ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ ୧ ତାରିଖରେ ଲୋକସଭା ନିର୍ବା‌ଚନର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍‌। ଏହି ପର୍ଯ୍ୟାୟରେ ୭ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ତେବେ ଶେଷ ପର୍ଯ୍ୟାୟରେ ହାଇ ପ୍ରୋଫାଇଲ୍‌ ଲଢ଼େଇ ହେଉଥିବା ଆସନ ଗୁଡ଼ିକ ହେଉଛି ଉତ୍ତରପ୍ରଦେଶର ବାରାଣସୀ, ହିମାଚଳପ୍ରଦେଶର ମଣ୍ଡି ଏବଂ ବିହାରର କାରାକଟ ଲୋକସଭା ଆସନ।

Advertisment

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ବାରାଣସୀ ଆସନରେ ନିର୍ବାଚନ ଲଢ଼ୁଛନ୍ତି। କଂଗ୍ରେସ ଉକ୍ତ ଆସନ‌ରେ ମୋଦୀଙ୍କ ବିରୋଧରେ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି। ବିଏସପି ଅଥାର ଜମଲ ଲରିଙ୍କୁ ଟିକେଟ ଦେଇଛି। ଉକ୍ତ ଆସନରେ ୨ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ୍‌ ୭ ଜଣ ପ୍ରାର୍ଥୀ ଅଛନ୍ତି।

ହମିରପୁର : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଉକ୍ତ ଆସନରୁ ଲଗାତାର ୩ ଥର ଜିତି ଆସିଛନ୍ତି। ଲଗାତାର ଚତୁର୍ଥ ଥର ପାଇଁ ସେ ଉକ୍ତ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ସେ କଂଗ୍ରେସର ସତପାଲ୍‌ଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଉକ୍ତ ଆସନରେ ୫ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ୍‌ ୧୨ ଜଣ ପ୍ରାର୍ଥୀ ଅଛନ୍ତି।

ମିର୍ଜାପୁର : କେନ୍ଦ୍ର ମନ୍ତ୍ରୀ ଏବଂ ଆପ୍‌ନା ଦଳ ‌(ସୋନେଲାଲ୍‌) ନେତା ଅନୁପ୍ରିୟା ପଟେଲ ଲଗାତାର ତୃତୀୟ ଥର ପାଇଁ ଉତ୍ତରପ୍ରଦେଶର ମିର୍ଜାପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ବିଏସପି ଉକ୍ତ ଆସନରେ ମନୀଷ କୁମାର ଏବଂ ଏସ୍‌ପି ରମେଶ ଚାନ୍ଦ ବିନ୍ଦଙ୍କୁ ପ୍ରାର୍ଥୀ କରିଛି। ୨ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ଉକ୍ତ ଆସନରେ ମୋଟ୍‌ ୧୦ ଜଣ ପ୍ରାର୍ଥୀ ଅଛନ୍ତି।

ଆରା : କେନ୍ଦ୍ର ମନ୍ତ୍ରୀ ଆର୍‌କେ ସିଂହ ଲଗାତାର ତୃତୀୟ ଥର ପାଇଁ ବିହାରର ଆରା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ବିଏସ୍‌ପିର ଲାଲ୍‌ ବାଦଶାହ ସିଂହ ଉକ୍ତ ଆସନରେ ଲଢ଼ୁଛନ୍ତି। ଉକ୍ତ ଆସନରେ ମୋଟ୍‌ ୧୪ ପ୍ରାର୍ଥୀ ଅଛନ୍ତି।

ଡୁମ୍‌କା : ବିଜେପି ଉକ୍ତ ଆସନରେ ଶିବୁ ସୋରେନଙ୍କ ବଡ଼ ବୋହୁ ସୀତା ସୋରେନଙ୍କୁ ପ୍ରାର୍ଥୀ କରିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନଳିନୀ ସୋରେନ ଏବଂ ବିଏସ୍‌ପିର ପ୍ରଦେଶ ମାରାଣ୍ଡି ମଧ୍ୟ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ଜଳନ୍ଧର : ପଂଜାବର ଜଳନ୍ଧର ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବିଜେପି ସୁଶୀଲ କୁମାର ରିଙ୍କୁଙ୍କୁ ଉକ୍ତ ଆସନରେ ପ୍ରାର୍ଥୀ କରିଛି। ସୁଶୀଲ କୁମାର ଏବେ ସାଂସଦ ଅଛନ୍ତି ଏବଂ ସେ ଆପ୍‌ ଟିକେଟରେ ନିର୍ବାଚନ ଜିତିଥିଲେ। ଅନ୍ୟପକ୍ଷେ ଆପ୍‌ ଉକ୍ତ ଆସନରୋ ପୱନ କୁମାର ଟିନୁଙ୍କୁ ପ୍ରାର୍ଥୀ କରିଛି।

ମଣ୍ଡି : ହିମାଚଳପ୍ରଦେଶର ମଣ୍ଡି ଆସନରୁ ଫିଲ୍ମ ଅଭିନେତ୍ରୀ କଙ୍ଗନା ରାଣାୱତ ନିର୍ବାଚନ ଲଢ଼ୁଛନ୍ତି। ପ୍ରଥମ ଥର ପାଇଁ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ଅନ୍ୟପକ୍ଷେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅଙ୍କୁ କଂଗ୍ରେସ ଉକ୍ତ ଆସନରେ ପ୍ରାର୍ଥୀ କରିଛି।

କାରାକଟ : ଭୋଜପୁରୀ ଷ୍ଟାର ପୱନ ସିଂହ ଏହି ଆସନରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଆରଏମ୍‌ଏ (ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା)ରୁ ଉପେନ୍ଦ୍ର କୁଶୱାହା ଉକ୍ତ ଆସନରେ ନିର୍ବାଚନ ଲଢ଼ୁଥିବାବେଳେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆର ରାଜା ରାମ ସିଂହ ମଧ୍ୟ ଉକ୍ତ ଆସନରେ ନିର୍ବାଚନ ଲଢ଼ୁଛନ୍ତି।