ଭୋପାଳ : ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଜଣେ ୬୦ ଦିନର ଶିଶୁର ଜୀବନ ବଞ୍ଚାଇବା ପାଇଁ ଜଣେ ମୁସଲିମ ଯୁବକ ରକ୍ତଦାନ କରିଛନ୍ତି। ଶିଶୁଟି ରକ୍ତହୀନତାର ଶିକାର ହୋଇଛି। ଶନିବାର ଶିଶୁର ସ୍ବାସ୍ଥ୍ୟାବସ୍ଥା ଅତି ଖରାପ୍‌ ହୋଇଗଲା ଏବଂ ରକ୍ତ ଦେବା ଅତି ଜରୁରୀ ହୋଇପଡ଼ିଥିଲା। ଶିଶୁର ବ୍ଲଡଗ୍ରୁପ୍‌ ହେଉଛି ଏ ପଜିଟିଭ୍‌। ଶିଶୁର ବାପା ଜିତେନ୍ଦ୍ର ରକ୍ତ ନପାଇ ବିଚଳିତ ହୋଇପଡ଼ିଥିଲେ। କୌଣସି ସୂତ୍ରରୁ ସେ ରଫତ ଖାନ୍‌ଙ୍କ ନମ୍ବର ପାଇ ତାଙ୍କୁ କଲ୍‌ କରିଥିଲେ। ରଫତ ଫୋନ କଲ୍‌ ପାଇବାପରେ ଅପେକ୍ଷା ନକରି ତୁରନ୍ତ ଜିଲ୍ଲା ହସ୍ପିଟାଲ ଯାଇ ଶିଶୁଟିକୁ ରକ୍ତ ଦେଇଥିଲେ। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା
ଏବେ ସ୍ଥିର ଅଛି ବୋଲି ଜିଲ୍ଲା ହସ୍ପିଟାଲ୍‌ର ନ୍ୟୁବର୍ନ କେୟାର ୟୁନିଟ ମୁଖ୍ୟ ଡାକ୍ତର ମୁକେଶ ପ୍ରଜାପତି କହିଛନ୍ତି। ତେବେ ଖାନ୍‌ ପ୍ରଥମ ଥର ପାଇଁ ରକ୍ତ ଦେଇନାହାନ୍ତି। ସେ ବର୍ଷକ ମଧ୍ୟ‌ରେ ଅନେକ ଥର ରକ୍ତ ଦେଇଛନ୍ତି। ଏଭଳି କାର୍ଯ୍ୟ ତାଙ୍କୁ ଖୁବ୍‌ ଆନନ୍ଦ ଦେଇଥାଏ ବୋଲି ସେ କହିଛନ୍ତି।