ମୁମ୍ବାଇସ୍ଥିତ ଏଲପିଜି ‌ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ: ବିସ୍ଫୋରଣର ଶବ୍ଦ କ୍ରମାଗତ ଶୁଣିବାକୁ ମିଳୁଛି

ମୁମ୍ବାଇ: ମୁମ୍ବାଇସ୍ଥିତ ଅନ୍ଧେରୀ ଗ୍ୟାସ ଗୋଦାମରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏଲପିଜି ସିଲିଣ୍ଡର ଗୋଦାମରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଏକ ବାତାବରଣ ଖେଳିଯାଇଛି। ଉକ୍ତ ସ୍ଥାନକୁ ଯୁଦ୍ଧକାଳିନ ଭିତ୍ତିରେ ଖାଲି କରାଯାଇଛି।

ଗୋଦାମରେ ବିସ୍ଫୋରଣ ସମୟରେ ପାଖାପାଖି ୫୦୦ସିଲିଣ୍ଡର ରଖା ଯାଇଥିଲା। ସେଥିପାଇଁ ଗୋଟିଏ ସିଲିଣ୍ଡର ବିସ୍ଫୋରଣ ପରେ ନିଆଁ ବ୍ୟାପି ଯାଇଥିଲା। ନିଆଁ ଲାଗିବା ପରେ ଅନେକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ୧୬ଟି ଅଗ୍ନିଶମ ଗାଡି ଓ ୩ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବାନୁସାରେ, ଏହି ଅଗ୍ନିକାଣ୍ଡ ଲିକେଜ ହେତୁ ଘଟିଛି। ଏହା ଦ୍ବିତୀୟସ୍ତର ଅଗ୍ନିକାଣ୍ଡ ହେତୁ ଘଟଣା ଗୁରୁତର ରହିଛି। ନିଆଁ ଲାଗିବା ଖବର ୧୦ଟା ବେଳେ ମିଳିବା ପରେ ତୁରନ୍ତ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଘଟଣାସ୍ଥଳରୁ ଆହତ ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ କେତେଜଣଙ୍କ ଘରେ ଲାଗିଥିବା କାଚ ଭାଙ୍ଗି ଯାଇଛି। ଏଥିସହିତ ଗୋଦାମରେ ନିଆଁ ଲାଗିବା ପର ଠାରୁ କ୍ରମାଗତ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର