ନୂଆଦିଲ୍ଲୀ: କୁଆଡେ ଗଲେ ପହଲଗାମ୍ ଆକ୍ରମଣକାରୀ ? ୨୬ ନିରୀହ ଜୀବନ ନେଇ କୁଆଡେ ଫେରାରେ ହୋଇଗଲେ ୫ ଆତଙ୍କୀ ? ପହଲଗାମ୍ ହମଲାକୁ ଇତିମଧ୍ୟରେ ମାସେ ପୂରି ଯାଇଥିବା ବେଳେ ଆକ୍ରମଣରେ ଲିପ୍ତ ଥିବା ଏବଂ ବନ୍ଧୁକ ମୁନରେ ହତ୍ୟା କରିଥିବା ସେହି ମୁସା ଫୌଜୀ ଗ୍ୟାଙ୍ଗର ଆତଙ୍କବାଦୀଙ୍କ ପତ୍ତା ମିଳୁନି । ଅପରେସନ ଚାଲିଛି ହେଲେ ସେମାନଙ୍କର କିଛି ବି ଠୋସ୍ ଖବର ମିଳୁନି । ଆକ୍ରମଣକୁ ୩୦ ଦିନ ବିତିଯାଇଥିଲେ ବି ଏଯାଏଁ ସେମାନଙ୍କୁ ଧରିନପାରିବା  ତଦନ୍ତକାରୀ ସଂସ୍ଥା ଉପରେ ବଡ ପ୍ରଶ୍ନ ଚିହ୍ନ ଲଗାଇଥିବା ବେଳେ- ଏମିତି  ଆତଙ୍କୀ କୁଆଡେ ଉଭାନ ହେଇଗଲେ ଯେ ସେମାନଙ୍କୁ ପାଇବା କଷ୍ଟ କର ହେଇଯାଉଛି ବୋଲି ଲୋକେ କହିଲେଣି । ସେମାନେ କଣ ଆଉ ଅନ୍ତର୍ଦ୍ଧାନ ହେଇଗଲେନା କଣ ? ବୋଲି ବି କିଛି ସ୍ଥାନୀୟ ଲୋକେ କହିଛନ୍ତି ।

Advertisment

ପହଲଗାମ୍ ହମଲା ପରେ ଆତଙ୍କୀଙ୍କୁ ପାନେ ଦେବାକୁ ଅପରେସନ ସିନ୍ଦୂରରେ ପାକିସ୍ତାନରେ ପଶି ୯ଟି ଆତଙ୍କୀ ଆଡ୍ଡା ଧ୍ବଂସ କରାଗଲା । ପାକିସ୍ତାନ ଉପରେ ଆକ୍ସନ ନିଆଗଲା । ପାକିସ୍ତାନକୁ ବିଶ୍ବ ସ୍ତରରେ ଘେରିବାକୁ ଯୋଜନା ହେଲା । ପାକିସ୍ତାନର ଏୟାର ବେସ୍ ଧ୍ବଂସ କରାଗଲା । ଜ୍ୟୋତି ମାଲହୋତ୍ରା ଭଳି ୧୧ ଗୁପ୍ତଚରଙ୍କୁ ବି ଗିରଫ କରାଗଲା । ଯେଉଁ ଆକ୍ରମଣର ବଦଲା ନେବାକୁ ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଲା ସେହି ଆକ୍ରମଣ ଭିଆଇଥିବା ଆତଙ୍କୀ କିନ୍ତୁ ଏଯାଏଁ ଧରାପଡିଲେନି କି ସେମାନଙ୍କୁ ଏଯାଏଁ ହତ୍ୟା କରାଗଲାନି ।

ଏବେବି ସେମାନେ କେଉଁଠି ଲୁଚିଥିବା ବେଳେ ସେନା ପକ୍ଷରୁ ଏବଂ ଏନଆଇଏ ପକ୍ଷରୁ ଖୋଜା ଚାଲିଛି । ପାକିସ୍ତାନର ୩ ଆତଙ୍କୀଙ୍କ ସମେତ ମୋଟ ୫ ଜଣ ଏକାଣ୍ଡ ଭିଆଇଥିବା ବେଳେ ସେହଗି ଆତଙ୍କୀଙ୍କୁ ଧରିବାକୁ ପୋଲିସ ପକ୍ଷରୁ ମଧ୍ୟ ସ୍କେଚ୍ ଜାରି ହୋଇଥିଲା । ଖାଲି ସ୍କେଚ ନୁହେଁ ଆତଙ୍କବାଦୀଙ୍କ ବାବଦରେ ଖବର ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ବି ଘୋଷଣା ହୋଇଛି । ଇତିମଧ୍ୟରେ ୧୫୦ରୁ ଅଧିକ ସ୍ଥାନୀୟ ଲୋକ, ସନ୍ଦେହରେ ଥିବା ଲୋକ, ସ୍ଥାନୀୟ ଦୋକାନୀ, ପହଲଗାମରେ ଫଟୋ ଉଠାଉଥିବା ଫଟୋଗ୍ରାଫର, ଘୋଡା ଚାଳକ ଏବଂ ଜିପଲାଇନ ଅପରେଟରଙ୍କୁ ଘନଘନ ଜେରା ସହ ପଚରାଉଚରା କରିବା ପରେ ବି ଆତଙ୍କୀଙ୍କର ଖବର ମିଳୁନି ।

କୁହାଯାଉଛି  ପହଲଗାମ ଏମିତି ଏକ ଅଞ୍ଚଳ ଯେଉଁଠି ସହଡରେ ଗାଡି ପହଞ୍ଚିବା ଅସମ୍ଭବ । ଯିବା ଆସିବା ପାଇଁ ସମୟ ଲାଗୁଥିବାରୁ ଏମିତି ଏକ ସ୍ଥାନକୁ ଆକ୍ରମଣ ପାଇଁ ଆତଙ୍କୀ ବାଛିଥିଲେ  କାରଣ ସେମାନେ ଜାଣିଥିଲେ ଆକ୍ରମଣ ପରେ ସେନାବାହିନୀ ପହଞ୍ଚିବାକୁ ୧ ଘଣ୍ଟା ସମୟ ଲାଗିବ ଆଉ ସେହି ସମୟରେ ସେମାନେ ପଳାୟନ କରିବେ କିମ୍ବା ପୂର୍ବରୁ ପ୍ରସ୍ତୁତ ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନରେ ପହଞ୍ଚି ଲୁଚିଥାଇ ପାରନ୍ତି ।

କୁହାଯାଉଛି ଆକ୍ରମଣକାରୀମାନେ ଦକ୍ଷିଣ କାଶ୍ମୀରର ଜଙ୍ଗଲରେ ସୁଡଙ୍ଗ କିମ୍ବା ଗୁପ୍ତ ଆଡ୍ଡା କରି ଲୁଚି ରହି ଥାଇପାରନ୍ତି। ଏହି ଆଡ୍ଡା ସମ୍ଭବତଃ ପୂର୍ବରୁ ପ୍ରସ୍ତୁତ ଥାଇପାରେ । ତାସହ ମାସ ମାସ ଧରି ସେମାନେ ଚଳିବା ପାଇଁ ବହୁ ପରିମାଣରେ ଖାଦ୍ୟ ସହ ଅନ୍ୟାନ୍ୟ ସାମଗ୍ରୀ ଗଚ୍ଛିତ ଥାଇପାରେ । ଆକ୍ରମଣ ପରେ, ଆତଙ୍କବାଦୀମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସେହି ସ୍ଥାନରେ ଫୋପାଡ଼ି ଚାଲିଯାଇଥିବାରୁ ସେମାନଙ୍କୁ ଟ୍ରାକିଂ କରିବାକୁ ସମସ୍ୟା ସୃଷ୍ଟି କରିଛି । ଯେଉଁ ଆକ୍ରମଣ ପାଇଁ ଏତେ ସବୁ ଘଟିଗଲା, ସେମାନେ କିନ୍ତୁ ଏଯାଏଁ ଧରାପଡି ନାହାନ୍ତି । ଦେଖାଯାଉ କେବେ ଧରାପଡୁଛନ୍ତି ।