲଙ୍କ ବାପା ରବୀନ୍ଦ୍ରଙ୍କୁ ଫୋନ ଆସେ, ହୃତପିଣ୍ଡ ଦାତା ବା ହାର୍ଟ ଡୋନର ମିଳିଯାଇଛନ୍ତି । ସେ ହାର୍ଟ ବା ହୃତପିଣ୍ଡ ଏବଂ ବୃକକ ବା କିଡନୀ ଦାନ କରିବେ । ତୁରନ୍ତ ବାଦଲକୁ ଆଣି ଡାକ୍ତରଖାନାରେ ପହଂଚନ୍ତୁ, ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଂଟ କରାଯିବ । ଏହାପରେ ଫୋନ କଲ ପାଇଁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ମାନସ କୁମାର ପଣ୍ଡା ନେତୃତ୍ୱରେ ଆମ୍ବୁଲାନ୍ସରେ ବାଦଲଙ୍କୁ କୋଲକାତାସ୍ଥିତ ନାରାୟଣ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମଙ୍ଗଳବାର ଦିନ ରାତି ପ୍ରାୟ ସାଢେ ୮ଟାରେ ତାଙ୍କ ଦେହରେ ହୃତପିଣ୍ଡ ପ୍ରତ୍ୟାରୋପଣ କରାଯାଇଥିଲା ବୋଲି ଡାକ୍ତର ମାନସ ସୂଚନା ଦେଇଛନ୍ତି ।