ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଆଜି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ବ୍ରିଟେନର ସେ ପ୍ରଥମ ହିନ୍ଦୁ ଏବଂ ପ୍ରଥମ ଅଣ ୟୁରୋପୀୟ ଅଶ୍ବେତ ପ୍ରଧାନମନ୍ତ୍ରୀ। ଭାରତୀୟ ହିନ୍ଦୁ ଧର୍ମର ପ୍ରଥମ ବ୍ୟକ୍ତି ଭାବେ ଋଷି ବ୍ରି‌ଟେନର ନେତୃତ୍ବ ନେଇ ଇତିହାସ ସୃଷ୍ଟି କରିଛନ୍ତି। ଋଷିଙ୍କ ‌ଜେଜେ ବାପା ଏବଂ ମା’ ପଂଜାବର। ସେମାନେ ୧୯୬୦ ଦଶକରେ ପୂର୍ବ ଆଫ୍ରିକାରୁ ବ୍ରିଟେନକୁ ସ୍ଥାନାନ୍ତର ହୋଇଥିଲେ। ଋଷିଙ୍କ ବାପା ସାଉଥଆମ୍ପଟନ୍‌ର ଜ‌ଣେ ଡାକ୍ତର ଥିଲେ ଏବଂ ମା’ ଜଣେ ଫାର୍ମାସିଷ୍ଟ। ଋଷି ସୁନକ କାଲିଫର୍ଣ୍ଣିଆର ଷ୍ଟାନଫର୍ଡ ୟୁନିଭର୍ସିଟି ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପଢ଼ିବା ପୂର୍ବରୁ ଏକ ଭାରତୀୟ ରେସ୍ତୋରାଁରେ ୱେଟର ଭାବେ କାମ କରୁଥିଲେ। ଷ୍ଟାନଫର୍ଡ ବିଶ୍ବବିଦ୍ୟାଳୟରେ ଏମ୍‌ବିଏ ଶେଷ କରିବାପରେ ଋଷି ବିଭିନ୍ନ ବିନିଯୋଗ କମ୍ପାନିରେ କାମ କରିଛନ୍ତି।

Advertisment

ସାଉଥ ଆମ୍ପଟନରେ ଜନ୍ମ ହୋଇଥିବା ଋଷି ସୁନକ ପିଲାଦିନେ ଅଧିକାଂଶ ସମୟରେ ମନ୍ଦିରରେ ରହିବାକୁ ପସନ୍ଦ କରନ୍ତି। ତାଙ୍କ ୨ ଝିଅ ଅନୁଷ୍କା ଏବଂ କ୍ରୀଷ୍ଣା ମଧ୍ୟ ଭାରତୀୟ ସଂସ୍କୃତିରେ ଅନୁପ୍ରାଣିତ। ଋଷି ସାଂସଦ ହେବା ସମୟରେ ସେ ଭାଗବତ ଗୀତା ଛୁଇଁ ଶପଥ ନେଇଥିଲେ। ସୁନକ ବିଭିନ୍ନ କାର୍ଯ୍ୟକ୍ରମରେ କୁହନ୍ତି ଯେ ସେ ଜଣେ ବ୍ରିଟେନ୍‌ ନାଗରିକ ହେଲେ ମଧ୍ୟ ସେ ଜଣେ ‘ଗର୍ବିତ ହିନ୍ଦୁ’। ୪୨ ବର୍ଷ ବୟସରେ ଋଷି ସୁନକ ଦୀର୍ଘ ୨୦୦ ବର୍ଷ ପରେ ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୧୫ରେ ସାଂସଦ ନିର୍ବାଚିତ ହେବାର ମାତ୍ର ୭ ବର୍ଷ ପରେ ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ହାଉସ୍‌ ଅଫ୍‌ କମନ୍ସରେ ସବୁଠାରୁ ଧନୀ
ଷ୍ଟାନଫର୍ଡ ବିଶ୍ବବିଦ୍ୟାଳୟରେ ସୁନକ ଅକ୍ଷତାଙ୍କୁ ପ୍ରଥମେ ଭେଟିଥିଲେ। ୨୦୦୯ରେ ସେ ଅକ୍ଷତାଙ୍କୁ ବିବାହ କରିଥିଲେ। ଅକ୍ଷତା ଇନଫୋସିସ୍‌ ସହ ପ୍ରତିଷ୍ଠାତା ଏବଂ ଭାରତର ବିଶିଷ୍ଟ ଉଦ୍ୟୋଗୀ ଏନ୍‌.ଆର୍‌. ନାରାୟଣ ମୂର୍ତ୍ତିଙ୍କ ଝିଅ। ତାଙ୍କ ମା’ ସୁଧା ମୂର୍ତ୍ତି ଜଣେ ଫିଲାନଥ୍ରୋପିଷ୍ଟ୍‌। ସୁନକ ହାଉସ ଅଫ କମନ୍‌ସରେ ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୭୩୦ ନିୟୁତ ପାଉଣ୍ଡ। ସୁନକଙ୍କ ପତ୍ନୀ ବ୍ରିଟେନର ରାଣୀଙ୍କଠାରୁ ମଧ୍ୟ ଅଧିକ ଧନୀ ବୋଲି କୁହାଯାଉଛି। ସୁନକ ଏବଂ ଅକ୍ଷତାଙ୍କର ଲଣ୍ଡନ‌ରେ ଘର ରହିଛି। ସୁନକଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ୟୋର୍କସାୟର, ସେଣ୍ଟା ମୋନିକା ଏବଂ କାଲିଫର୍ଣ୍ଣିଆରେ ମଧ୍ୟ ସେମାନଙ୍କ ଘର ଅଛି।

ସୁନକ ୨୦୧୫ରେ ବ୍ରି‌ଟେନ ସଂସଦରେ ପ୍ରବେଶ କରିଥିଲେ। ୟୋର୍କସାୟାରର ରିଚମଣ୍ଡ ଆସନରେ ସେ ଜିତିଥିଲେ। ତେବେ ୨୦୨୦ ପର୍ଯ୍ୟନ୍ତ ତାଙ୍କୁ ଦଳ ବାହାରେ କେହି ଜାଣିନଥିଲେ। କିନ୍ତୁ ରାଜନୀତିରେ ସବୁକିଛି ଅତି ଶୀଘ୍ର ପରିବର୍ତ୍ତନ ହୋଇଥାଏ। ୨୦୨୦ ଫେବ୍ରୁଆରିରେ ସାଜିଦ ଜାଭିଦଙ୍କ ଇସ୍ତଫା ସହ ସୁନକଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଥିଲା। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ସୁନକଙ୍କୁ ଚାନ୍ସେଲର ପଦରେ ଅଧିଷ୍ଠିତ କରିଥିଲେ। ଏହାପରଠାରୁ ସୁନକ ରାଜନୀତି କ୍ଷେତ୍ରରେ ସଫଳତା ହାସଲ କରିଚାଲିବା ସହ ଆଜି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଇନିଂସ୍‌ ଆରମ୍ଭ କରିଛନ୍ତି।

ସୁନକଙ୍କ ପାଇଁ ଅନେକ ପ୍ରଥମ

ଲଣ୍ଡନ: ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ ହିଁ ବ୍ରଟେନ୍‌କୁ ଜଟିଳ ଆର୍ଥିକ ସଙ୍କଟରୁ ଉଦ୍ଧାର କରିପାରିବେ ବୋଲି କଞ୍ଜରଭେଟିଭ ଦଳ ପୂର୍ଣ୍ଣ ଭରସା ରଖିଛି। ଆଜି ଇତିହାସ ସୃଷ୍ଟି କରିଥିବା ସୁନକଙ୍କ ଜୀବନରେ ଅନେକ ପ୍ରଥମ ଅଛି ଏବଂ ସେଗୁଡ଼ିକ ହେଉଛି।
ପ୍ରଥମ ଭାରତୀୟ ବଂଶୋଦ୍ଭବ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ
ସୁନକ ୧୯୮୦ରେ ଇଂଲଣ୍ଡର ସାଉଥଏମ୍ପଟନ୍‌ରେ ଜନ୍ମ ହୋଇଥିଲେ। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ବ୍ରି‌‌ଟେନ ପ୍ରଧାନମନ୍ତ୍ରୀ।
ଭାଗବତ ଗୀତା ଛୁଇଁ ଶପଥ ନେବାରେ ପ୍ରଥମ କ୍ୟାବିନେଟ ମନ୍ତ୍ରୀ
ରିଷି ସୁନକ ବ୍ରିଟେନର ଅର୍ଥ ମନ୍ତ୍ରୀ ‌ହେବାପରେ ସେ ଭାଗବତ ଗୀତା ଛୁଇଁ ଶପଥ ନେଇଥିଲେ। ସୁନକ କହିଥିଲେ, ମୁଁ ଏବେ ବ୍ରିଟେନର ନାଗରିକ। କିନ୍ତୁ ମୋର ଧର୍ମ ହେଉଛି ହିନ୍ଦୁ । ମୋର ଧାର୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ହେଉଛି ଭାରତୀୟ। ପ୍ରଥମ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ‌ସେ ଗୀତା ଛୁଇଁ ଶପଥ ନେଇଥିଲେ।
ବ୍ରିଟେନର ପ୍ରଥମ ଅଣ ୟୁରୋପୀୟ ଅଶ୍ବେତ ପ୍ରଧାନମନ୍ତ୍ରୀ
ଋଷି ସୁନକ ହେଉଛନ୍ତି ବ୍ରିଟେନର ପ୍ରଥମ ଅଣ ୟୁରୋପୀୟ ଅଶ୍ବେତ ପ୍ରଧାନମନ୍ତ୍ରୀ। ଆର୍ଥିକ ନୀତି ପରିଚାଳନାରେ ତାଙ୍କ ଦକ୍ଷତା ଏବଂ ସବୁ ମହଲରେ ରହିଥିବା ଲୋକପ୍ରିୟତା ପାଇଁ ସେ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହୋଇପାରିଛନ୍ତି ବୋଲି କଞ୍ଜରଭେଟିଭ ଦଳର ବରିଷ୍ଠ ନେତାମାନେ କହିଛନ୍ତି।
ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ
ଦୀର୍ଘ ୨୦୦ରୁ ଅଧିକ ବର୍ଷ ପରେ ଋଷି ସୁନକ ୪୨ ବର୍ଷ‌ରେ ବ୍ରିଟେନର ପ୍ରଥମ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୱିଲିୟମ ପିଟ୍‌ ପୂର୍ବରୁ ମାତ୍ର ୨୪ ବର୍ଷ ବୟସରେ ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ।
ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସୁନକଙ୍କୁ ରାଜା ଚାର୍ଲସ ତୃତୀୟଙ୍କ ଦ୍ବାରା ନିଯୁକ୍ତି
ଲିଜ ଟ୍ରସ୍‌ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାର ୨ ଦିନ ପରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ହୋଇଥିଲା। ତେବେ ରାଜା ଚାର୍ଲସ ତୃତୀୟ ପ୍ରଥମ ଥର ପାଇଁ ସୁନକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି।