ଯୁଦ୍ଧ ହେବ ବୋଲି ପୂର୍ବସୂଚନା ଜାରି ସତ୍ତ୍ବେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ୟୁକ୍ରେନ ଛାଡ଼ିନଥିଲେ: ଏସ ଜୟଶଙ୍କର

ନୂଆଦିଲ୍ଲୀ: ଆଜିକୁ ୨୦ଦିନ ବିତିଲାଣି, ହେଲେ ରକ୍ତରେ ହୋଲି ଖେଳିବା ବନ୍ଦ କରିନାହିଁ ରୁଷ୍। ନିଜର ସର୍ତ୍ତ ପୂରଣ ହୋଇ ନଥିବାରୁ ୟୁକ୍ରେନର ଗୋଟେ ପରେ ଗୋଟେ ସହରକୁ ଧସେଇ ପଶିଚାଲିଛନ୍ତି ରୁଷୀୟ ସେନା। ଶହ ଶହ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏବେ ୟୁକ୍ରେନ ରାସ୍ତାରେ କେବଳ ଦେଖିବାକୁ ମିଳୁଛି ରକ୍ତର ଛିଟା। ସେପଟେ, ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରାଜ୍ୟସଭାରେ ଏକ ବିବୃତି ଦେଇଛନ୍ତି। ଏସ୍ ଜୟଶଙ୍କର କହିଛନ୍ତି ଯେ, କଠିନ ପରିସ୍ଥିତିରେ ମଧ୍ୟ ଆମେ ୨୨,୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଭାରତକୁ ଫେରାଇ ଆଣିଛୁ। ଏ ନେଇ ଆମେ କ୍ରମାଗତ ଭାବରେ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା କରୁଥିଲୁ ଏବଂ ଆମ ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ଆମ ପାଇଁ ବଡ଼ ଆହ୍ବାନ ଥିଲା।

indiatoday

ସେ କହିଛନ୍ତି, ୟୁକ୍ରେନ ପରିସ୍ଥିତିକୁ ଧ୍ୟାନରେ ରଖି ଭାରତ ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଥିଲେ। କଠିନ ପରିସ୍ଥିତିରେ ଏହା ଏକ ପ୍ରମୁଖ ଅପରେସନ୍ ଥିଲା । ଭାରତୀୟ ଦୂତାବାସ ଫେବ୍ରୁଆରି ୧୫, ୨୦ ଏବଂ ୨୨ରେ ଛାତ୍ରଛାତ୍ରୀ ଏବଂ ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନ ଛାଡ଼ିବାକୁ କହିଥିଲେ। ମାର୍ଗଦର୍ଶିକା ଜାରି କରାଯାଇଥିବା ସତ୍ତ୍ବେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ୟୁକ୍ରେନ ଛାଡ଼ି ନଥିଲେ। ପାଠ ଅଧାରେ ରହିଯିବ ବୋଲି ଭାବି ସେମାନେ ଏଭଳି କରିଥିଲେ। ଯେତେବେଳେ ପରିସ୍ଥିତି ଅଧିକ ଖରାପ ହେଲା, ୧୮୦୦୦ରୁ ଅଧିକ ଭାରତୀୟ ଛାତ୍ର ସେଠାରେ ଫସି ରହିଥିବା ଜଣାପଡ଼ିଥିଲା। ଏହାକୁ ଧ୍ୟାନରେ ରଖି ଭାରତ ସମେତ ୟୁକ୍ରେନ ଦୂତାବାସ‌ରେ କଲ୍ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ଖରାପ ପରିସ୍ଥିତି ଯୋଗୁଁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଥିଲା, ତେଣୁ ଭାରତୀୟଙ୍କୁ ଦେଶର ବିଭିନ୍ନ ସୀମାକୁ ଯିବା ପାଇଁ କୁହାଯାଇଥିଲା।

ସମ୍ବନ୍ଧିତ ଖବର