ଝାଡ଼ଖଣ୍ଡ ନାବାଳିକା ଚାକରାଣୀକୁ ଗୁରୁଗ୍ରାମ ଦମ୍ପତିଙ୍କ ନିର୍ଯାତନା: ଡଷ୍ଟବିନ୍‌ରୁ ଅଇଁଠା ଖାଇ ବଞ୍ଚୁଥିଲା

ଗୁରୁଗ୍ରାମ : ଗୁରୁଗ୍ରାମର ଏକ ଦମ୍ପତି ନିଜ ପିଲାର ଯତ୍ନ ନେବା ପାଇଁ ଝାଡ଼ଖଣ୍ଡର ଜଣେ ୧୪ ବର୍ଷୀୟା ବାଳିକାକୁ ଆଣି ଘରେ ଚାକରାଣୀ ଭାବେ ରଖିଥିଲେ। କିନ୍ତୁ ସେମାନେ ବାଳିକାକୁ ମାରଧର କରିବା, ଯୌନ ନିର୍ଯାତନା ଦେବା, ଖାଇବାକୁ ନ ଦେବା, ଏପରିକି ଭୋକବିକଳରେ ବାଳିକାଟି ଡଷ୍ଟବିନରୁ ବାସି ଅଇଁଠା ଗୋଟେଇ ଖାଇବା ଅଭିଯୋଗ ହୋଇଛି। ମଙ୍ଗଳବାର ପୁଲିସ ଓ ସଖୀ (ବାଳିକା ସହାୟତା କେନ୍ଦ୍ର) ପକ୍ଷରୁ ଏକ ମିଳିତ ଟିମ୍ ଗୁରୁଗ୍ରାମର ନ୍ୟୁ କଲୋନିରୁ ବାଳିକାଟିକୁ ଉଦ୍ଧାର କରିଛନ୍ତି।

ପୁଲିସର କହିବା ଅନୁସାରେ ଘରୋଇ କମ୍ପାନିରେ ଚାକିରି କରୁଥିବା ଦମ୍ପତି ବାଳିକାକୁ ଯୌନ ସମେତ ନାନା ପ୍ରକାର ନିର୍ଯାତନା ଦେଉଥିଲେ, ଯାହାଫଳରେ ପିଲାର ହାତ, ପାଦ ଓ ମୁହଁରେ ଅନେକ କ୍ଷତ ଚିହ୍ନ ରହିଛି।

ଅଭିଯୁକ୍ତ ଦମ୍ପତି ପାଞ୍ଚମାସ ତଳେ ଏକ ନିଯୁକ୍ତି ସଂସ୍ଥା ଜରିଆରେ ଝାଡ଼ଖଣ୍ଡର ରାଞ୍ଚିରୁ ବାଳିକାକୁ ଘରକାମ କରିବା ଓ ନିଜର ସାଢ଼େ ତିନିବର୍ଷ ଝିଅର ଯତ୍ନ ନେବା ପାଇଁ ଆଣିଥିଲେ। ବାଳିକା ଦ୍ବାରା ଘରର ସବୁ କାମ କରାଇବା ସହ ସେମାନେ ତାକୁ ନିର୍ମମ ଭାବେ ପ୍ରତିଦିନ ପିଟୁଥିଲେ। ତାକୁ ରାତିସାରା ଶୋଇବାକୁ କି ଖାଇବାକୁ ବି ଦେଉ ନ ଥିଲେ। କ୍ଷତଚିହ୍ନ ସହ ବାଳିକାର ମୁହଁଟା ପୂରା ଫୁଲିଯାଇଥିବା ଉଦ୍ଧାର ସମୟରେ ଦେଖିବାକୁ ମିଳିଛି। କେବଳ ମୁହଁ ନୁହେଁ, ତା’ର ସମଗ୍ର ଶରୀରରେ କ୍ଷତଚିହ୍ନ ଦେଖିବାକୁ ମିଳିଛି ବୋଲି ସଖୀ କେନ୍ଦ୍ର ଦାୟିତ୍ବରେ ଥିବା ପିଙ୍କି ମଲିକ କହିଛନ୍ତି।

ପିଙ୍କିଙ୍କ କହିବା ଅନୁସାରେ ବାଳିକାକୁ ଖାଇବାକୁ ଦିଆଯାଉ ନ ଥିବାରୁ ଡଷ୍ଟବିନରେ ଫିଙ୍ଗାଯାଉଥିବା ବାସି ଅଇଁଠା ଖାଦ୍ୟ ଖାଇ ସେ ବଞ୍ଚୁଥିଲା। ତା’ର ସ୍ବାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ଥିବା ବେଳେ ତାକୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଅଭିଯୁକ୍ତ ଦମ୍ପତିଙ୍କ ନାଁରେ ପୋକ୍‌ସୋ ଓ ଅନ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବା ସହ ତଦନ୍ତ କରାଯାଉଛି। ତାଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ନ୍ୟୁ କଲୋନି ଥାନା ଅଧିକାରୀ ଦିନକର କହିଛନ୍ତି।

ସମ୍ବନ୍ଧିତ ଖବର