କାଠମାଣ୍ଡୁ : ନେପାଳରେ ବିସ୍ଫୋରକ ସ୍ଥିତି ଉପୁଜିଛି। ୨୬ ସୋସିଆଲ ମିଡିଆ ପ୍ଲାଟଫର୍ମ ନିଷିଦ୍ଧ ଘଟଣାକୁ ବିରୋଧ କରି ନେପାଳରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଇଛି। ସୋମବାର ଆରମ୍ଭ ହୋଇଥିବା ହିଂସା ନ ଥମିବାରୁ ନେପାଳ ସରକାର ଏହି ନିଷେଧାଦେଶ ଉଠାଇଦେଇଥିଲେ ବି ଆନ୍ଦୋଳନକାରୀ ଥଣ୍ଡା ପଡ଼ିନାହାନ୍ତି। ସେମାନେ ମଙ୍ଗଳବାର ବ୍ୟାପକ ହିଂସା ଘଟାଇବା ସହ ପୋଡ଼ାଜଳା କରିଛନ୍ତି। ଆନ୍ଦୋଳନକାରୀ ଆଜି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଏବଂ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି। ସୋସିଆଲ ମିଡିଆରେ ଜାରି ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି ଯେ, ଆନ୍ଦୋଳନକାରୀ ରାଷ୍ଟ୍ରପତିଙ୍କ ବାସଭବନରେ ନିଆଁ ଲଗାଇ ଭଙ୍ଗାରୁଜା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରରଣ୍ଡ ଓ ଶେର ବାହାଦୁର ଦେଉବା, ଶକ୍ତି ମନ୍ତ୍ରୀ ଦୀପକ ଖଡକାଙ୍କ ବାସଭବନରେ ମଧ୍ୟ ଆନ୍ଦୋଳନକାରୀ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆନ୍ଦୋଳନକାରୀମାନେ ନେପାଳ ସଂସଦରେ ପଶି ନିଆଁ ଲଗାଇ ଦେଇଛନ୍ତି। ସୁପ୍ରିମ୍କୋର୍ଟ ସମେତ ଶତାଧିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି। ଏକ ଭାବନୀୟ ଘଟଣାକ୍ରମରେ ଆନ୍ଦୋଳନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖନଲଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି। ନିଆଁରେ ପୋଡ଼ି ହୋଇ ଖନଲଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକାରଙ୍କ ମୃତ୍ୟୁ ହୋଇଯାଇଛି। ଆନ୍ଦୋଳନକାରୀ ନିଆଁ ଲଗାଇବା ସମୟରେ ସେ ଘରେ ଥିଲେ ଏବଂ ତାଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହଜାର ହଜାର ଆନ୍ଦୋଳନକାରୀ ନଖୁ ଜେଲ୍ରେ ଚଢ଼ଉ କରି ସେଠାରୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ରବି ଲାମିଛେନଙ୍କୁ ମୁକ୍ତ କରିଛନ୍ତି।
ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ ଦେଶରୁ ଖସିଯିବାପାଇଁ ନେତାମାନଙ୍କୁ ହେଲିକପ୍ଟର ଯୋଗାଉଥିବା ସାମରିକ ବିମାନ ସଂସ୍ଥାର କୋଠାରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି। ନେପାଳ ଅର୍ଥମନ୍ତ୍ରୀ ବିଷ୍ଣୁ ପ୍ରସାଦ ପୌଡେଲଙ୍କ ସମେତ ପ୍ରାୟ ୪ ଜଣ ମନ୍ତ୍ରୀଙ୍କୁ ଆଜି ଆନ୍ଦୋଳନକାରୀ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ୬୫ ବର୍ଷୀୟ ପୌଡେଲ ଆଜି ରାସ୍ତାରେ ମାଡ଼ ଖାଇ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ ବାସଭବନ ସମେତ ୪୦ରୁ ଅଧିକ ନେତାଙ୍କ ବାସଭବନ ଉପରେ ଭୟାନକ ଆକ୍ରମଣ ହୋଇଛି।
ଇତିମଧ୍ୟରେ ନେପାଳ ସେନା ଓ ଅନ୍ୟ ସୁରକ୍ଷା ସଂସ୍ଥାର ମୁଖ୍ୟମାନେ କଥାବର୍ତ୍ତା ମାଧ୍ୟମରେ ସଙ୍କଟର ସମାଧାନ କରିବା ପାଇଁ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଏନେଇ ଏକ ମିଳିତ ବିବୃତି ଜାରି କରିଛନ୍ତି। ଶାନ୍ତି ଓ ଜାତୀୟ ଏକତା ବଜାୟ ରଖିବାରେ ଗଠନମୂଳକ ଭୂମିକା ଗ୍ରହଣ କରିବା ପାଇଁ ନେପାଳ ସେନା ଅନୁରୋଧ କରିଛି। ନେପାଳ ରାଜଧାନୀ କାଠମାଣ୍ଡୁରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଥିବା ଜେନ୍-ଜେଡ୍ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ଅନୁରୋଧପତ୍ର ଜାରି ହୋଇଛି। ଏଥିରେ ଆନ୍ଦୋଳନକାରୀଙ୍କୁ ଶାନ୍ତ ହେବା ପାଇଁ ଅନୁରୋଧ କରାଯାଇଛି। ପ୍ରଶାସନ ଆଣ୍ଠେଇ ପଡ଼ିଛି ଏବଂ ଏହି ଦେଶ ଏବେ ଆମ ନେତୃତ୍ବାଧୀନ ବୋଲି କୁହାଯାଇଛି। ଧୈର୍ଯ୍ୟର ସହ ଆଗକୁ ବଢ଼ିବାପାଇଁ ଜେନ୍-ଜେଡ୍ ପକ୍ଷରୁ କୁହାଯାଇଥିବା ବେଳେ ଅନ୍ତରୀଣ ସରକାର ଗଠନରେ ଏହାର ଭୂମିକା ନିର୍ଣ୍ଣାୟକ ରହିବ ବୋଲି ଜଣାପଡ଼ିଛି।
ନେପାଳ ବିଦ୍ରୋହର ନେତା ସୁଦାନ ଗୁରୁଙ୍ଗ କିଏ?
ସେପ୍ଟେମ୍ବର ୪ରେ ଫେସବୁକ୍, ଇନ୍ଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ୟୁଟ୍ୟୁବ୍ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଉପରେ ସରକାର ପ୍ରତିବନ୍ଧକ ଲଗାଇବା ପରେ ସୋମବାରଠାରୁ ନେପାଳରେ ଭୟଙ୍କର ଯୁବ ବିଦ୍ରୋହ ଆରମ୍ଭ ହୋଇଛି, ଯାହାକୁ ଜେନ୍-ଜେଡ୍ ବିଦ୍ରୋହ ବୋଲି କୁହାଯାଉଛି। ଭୟଙ୍କର ସଂଘର୍ଷ ଯୋଗୁ ସେନା ଏବେ ସମସ୍ତ ପ୍ରମୁଖ ଅଂଚଳର ସୁରକ୍ଷା ନିଜ ହାତକୁ ନେଇଥିବା ଏହି ବିକ୍ଷୋଭର ନେତୃତ୍ବ ସମସ୍ତଙ୍କୁ ବିସ୍ମିତ କରିଛି। ଏନ୍ଜିଓ ହାମି ନେପାଳର ସଭାପତି ୩୬ ବର୍ଷୀୟ ସୁଦାନ ଗୁରୁଙ୍ଗ ସମଗ୍ର ଆନ୍ଦୋଳନର ପରିକଳ୍ପନା କରିବା ସହ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ନିର୍ଣ୍ଣାୟକ ଭୂମିକା ନେଇଥିବା କୁହାଯାଉଛି। ବ୍ୟାପକ ହିଂସା ଘଟିବା ସତ୍ତ୍ବେ ସେ ଏହି ପ୍ରଦର୍ଶନକୁ ଶାନ୍ତିପୂର୍ଣ୍ଣ ବୋଲି କହିଛନ୍ତି। ବ୍ଲାକ୍ଆଉଟ୍ ପୂର୍ବରୁ, ହାମି ନେପାଳ ସୋସିଆଲ ମିଡିଆ ବ୍ୟବହାର କରି ବିକ୍ଷୋଭ ମାର୍ଗ ଓ ସୁରକ୍ଷା ନିର୍ଦ୍ଦେଶନାମା ଜାରି କରିଥିଲେ। ୨୦୧୫ ଭୂକମ୍ପ ପରେ ଗଠିତ ଏକ ଯୁବ ଏନ୍ଜିଓ ହାମି ନେପାଳର ସଭାପତି ଗୁରୁଙ୍ଗ ଭୂକମ୍ପ ସମୟରେ ତାଙ୍କ ସନ୍ତାନକୁ ହରାଇଥିଲେ, ଯାହା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ଏକଦା କାର୍ଯ୍ୟକ୍ରମ ସଂଗଠକ ଭାବେ କାର୍ଯ୍ୟ କରିବା ପରେ ସେ ବିପର୍ଯ୍ୟୟ ରିଲିଫ୍ ଓ ନାଗରିକ କାର୍ଯ୍ୟରେ ମନୋନିବେଶ କରିଥିଲେ। ବିଭିନ୍ନ ଯୁବ ସଂଗଠନକୁ ଏକଜୁଟ କରିବାରେ ସେ ପ୍ରମୁଖ ଭୂମିକା ନେଇଛନ୍ତି।