ଓଡ଼ିଶା ପାଇଁ ଐତିହାସିକ ଦିନ: ଦ୍ରୌପଦୀ ମୁର୍ମୁଙ୍କ ମୁଣ୍ଡରେ ସୁନା କଳସ, ରାଷ୍ଟ୍ରପତି ହେବେ ଓଡ଼ିଆ ନେତ୍ରୀ

ଦେଶର ମହାନ ରାଷ୍ଟ୍ରପତି ହେବା ନେଇ ଆଶାବାଦୀ: ମୋଦୀ

ଓଡ଼ିଶା ପାଇଁ ଐତିହାସିକ ଦିନ

ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି କ୍ଷମତାସୀନ ଏନଡିଏ। ଭୋଟ୍ ଗଣିତ ସଙ୍କେତ ଦେଉଛି ଯେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ। ଯଦି ଏମିତି ହୁଏ, ତାହାହେଲେ ସେ ହେବେ ପ୍ରଥମ ଆଦିବାସୀ ରାଷ୍ଟ୍ରପତି। ପୂର୍ବରୁ ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବେ ୧୯୬୯ ମସିହାରେ ଭି ଭି ଗିରି ନିର୍ବାଚିତ ହୋଇଥିଲେ। ତେଲୁଗୁ ଭାଷୀ ହୋଇଥିଲେ ହେଁ, ସେ
ଓଡ଼ିଶାର ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ଖଲିକୋଟରେ ପାଠ ପଢ଼ିଥିଲେ।

ଦେଶର ମହାନ ରାଷ୍ଟ୍ରପତି ହେବା ନେଇ ଆଶାବାଦୀ: ମୋଦୀ

ଆଦିବାସୀ ଓ ମହିଳା କାର୍ଡ ଖେଳିଲେ
ପୂର୍ବଭାରତ ଅଭିଯାନ ଓ ଓଡ଼ିଶା ଆଭିମୁଖ୍ୟ ସ୍ପଷ୍ଟ
ଦେଶ ଚକିତ, ଚାପରେ ଆଦିବାସୀ ବହୁଳ ରାଜ୍ୟ

ନୂଆଦିଲ୍ଲୀ/ଭୁବନେଶ୍ବର: କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି? ଦେଶର ଏହି ସର୍ବୋଚ୍ଚ ପଦବି ଲାଗି ପ୍ରାର୍ଥୀଙ୍କ ନାମକୁ ନେଇ ଗତ କିଛି ଦିନ କଳ୍ପନାଜଳ୍ପନା ଚାଲିଥିଲା। ଆଜି ସେଥିରେ ଅବସାନ ଘଟାଇ ଉଭୟ କ୍ଷମତାସୀନ ଏନ୍‌ଡିଏ ଏବଂ ବିରୋଧୀମାନେ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବାହ୍ନରେ ମିଳିତ ବିରୋଧୀ ଦଳ ଯଶଵନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାତିରେ ଓଡ଼ିଶାର ବିଜେପି ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଏନ୍‌ଡିଏ। ଆଜି ସନ୍ଧ୍ୟାରେ ବିଜେପି ସଂସଦୀୟ ଦଳ ବୈଠକରେ ତା‌ଙ୍କୁ ପ୍ରାର୍ଥୀ କରିବା ଲାଗି ସ୍ଥିର କରାଯାଇଛି। ବୈଠକରେ ୨୦ ଜଣଙ୍କ ନାମ ଉପରେ ବିଚାରବିମର୍ଶ କରିବା ପରେ ଦ୍ରୌପଦୀଙ୍କ ନାମକୁ ଅନୁମୋଦନ ମିଳିଥିଲା। ପରେ ଆଦିବାସୀ ମହିଳାଙ୍କୁ ଚୟନ କରିବା ଲାଗି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି ବୋଲି ‌ବିଜେପି ମୁଖ୍ୟ ଜେ ପି ‌ନଡ୍ଡା ଘୋଷଣା କରିଥିଲେ। ନିର୍ବାଚିତ ହେଲେ ଦ୍ରୌପଦୀ ହେବେ ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ବିତୀୟ ମହିଳା ରାଷ୍ଟ୍ରପତି। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ। ଏପଟେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନର ସର୍ବୋଚ୍ଚ ପଦବି ଲାଗି ଓଡ଼ିଶାର ଆଦିବାସୀ ନେତ୍ରୀ ଶ୍ରୀମତ୍ରୀ ମୁର୍ମୁଙ୍କ ନାମ ଘୋଷଣା କରି ବିଜେପି ସମସ୍ତଙ୍କୁ ଚକିତ କରିଛି। ଏଭଳି ନିଷ୍ପତ୍ତି ନେଇ ବିଜେପି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ପୂର୍ବ ଭାରତ ଅଭିଯାନ ଏବଂ ଓଡ଼ିଶା ସଂପର୍କରେ ତାର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଦଳ ଏକାସାଙ୍ଗରେ ଆଦିବାସୀ ଓ ମହିଳା କାର୍ଡ ଖେଳିଛି ଏବଂ ଓଡ଼ିଶାର ଶାସକ ବିଜୁ ଜନତା ଦଳ ସମେତ ସବୁ ଆଦିବାସୀ ବହୁଳ ରାଜ୍ୟକୁ ସମର୍ଥନ କରିବା ଲାଗି ଏକପ୍ରକାର ଚାପରେ ରଖିଛି। ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଟ୍ବିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ସହିତ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବ ନେଇ ଆଲୋଚନା କରିଥିଲେ ଓ ଏହା ଓଡ଼ିଶା ପାଇଁ ସବୁଠାରୁ ଗୌରବର ମୁହୂର୍ତ୍ତ। ଅର୍ଥାତ୍ ବିଜେଡି ଯେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବ, ଏକଥା ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୫ ତାରିଖରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି।

ଏସବୁସହିତ ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥିତ୍ବକୁ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି। ରାଜନୈତିକ ବିଶେଷଜ୍ଞଙ୍କ ଆକଳନ ଭୁଲ୍ ପ୍ରମାଣିତ ହୋଇଛି। ଭାରତର ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ୍‌ ନକ୍‌ଭି, ଏଭଳି ୨୦ଜଣ ଚର୍ଚ୍ଚିତ ନେତା ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଅଛନ୍ତି ବୋଲି ମାସ ମାସ ଧରି ସମଗ୍ର ଦେଶରେ ବ୍ୟାପକ ଚର୍ଚ୍ଚା ଆଲୋଚନା ଚାଲିଥିଲା। ହେଲେ ବିଜେପି ଆଜି ୧୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ଦଳ ବୈଠକରେ ଦ୍ରୌପଦୀଙ୍କ ନାମରେ ମୋହର ମାରି ଭିନ୍ନ ଏକ ରାଜନୈତିକ ଗୋଟି ଚାଳନା କରିଛି। ଆଜି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼କାରୀ, ବିଜେପି ସଭାପତି ଜେପି ନଡ୍ଡା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବ‌ରାଜ ସିଂହ ଚୌହାନ ପ୍ରମୁଖ ‌ଯୋଗ ଦେଇଥିଲେ। ଦ୍ରୌପଦୀଙ୍କ ନାମ ଘୋଷଣା ପୂର୍ବରୁ ରାଜନାଥ, ଶାହ ଏବଂ ନଡ୍ଡା ଆଜି ଦିନରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କୁ ଭେଟି ଆଲୋଚନା କରିଥିଲେ। ଏହା ପରେ ଭେଙ୍କିୟା ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଗଣମାଧ୍ୟମ ମୁଖର ହୋଇପଡ଼ିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଦ୍ରୌପଦୀଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିଛି। ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ‌ଭୋଟ୍‌ ଗ୍ରହଣ ହେବ ଏବଂ ୨୧ ତାରିଖରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଜୁନ୍‌ ୨୯ ରଖାଯାଇଛି।

୨୦୧୫ ମସିହାରେ ଦ୍ରୌପଦୀ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ। ଓଡ଼ିଶାର ସାନ୍ତାଳ ଆଦିବାସୀ ସଂପ୍ରଦାୟର ଦ୍ରୌପଦୀ ଜଣେ ଶିକ୍ଷୟିତ୍ରୀ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ। ବିଜେପି ଆଦିବାସୀ ମୋର୍ଚ୍ଚା ଉପସଭାପତି ପଦ ସମ୍ଭାଳିବା ପରେ ୨୦୦୦ ଏବଂ ୨୦୦୯ ମସିହାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶାରେ ବିଜେପି ଓ ବିଜେଡି ମେଣ୍ଟ ସରକାର ସମୟରେ ସେ ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଥିଲେ।

‌୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଦ୍ରୌପଦୀ ମୁର୍ମୁ ଜୀ ସମାଜ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଛନ୍ତି। ଗରିବ, ଅବହେଳିତ ବର୍ଗର ଲୋକଙ୍କ ଜୀବନକୁ ସଶକ୍ତ କରିବା ଲାଗି ସେ ଅନେକ କାର୍ଯ୍ୟ କରିଛନ୍ତି। ପ୍ରଶାସିନକ କାର୍ଯ୍ୟରେ ତାଙ୍କର ଗଭୀର ଦକ୍ଷତା ରହିଛି। ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ଉଲ୍ଲେଖନୀୟ ରହିଥିଲା। ସେ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ସମାଜରେ ଯେଉଁମାନେ ଦ୍ରାରିଦ୍ର୍ୟ ଓ କଷ୍ଟ ଅନୁଭବ କରିଛନ୍ତି ସେମାନେ ଦ୍ରୌପଦୀ ମୁର୍ମୁଜୀଙ୍କ ଜୀବନରୁ ଅନେକ କିଛି ଶିକ୍ଷାଲାଭ କରିଛନ୍ତି। ନୀତି ପ୍ରସଙ୍ଗରେ ତାଙ୍କର ଗଭୀର ଜ୍ଞାନ ଓ ସହାନୁଭୂତିଶୀଳ ପ୍ରକୃତି ଦେଶକୁ ବିଶେଷଭାବେ ଉପକୃତ କରିବ।’

 

 

ସମ୍ବନ୍ଧିତ ଖବର