ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ମାଈ ଚିତା ଆଶା ଖସି ପଳାଇଥିଲା। ଏହା ସର୍ବାଧିକ ଦୂର ୧୮୯ କିମି ପଳାଇ ଉତ୍ତରପ୍ରଦେଶ ପାଖ ଜଙ୍ଗଲରେ ବୁଲୁଥିଲା। ଏକ ବିଶେଷଜ୍ଞ ଦଳ ରବିବାର ଅପରାହ୍ଣରେ ଘଞ୍ଚ ଜଙ୍ଗଲ ଭିତରେ ଏହାକୁ ଅଳ୍ପ ଦୂରରୁ ନିଶା ଔଷଧଯୁକ୍ତ ଗୁଳି ମାରି ପୁଣି କୁନୋ ଜାତୀୟ ଉଦ୍ୟାନକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ସେ ଏବେ ସୁସ୍ଥ ଥିବା ସୋମବାର ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
ପୂର୍ବରୁ ଆଶା ଶିବପୁରୀ ଜିଲ୍ଲାର ମାଧବ ଜାତୀୟ ଉଦ୍ୟାନକୁ ପଳାଇଥିଲା। ସେଠାରେ ଅଳ୍ପ ସମୟ ରହିଥିଲା। ଆଶାକୁ ଖୋଜିବା ପାଇଁ କୁନୋ ଟିମ୍କୁ ବୁରାଖେଡ଼ା ଗ୍ରାମରେ ଅନେକ ବିପଦର ସାମନା କରିବାକୁ ପଡ଼ିଥିଲା। ଗାଈ ଚୋର ଭାବି ଟିମ୍ ଉପରେ ଗ୍ରାମବାସୀମାନେ ଆକ୍ରମଣ କରିଥିଲେ। ଫଳରେ ଚାରିଜଣ ବନ କର୍ମଚାରୀ ଆହତ ହୋଇଥିଲେ। ଆଶା ଦେହରେ ଲଗାଯାଇଥିବା ଜିପିଏସ୍ ଟ୍ରାକର ସାହାଯ୍ୟରେ ଜଙ୍ଗଲ କର୍ମଚାରୀମାନେ ତାକୁ ଖୋଜୁଥିବା ବେଳେ ଭୋର ୪ଟା ସମୟରେ ଏହି ଘଟଣା ଘଟିଥିଲା। ଜଙ୍ଗଲ କର୍ମଚାରୀମାନେ ଗାଈ ଚୋରି କରିବାକୁ ନୁହେଁ ବରଂ ବାଘ ଖୋଜିବାକୁ ଆସିଛନ୍ତି ବୋଲି କହିଲେ ମଧ୍ୟ ଗ୍ରାମବାସୀମାନେ ତାହା ବିଶ୍ବାସ କରି ନ ଥିଲେ। ଜଙ୍ଗଲ କର୍ମଚାରୀମାନଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। କୌଣସି ପ୍ରକାରେ ଲୋକଙ୍କ ଆକ୍ରୋଶରୁ ନିଜକୁ ବଞ୍ଚାଇ ସେଠାରୁ ଖସି ଆସିବା ପରେ ଅଜଣା ଲୋକଙ୍କ ନାଁରେ ଏଫ୍ଆଇଆର୍ ଦେଇଥିଲେ। ତେବେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।
ଗତ ଏପ୍ରିଲ ୨ ତାରିଖରେ ଆଉ ଏକ ଚିତା ପବନ ମଧ୍ୟ ଫେରାର ହୋଇ ୧୦୦ କିମି ଉତ୍ତରପ୍ରଦେଶ ପାଖାପାଖି ଜଙ୍ଗଲକୁ ପଳାଇଥିଲା। ତାକୁ ଟ୍ରାଙ୍କ୍ବିଲାଇଜ୍ କରି ଜଙ୍ଗଲ କର୍ମଚାରୀମାନେ ଫେରାଇ ଆଣିଥିଲେ। ଏଥିପାଇଁ ପାଞ୍ଚଦିନ କାଳ ବନ କର୍ମଚାରୀମାନଙ୍କୁ କସରତ କରିବାକୁ ପଡ଼ିଥିଲା।