ଗୋଟିଏ ଗୋଡ଼ରେ ସ୍କୁଲ୍‌ ଯାଉଛନ୍ତି କାଶ୍ମୀର ବାଳକ, ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି

ହଣ୍ଡୱାଡ଼ା: ବିହାରର ଜଣେ ୧୦ ବର୍ଷୀୟା ନାବାଳିକା ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ସ୍କୁଲ୍‌ ଯାଉଥିବାର ଭିଡିଓ ଇଣ୍ଟର‌ନେଟ୍‌ରେ ଭାଇରାଲ୍‌ ହେବାପରେ ତାଙ୍କୁ ପ୍ରଶଂସା ସହ ସହଯୋଗର ସୁଅ ଛୁଟିଥିଲା। ଏହିଭଳି ଏକ ସମାନ ଖବର ଜମ୍ମୁ କାଶ୍ମୀରରୁ ମିଳିଛି। ହଣ୍ଡୱାଡ଼ାର ୧୪ ବର୍ଷୀୟ ପରଭେଜ ଜଣେ ଦିବ୍ୟାଙ୍ଗ। ତାଙ୍କର ଗୋଟିଏ ଗୋଡ଼ ନାହିଁ। ଚିକିତ୍ସା ପାଇଁ ତାଙ୍କ ବାପା ସମ୍ପତ୍ତି ବିକ୍ରି କରିଦେଇଥିଲେ ବି କିଛି ଲାଭ ହୋଇନି। କିନ୍ତୁ ପରଭେଜ ହାରିନାହାନ୍ତି। ପରଭେଜ ପ୍ରତିଦିନ ୨ କିମି ବାଟ ଡେଇଁଡେଇଁ ସ୍କୁଲ୍‌ରେ ପହଞ୍ଚୁଛନ୍ତି। ନୌଗାମ୍‌ ସରକାରୀ ହାଇସ୍କୁଲ୍‌ରେ ସେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ପରଭେଜ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି। ପରଭେଜ କହିଛନ୍ତି, ସମାଜ କଲ୍ୟାଣ ବିଭାଗ ଦ୍ବାରା ତାଙ୍କୁ ଏକ ହ୍ବିଲ୍‌ଚେୟାର ମିଳିଛି କିନ୍ତୁ ତାଙ୍କ ଗାଁ ରାସ୍ତା ଭଲନଥିବାରୁ ସେ ଏହି ହ୍ବିଲ୍‌ଚେୟାର ବ୍ୟବହାର କରିପାରୁନାହାନ୍ତି। ପରଭେଜ ଗୋଟିଏ ଗୋଡ଼ରେ ସ୍କୁଲ୍‌ ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପରଭେଜ କହିଛନ୍ତି, ସାଙ୍ଗମାନେ ଚାଲୁଥିବାର ଦେଖି ମତେ ଖୁବ୍‌ କଷ୍ଟ ହୁଏ। କିନ୍ତୁ ଆଲ୍ଲା ମତେ ଯେଉଁ ଶକ୍ତି ଦେଇଛନ୍ତି ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ସରକାରୀ ସହଯୋଗ ପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର