ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଦୁଇ ଦିନ ଧରି ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଆଗାମୀ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୪୦୦ ଆସନ ଜିତିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ୩୭୦ ଆସନ ହାସଲ ପାଇଁ ଲକ୍ଷ୍ୟ ରଖିଛି। ଆଗାମୀ ୧୦୦ ଦିନ ମଧ୍ୟରେ ସମସ୍ତଙ୍କ ବିଶ୍ୱାସ ଜିତିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନେତା ଓ କର୍ମୀଙ୍କୁ ନିବେଦନ କରିଛନ୍ତି। ‘ଆଗାମୀ ୧୦୦ ଦିନ ମଧ୍ୟରେ ଆମ ସମସ୍ତଙ୍କୁ ପ୍ରତ୍ୟେକ ନୂଆ ଭୋଟର, ପ୍ରତ୍ୟେକ ହିତାଧିକାରୀ, ପ୍ରତ୍ୟେକ ସମ୍ପ୍ରଦାୟର ଲୋକଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଆମକୁ ସମସ୍ତଙ୍କ ବିଶ୍ୱାସ ଜିତିବାକୁ ପଡ଼ିବ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନଡିଏକୁ ୪୦୦ରେ ପହଞ୍ଚାଇବାକୁ ହେଲେ ବିଜେପିକୁ ୩୭୦ ଆସନ ଅତିକ୍ରମ କରିବାକୁ ପଡ଼ିବ। ଗତଲୋକସଭା ନିର୍ବାଚନରେ ବିଜେପି ହାରିଥିବା ୧୬୧ ଆସନ ଉପରେ ଫୋକସ୍‌ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ଏବଂ ଏଥିରୁ ୬୭ ଆସନରେ ବିଜୟ ହେଲେ ଦଳ ୩୭୦ ଲକ୍ଷ୍ୟ ଅତିକ୍ରମ କରିପାରିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ କ୍ଷମତା ହାସଲ କରିବା ପାଇଁ ନୁହେଁ, ବରଂ ଦେଶ ପାଇଁ କାମ କରିବା ନିମନ୍ତେ ତୃତୀୟ ପାଳି ପାଇଁ ଲୋକଙ୍କ ଆଶୀର୍ବାଦ ଚାହୁଛନ୍ତି। ‘ଯଦି ମୁଁ ମୋ ଘର ବିଷୟରେ ଚିନ୍ତା କରିଥାନ୍ତି, ତେବେ କୋଟି କୋଟି ଲୋକଙ୍କ ପାଇଁ ଘର ନିର୍ମାଣ କରିବା ସମ୍ଭବ ହୋଇନଥାନ୍ତା’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧୦ ବର୍ଷର ପ୍ରଭାବଶାଳୀ, ନିରପେକ୍ଷ ଓ ସ୍ବଚ୍ଛ ଶାସନରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବା କୌଣସି ସାଧାରଣ ସଫଳତା ନୁହେଁ ବୋଲି ମତରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ରାଜନୀତି ପାଇଁ ନୁହେଁ, ରାଷ୍ଟ୍ରନୀତି ପାଇଁ କାମ କରୁଛି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ବାଚନର କିଛି ସପ୍ତାହ ପୂର୍ବରୁ ତାଙ୍କୁ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଗସ୍ତ ପାଇଁ ମଧ୍ୟ ବିଦେଶରୁ ନିମନ୍ତ୍ରଣ ମିଳୁଛି। ଏଭଳି ନିମନ୍ତ୍ରଣରୁ ଜଣାପଡୁଛି ଯେ ବିଜେପି ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବ। ଅର୍ଥାତ୍ ବିଜେପି ସରକାର କ୍ଷମତାକୁ ଫେରିବ ବୋଲି ଅନ୍ୟ ଦେଶମାନେ ମଧ୍ୟ ନିଶ୍ଚିତ ଅଛନ୍ତି। ସେମାନେ ‘ଆୟେଗା ତୋ ମୋଦୀ ହିଁ (ମୋଦୀ ପୁଣି ଫେରିବେ) ବୋଲି ଜାଣନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ବାଲାକୋଟ ଏୟାର ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ସୁରକ୍ଷା ବାହିନୀର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ଭାରତର ଜାତୀୟ ନିରାପତ୍ତା ଓ ରଣନୈତିକ ଶକ୍ତିକୁ କ୍ଷତି ପହଞ୍ଚାଇବା ପାଇଁ କଂଗ୍ରେସ କୌଣସି ସୁଯୋଗ ଛାଡିନାହିଁ। ୫ ବର୍ଷ ତଳେ ସେମାନେ ଆମ ବାୟୁସେନାକୁ ରାଫେଲ ବିମାନ ପାଇବାରୁ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ। ସେମାନେ ଆମ ସୁରକ୍ଷା ବାହିନୀର ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ଯେଭଳି ପ୍ରମାଣ ଦାବି କରିଥିଲେ ତାହାକୁ ଦେଶବାସୀ କଦାପି ଭୁଲିବେ ନାହିଁ। କେବଳ ମତେ ଘୃଣା କରିବା ଓ ଦେଶକୁ ବିରୋଧ କରିବା କଂଗ୍ରେସର କାମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରୀୟ ଅଧିବେଶନରେ ଉଦ୍‌ବୋଧନ ଦେଇ ଆଜି ଗୃହମନ୍ତ୍ରୀ ଅମିତ ଶାହ ଆଗାମୀ ଲୋକସଭା ନିର୍ବାଚନକୁ ମହାଭାରତ ଯୁଦ୍ଧ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିକାଶ ପାଇଁ କାର୍ଯ୍ୟ କରୁଥିବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ନେତୃତ୍ୱ ନେଉଥିବା ବେଳେ କଂଗ୍ରେସ ଅଧୀନରେ ଥିବା ଇଣ୍ଡି ମେଣ୍ଟ ପରିବାର ଦ୍ୱାରା ପରିଚାଳିତ ଦଳମାନଙ୍କ ସମାହାର ଏବଂ ଦୁର୍ନୀତିରେ ପରିପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ଭାରତକୁ ବିଶ୍ବମିତ୍ର ଭାବେ ସ୍ଥାପିତ କରିବାକୁ ଉଦ୍ୟମ କରୁଛନ୍ତି ଏବଂ ବର୍ତମାନ ସମସ୍ତେ ‘ବସୁଧୈବ କୁଟୁମ୍ବକମ୍‌’, ଅର୍ଥାତ୍‌ ଏହି ସମଗ୍ର ବିଶ୍ବ ଏକ ପରିବାର ବୋଲି ଅନୁଭବ କରୁଛନ୍ତି । କଂଗ୍ରେସ ଓ ଇଣ୍ଡି ମେଣ୍ଟର ପରିବାରବାଦhୀ ଦଳମାନେ ଦେଶର ଗାଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ବସ୍ତ କରୁଛନ୍ତି ବୋଲି ଶାହ କହିଛନ୍ତି।

ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ିଲା
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନଡ୍ଡା ୨୦୨୦ରେ ଅମିତ ଶାହାଙ୍କଠାରୁ ଦଳର ଶୀର୍ଷ ପଦ ଗ୍ରହଣ କରିଥିଲେ ଏବଂ ୨୦୨୩ ଜାନୁଆରିରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ବିଜେପିର ଦୁଇ ଦିନିଆ ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବା ପରେ ଏହି ଘୋଷଣା କରାଯାଇଛି। ରବିବାର ଶେଷ ହୋଇଥିବା ଦଳର ଜାତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଲୋକସଭା ନିର୍ବାଚନରେ ଦଳ କ'ଣ ରଣନୀତି ଅବଲମ୍ବନ କରିବ ସେ ନେଇ ଆଲୋଚନା ହୋଇଥିଲା। ବିଜେପି ସଭାପତି ଭାବେ ନଡ୍ଡାଙ୍କ କାର୍ଯ୍ୟକାଳରେ ବିଜେପି ଉତ୍ତରପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିଲା।