ନୂଆଦିଲ୍ଲୀ: ଡ. ମନମୋହନ ସିଂହ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଥିବାବେଳେ ନେଦରଲ୍ୟାଣ୍ଡରେ ଆୟୋଜିତ ଏକ ସମ୍ମିଳନୀକୁ ଯାଇଥିଲେ। ସେଠାରୁ ଫେରି ଘରେ ପହଞ୍ଚିବା ପରେ ସେଦିନ ରାତିରେ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା, ଯାହା ଭାରତର ଅର୍ଥନୈତିକ ଚିତ୍ର ଓ ତାଙ୍କ କ୍ୟାରିୟରର ଗତିପଥ ବଦଳାଇ ଦେଇଥିଲା। ୧୯୯୧ ମସିହାରେ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ଅର୍ଥନୈତିକ ସଙ୍କଟ ଓ ରାଜନୈତିକ ଦୁଃସ୍ଥିତି ଦେଇ ଗତି କରୁଥିଲା। ସେତେବେଳେ ସୋଭିଏତର ପତନ ଯୋଗୁଁ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ଏହି ସମୟରେ ରାଓଙ୍କ ତତ୍କାଳୀନ ପ୍ରମୁଖ ସଚିବ ପିସି ଆଲେକଜାଣ୍ଡର ମନମୋହନଙ୍କୁ ବିଳମ୍ବିତ ରାତିରେ ଫୋନ୍ କରି ଜଣାଇଥିଲେ ଯେ ସେ ଅର୍ଥମନ୍ତ୍ରୀ ହେବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ଝିଅ ଦାମନ ସିଂହଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଷ୍ଟ୍ରିକ୍ଟଲି ପର୍ସନାଲ: ମନମୋହନ ଆଣ୍ଡ୍ ଗୁରୁଶରଣ’ ଅନୁଯାୟୀ, ମନମୋହନ କହିଛନ୍ତି, ‘ସେ (ରାଓ) ମଜାରେ ମୋତେ କହିଥିଲେ ଯେ ଅର୍ଥନୈତିକ ସଂସ୍କାର ଯଦି ଉତ୍ତମ ଫଳ ଦିଏ ଏବଂ ସବୁ କିଛି ଠିକ୍ ଠାକ୍ ଚାଲେ ତେବେ ଆମେ ଉଭୟ ଶ୍ରେୟ ନେବୁ କିନ୍ତୁ ଯଦି ସବୁକିଛି ଠିକ୍ ନ ହୁଏ ତେବେ ମୋତେ ବହିଷ୍କାର କରାଯିବ’।
୧୯୯୧ ମସିହା ଜୁନ୍ ୨୧ ତାରିଖରେ ଡକ୍ଟର ସିଂହ ରାଷ୍ଟ୍ରପତି ଭବନରେ ଶପଥ ନେବାକୁ ଯାଇଥିଲେ। ସିଂହ କହିଛନ୍ତି, ମୋତେ ପ୍ରଧାନମନ୍ତ୍ରୀ ରାଓଙ୍କୁ ବୁଝାଇବାକୁ ପଡିଲା। ସେ ପ୍ରଥମେ ସନ୍ଦେହ କରୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଶ୍ଚିତ ହୋଇଥିଲେ ଯେ ଆମେ ଯାହା କରୁଛୁ ତାହା ଠିକ୍, ଭାରତର ଅର୍ଥନୀତିକୁ ବଞ୍ଚାଇବାକୁ ଅନ୍ୟ କୌଣସି ଉପାୟ ନାହିଁ। କିନ୍ତୁ ସେ ମଧ୍ୟମ ମାର୍ଗକୁ ଆପଣାଇବାକୁ ଚାହୁଥିଲେ ଏବଂ କହୁଥିଲେ- ‘ଆମେ ଉଦାରୀକରଣ କରିବା ସତ, କିନ୍ତୁ ଅବହେଳିତ ବର୍ଗ ଓ ଗରିବଙ୍କର ମଧ୍ୟ ଯତ୍ନ ନେବା ଉଚିତ’ ବୋଲି ଡକ୍ଟର ସିଂହ ତାଙ୍କ ଝିଅର ପୁସ୍ତକ ଅନୁଯାୟୀ ବର୍ଣ୍ଣନା କରିଛନ୍ତି। ଦମନ ସିଂହଙ୍କ ଏହି ପୁସ୍ତକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ ଗୁରୁଶରଣ କୌରଙ୍କ ୧୯୩୦ରୁ ୨୦୦୪ ପର୍ଯ୍ୟନ୍ତ ଜୀବନର ଯାତ୍ରାକୁ ଦର୍ଶାଯାଇଛି ।