ଘନୀଭୂତ ହେବାରେ ଲାଗିଛି ମଧ୍ୟପ୍ରଦେଶର ରାଜନୈତିକ ସଙ୍କଟ: ଏପରିସ୍ଥିତିରେ କ’ଣ ସବୁ ରାଜନୈତିକ ବିକଳ୍ପ ଉପଲବ୍ଧ ଅଛି ଜାଣନ୍ତୁ…

ଭୋପାଳ/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜନୀତିକୁ କେନ୍ଦ୍ରକରି ସଂପ୍ରତି ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶରେ ଏବେ ଶାସନ କ୍ଷମତାରେ ଥିବା କଂଗ୍ରେସର ଅନ୍ୟତମ ବରିଷ୍ଠ ଓ ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାପରେ ତାଙ୍କୁ ସମର୍ଥନ ଜଣାଇ ଏବେ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସର ବିଧାୟକ ଥିବା ୧୯ ଜଣ ସଦସ୍ୟ ମଧ୍ୟ ସେମାନଙ୍କର ଇସ୍ତଫା ପ୍ରଦାନ କରିଥିବା ଜାଣିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ୬ ଜଣ କମଲନାଥଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦରେ ଥିଲେ।

ତେବେ, ଏମାନଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରେ ଏବେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଏବେ, ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହାପରେ କ’ଣ ହେବ ମଧ୍ୟପ୍ରଦେଶର ରାଜନୈତିକ ଭାଗ୍ୟ। କାରଣ, ଏହି ଘଟଣା ପରେ ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାରଙ୍କ ଭାଗ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇଯିବା ସହ ତାଙ୍କ ସରକାରର ପତନ ଏକରକମ ନିଶ୍ଚିତ ହୋଇ ପଡ଼ିଛି।

OutLook India

ଉଲ୍ଲେଖଯୋଗ୍ୟ, ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସର ୧୧୪ ଜଣ ବିଧାୟକ ଥିବା ବେଳେ, ବିଜେପିର ୧୦୭, ବିଏସ୍‌ପିର ୨, ଏସ୍‌ପିର ୧ ଓ ୪ ଜଣ ସ୍ୱାଧୀନ ବିଧାୟକ ରହିଥିଲେ। ଏବଂ ଦୁଇଟି ଆସନ ଖାଲି ପଡ଼ିଥିଲା। ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସଂଖ୍ୟା ହେଉଛି ୧୧୫। ତେବେ, ବର୍ତ୍ତମାନ କଂଗ୍ରେସର ୧୯ ଜଣ ବିଧାୟକ ଇସ୍ତଫା ଦେବାପରେ କମଲନାଥଙ୍କ ସରକାର ଏବେ ଏକ ସଂଖ୍ୟା ନ୍ୟୂନ ସରକାରରେ ପରିଣତ ହୋଇଛି। ଏବଂ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯୫କୁ ଖସି ଆସିଛି।

ଏପ୍ରକାର ସ୍ଥିତରେ ମଧ୍ୟପ୍ରଦେଶ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଥିବା ବେଳେ ମଧ୍ୟପ୍ରଦେଶ ରାଜନୀତିରେ ଏପ୍ରକାର ପରିସ୍ଥିତିରେ କ’ଣ ସବୁ ରାଜନୈତିକ ବିକଳ୍ପ ଉପଲବ୍ଧ ଅଛି ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି।

OutLook India

ବିକଳ୍ପ ନମ୍ବର ୧: ୧୯ ବିଧାୟକଙ୍କ ଇସ୍ତଫା ପରେ ଏବେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯୫କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଏବେ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପିର ୧୦୭ ବିଧାୟକ ଅଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସରକାର ଗଠନ ପାଇଁ ଆବଶ୍ୟକ ୧୦୫ ବିଧାୟକଙ୍କ ସମର୍ଥନ। ତେଣୁ,ନିଜର ବିଧାୟକଙ୍କ ସହ ବିଏସ୍‌, ଏସ୍‌ପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ମଧ୍ୟପ୍ରଦେଶରେ ସରକାର ଗଠନ କରିପାରିବ।

ବିକଳ୍ପ ନମ୍ବର ୨: ବିଜେପି ପରି କଂଗ୍ରେସ ମଧ୍ୟ ବିଜେପିରେ ବିଭାଜନ ଘଟାଇ ବିଜେପି ବିଧାୟକମାନଙ୍କୁ ନିଜ ପଟକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଦେଇଛି। ତେଣୁ, ବିଏସ୍‌ପି, ଏସ୍‌ପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ସରକାର ଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ବିକଳ୍ପ ନମ୍ବର ୩: ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କ ସହ କଂଗ୍ରେସର ୧୯ ଜଣ ବିଧାୟକ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତେଣୁ, ରାଜ୍ୟରେ ସାମୟିକ ଭାବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇ ଏହି ୧୯ଟି ଆସନ ପାଇଁ ଉପ ନିର୍ବାଚନ ହୋଇପାରେ। ଏବଂ ଉପ ନିର୍ବାଚନ ପରେ ଯେଉଁ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ରହିିବ ସେ ହିଁ ରାଜ୍ୟରେ ସରକାର ଗଠନ କରିବ।

ବିକଳ୍ପ ନମ୍ବର ୪: ଯଦି ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଗମ୍ଭୀର ବୋଲି ରାଜ୍ୟପାଳଙ୍କ ହୃଦବୋଧ ହେବ, ତେବେ ସେ କ୍ଷେତ୍ରରେ ସେ ବିଧାନସଭାକୁ ଭଙ୍ଗ ଘୋଷଣା କରି ଆଉଥରେ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଇବା ପାଇଁ ମଧ୍ୟ ରାଷ୍ଟ୍ରପତିଙ୍କୁ ସୁପାରିଶ କରି ପାରିବେ।

ସମ୍ବନ୍ଧିତ ଖବର