କଂସେଇ ମାନସିକତାର ମଣିଷ, ସୁରିନ୍ଦର କୋଲିଠୁ ଅଫତାବ ଆମିନ ଯାଏ

ନୂଆଦିଲ୍ଲୀ: ଅଫତାବ ଆମିନ ପୁନାୱାଲା ତା’ ଲିଭ୍-ଇନ୍ ସଙ୍ଗିନୀ ଶ୍ରଦ୍ଧା ୱାକରକୁ ତଣ୍ଟିଚିପି ହତ୍ୟା କରିବା ପରେ ୩୫ ଖଣ୍ଡ କଲା, ବଡ଼ ଫ୍ରିଜ୍ କିଣି ସେଥିରେ ରଖିଲା ଏବଂ ରାତିଅଧରେ ସେଗୁଡ଼ିକୁ ୧୬ ଦିନରେ ନେଇ ଜଙ୍ଗଲରେ ଫିଙ୍ଗିଲା। ଏହି ଖବର ପ୍ରକାଶ ପାଇବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି।

ଅଫତାବ ମଧ୍ୟ ଧରା ନ ପଡ଼ିବା ପାଇଁ ବିଭିନ୍ନ କୌଶଳ ଗୁଗ୍‌ଲରୁ ସର୍ଚ୍ଚ କରି ଶିଖିଥିଲା। ରକ୍ତକୁ ସଫା କରିବା ପାଇଁ ରାସାୟନିକ ବ୍ୟବହାର କରିବା ସହ ଗନ୍ଧରୁ ରକ୍ଷା ପାଇବା ପାଇଁ ୧୬ ଦିନ ଯାଏ ଅଗରବତି ଜାଳିଥିଲା। ସେହି ଘରେ ସେ ନୂଆ ଗାର୍ଲଫ୍ରେଣ୍ଡ ସହ ବି ବାସ କରିଥିଲା ଏବଂ ମୁକ୍ତ ଭାବରେ ଜାତୀୟ ରାଜଧାନୀରେ ମାସ ମାସ ଧରି ବୁଲାବୁଲି କରିଥିଲା।

ସାମାଜିକ ଗଣମାଧ୍ୟମରେ ସମ୍ପ୍ରତି ଅଫତାବକୁ କଠିନତମ ଦଣ୍ଡ ପ୍ରଦାନ ପାଇଁ ଦାବି ଉଠୁଥିବା ବେଳେ ଶ୍ରଦ୍ଧାର ପରିବାର ପକ୍ଷରୁ ମୃତ୍ୟୁଦଣ୍ଡ ଦାବି କରାଯାଇଛି। ଏହି ଘଟଣା ଏବେ କେତେକ ପୁରୁଣା କଂସେଇଙ୍କ ଚିତ୍ର ମନେପକାଇଦେଉଛି, ଯେଉଁମାନେ ତଦ୍ରୂପ ବା ତତୋଽଧିକ ଜଘନ୍ୟ ଅପରାଧ କରିଥିଲେ। ସେମାନେ ହେଉଛନ୍ତି ସୁରେନ୍ଦ୍ର କୋଲି, ରାଜା କୋଲାଣ୍ଡର ଓ ଚନ୍ଦ୍ରକାନ୍ତ ଝା। ଏମାନେ ସମସ୍ତେ ଜଣେ ଜଣେ କଂସେଇ ମାନସିକତାସମ୍ପନ୍ନ ମାନସିକ ରୋଗୀ। ଏମାନଙ୍କ ହୃଦୟରେ ଦୟାମାୟା ବୋଲି କିଛି ନ ଥାଏ। ଏମାନଙ୍କ ମଧ୍ୟରୁ କାହାକୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି ତା କାହାର ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡ ଦିଆଯାଇଛି।
କଟାକଟି କାମ ସାଧାରଣତଃ କଂସେଇ, ରୋଷେଇଆ ଓ ମେଡିକାଲ ପ୍ରାକ୍ଟିସନର କରିଥାନ୍ତି।

ଏଭଳି କାମରେ ଏହି ଅପରାଧୀମାନେ ପୂର୍ବରୁ ଅଭ୍ୟସ୍ତ ଥିବା ଜଣାପଡ଼ିଛି। ପୁଲିସର କହିବା ଅନୁସାରେ ଅଫତାବ ଆମେରିକୀୟ କ୍ରାଇମ୍ ସୋ ଡେକ୍ସଟର ଦ୍ବାରା ଅନୁପ୍ରାଣିତ ହୋଇଥିଲା। ମାଂସକଟା ଛୁରିର ବ୍ୟବହାରରେ ସେ ଅଭ୍ୟସ୍ତ ଥିଲା କାରଣ ସେ ଥିଲା ଜଣେ ତାଲିମପ୍ରାପ୍ତ ରୋଷେଇଆ। ଛେଳି, କୁକୁଡ଼ା କାଟିବାର ଅଭ୍ୟାସ ଥିବାରୁ ମଣିଷକୁ କାଟିବା ବେଳେ ସେ କିଛି ଫରକ ଅନୁଭବ କରିପାରିନି। ଏହା ସପକ୍ଷରେ ତା’ର ବି ଏକ ଯୁକ୍ତି ଅଛି- ଶବକୁ ଛୋଟ ଛୋଟ ଖଣ୍ଡ କରି ନ ଥିଲେ ତାକୁ କେମିତି ଲୁଚେଇଥାନ୍ତା ବା ବାହାରେ ନେଇ ପକେଇଥାନ୍ତା? ଶବକୁ ଯେପରି କେହି ଚିହ୍ନି ନ ପାରିବେ ସେଥିପାଇଁ ତାକୁ ଛୋଟ ଛୋଟ ଖଣ୍ଡ କରି ଅଲଗା ଅଲଗା ଜାଗାରେ ପକେଇବାର ଆବଶ୍ୟକତା ବି ସେ ଅନୁଭବ କରିଥିଲା।

ନଏଡ଼ାର ନିଠାରିଠାରେ ବ୍ୟବସାୟୀ ମନିନ୍ଦର ସିଂହ ପାନ୍ଧେରଙ୍କ ଘରେ କେୟାରଟେକର ଭାବେ କାମ କରୁଥିବା ସୁରିନ୍ଦର କୋଲି ୨୦୦୫-୦୬ରେ ୧୯ରୁ ଅଧିକ ନାବାଳିକା ଝିଅ ଓ ପୁଅଙ୍କୁ ହତ୍ୟା କରିଥିଲା। ସେ ସେମାନଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରୁଥିଲା। ତା’ପରେ ସେମାନଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଡ୍ରେନ୍‌ରେ ପକାଇଦେଉଥିଲା। କୋଲି ମଣିଷ ମାଂସ ରାନ୍ଧି ଖାଇବା ଓ ଶବ ସହ ଦୁଷ୍କର୍ମ କରିବା ନେଇ ବି ଅଭିଯୋଗ ଉଠିଥିଲା। ତାକୁ ଏକାଧିକ ମାମଲାରେ ମୃତ୍ୟୁଦଣ୍ଡାଦେଶ ବା ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା।

ଉତ୍ତରପ୍ରଦେଶର ରାଜା କୋଲାଣ୍ଡର ଓରଫ ରାମ ନିରଞ୍ଜନ ପ୍ରାୟ ୧୫ ଜଣଙ୍କୁ ହତ୍ୟା କରିଥିଲା। ସେ ମୃତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ସିଝେଇ ଝୋଳ ପିଉଥିଲା। ୨୦୦୦ ମସିହାରେ ତାକୁ ଗିରଫ କରାଯାଇଥିଲା। ସେ ଲୋକଙ୍କ ପ୍ରବଳ ବୁଦ୍ଧି ଓ ସାମାଜିକ ମର୍ଯ୍ୟାଦାକୁ ଦେଖି ଈର୍ଷା କରୁଥିଲା ଏବଂ ସେମାନଙ୍କୁ ମାରି ମସ୍ତିଷ୍କର ଝୋଳ ପିଉଥିଲା।

ବିହାରର ଚନ୍ଦ୍ରକାନ୍ତ ଝା ଦିଲ୍ଲୀରେ ତିନିଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୨୦୧୩ରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ସେ ଯାହାଙ୍କୁ ହତ୍ୟା କରୁଥିଲା ତାଙ୍କ ଶରୀରର ଖଣ୍ଡ ଖଣ୍ଡ ଅଂଶ ନେଇ ତିହାର ଜେଲ ପରିସରରେ ପକାଉଥିଲା। ଏଥି ସହ ଏକ ଚିଠି ଲେଖି ଓ ଫୋନ୍ କରି ତାକୁ ଗିରଫ କରିବା ପାଇଁ ପୁଲିସକୁ ଆହ୍ବାନ ଦେଉଥିଲା। ସେ ବିହାରରୁ ଆସି ଦିଲ୍ଲୀରେ ଜଣେ ଶ୍ରମିକ ଭାବେ କାମ କରୁଥିଲା। ଏକ ମାମଲାରେ ଗିରଫ ହୋଇ ସେ ୪ ବର୍ଷ ଜେଲରେ ଥିବା ବେଳେ ଜେଲର ଗାର୍ଡମାନେ ତାକୁ ନିର୍ଯାତନା ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିବା ସହ ତା’ର ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିଲା। ସେ ଏବେ ତିହାର ଜେଲରେ ଅଛି ଏବଂ ତା’ର ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଛି।

ସମ୍ବନ୍ଧିତ ଖବର