କଶ୍ମୀର ଘାଟିରେ ସୁରକ୍ଷା ବାହିନୀ ଆଗରେ ନୂଆ ଆହ୍ବାନ : ହାଇବ୍ରିଡ୍ ଆତଙ୍କବାଦୀ

ଶ୍ରୀନଗର: କଶ୍ମୀର ଘାଟିରେ ଆତଙ୍କବାଦ ବିରୋଧୀ ଅଭିଯାନ କ୍ଷେତ୍ରରେ ସୁରକ୍ଷାବାହିନୀକୁ ଗତ କିଛି ବର୍ଷ ହେଲା ଉଲ୍ଲେଖନୀୟ ସଫଳତା ମିଳିଚାଲିଛି । ଏହା ସତ୍ତ୍ବେ ସୁରକ୍ଷା ବାହିନୀ ଆଗରେ ଦିନକୁ ଦିନ ନୂଆ ନୂଆ ପ୍ରକାରର ଆହ୍ବାନ ସୃଷ୍ଟି ହେବାରେ ଲାଗିଛି । ଏପରି ଏକ ଆହ୍ବାନ ହେଉଛି ‘ହାଇବ୍ରିଡ୍ ଆତଙ୍କବାଦୀ’ କିମ୍ବା ‘ପାର୍ଟ ଟାଇମ୍’ ଆତଙ୍କବାଦୀମାନଙ୍କ ଆଗମନ ।

ପାର୍ଟ ଟାଇମ୍ ଆତଙ୍କବାଦୀମାନଙ୍କୁ ଆମେ ଅସ୍ଥାୟୀ ଆତଙ୍କବାଦୀ ବୋଲି କହିପାରିବା, ଯ଼େଉଁମାନେ ସ୍ଥାୟୀ ଭାବରେ କୌଣସି ଆତଙ୍କବାଦୀ ସଂଗଠନରେ ଯୋଗଦିଅନ୍ତି ନାହିଁ । ବରଂ ସେମାନେ ଅନ୍ୟ ସାଧାରଣ ଲୋକଙ୍କ ପରି ବିଭିନ୍ନ କାମଧନ୍ଦାରେ ବ୍ୟସ୍ତ ରୁହନ୍ତି, କିନ୍ତୁ ଗୋପନରେ ନିର୍ଦ୍ଦେଶ ମିଳିବା ପରେ ସେମାନେ ସକ୍ରିୟ ହୋଇ ଏକ ପିସ୍ତଲ କିମ୍ବା ଏକ ଛୁରୀ ସାହାଯ଼୍ୟରେ ସାଧାରଣ ଲୋକଙ୍କୁ ଆକ୍ରମଣ କରି ଆତଙ୍କ ସୃଷ୍ଟି କରନ୍ତି । ସେମାନେ ମୁଖ୍ୟତଃ ଅନ୍ୟ ସଂପ୍ରଦାୟର ଲୋକ, ପୁଲିସ କର୍ମଚାରୀ, ଆତଙ୍କବାଦକୁ ବିରୋଧ କରୁଥିବା ଲୋକମାନଙ୍କୁ ଟାର୍ଗେଟ୍ କରି ହତ୍ୟା କରନ୍ତି । ହତ୍ୟା କରିବା ପରେ ସେମାନେ ପୁଣି ନିଜ ନିଜର କାମଧନ୍ଦାରେ ବ୍ୟସ୍ତ ରୁହନ୍ତି । ସାଧାରଣ ଆତଙ୍କବାଦୀଙ୍କ ପରି ଏମାନଙ୍କ ସମ୍ପର୍କରେ ସୁରକ୍ଷା ବାହିନୀ, ଗୁଇନ୍ଦା ସଂସ୍ଥା ପାଖରେ କୌଣସି ତଥ୍ୟ ନଥାଏ । ଏଣୁ ଏମାନଙ୍କୁ ଧରିବା ବା ଅଟକେଇବା କଷ୍ଟକର ହୋଇପଡ଼େ ।

ଗତ କିଛି ସପ୍ତାହ ହେଲା କଶ୍ମୀର ଘାଟିରେ ଏପରି ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଗତ ମାସ ୧୭, ୨୨, ୨୩ ଓ ୨୭ ତାରିଖରେ ଘାଟିରେ ହାଇବ୍ରିଡ ଆତଙ୍କବାଦୀମାନେ ପୃଥକ୍ ପୃଥକ୍ ଆକ୍ରମଣ କରି ସାଧାରଣ ଲୋକ, ପୁଲିସ କର୍ମଚାରୀମାନଙ୍କୁ ହତ୍ୟା କରିଥିଲେ ।

 

ସମ୍ବନ୍ଧିତ ଖବର