ଆର୍ୟନ୍‌ ଗିରଫ ମାମଲାର ନୂଆ ମୋଡ଼: ଛାଡ଼ିବା ପାଇଁ ୨୫ କୋଟି ମଗାଯାଇଥିବା ଅଭିଯୋଗ

ଏନ୍‌ସିବିର ଖଣ୍ଡନ, ବିଭ୍ରାନ୍ତିର ମୁକାବିଲା ପାଇଁ ପ୍ରସ୍ତୁତ

ମୁମ୍ବାଇ: ଜାହାଜ ଡ୍ରଗ୍ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ ସୁପର୍‌ଷ୍ଟାର୍ ଶାହରୁଖ ଖାନ୍‌ଙ୍କ ପୁତ୍ର ଆର୍ୟନ୍‌ ଖାନ୍‌ଙ୍କୁ ଛାଡ଼ିବା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍‌ସିବି) ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ତରଫରୁ ୨୫ କୋଟି ଟଙ୍କା ମଗାଯାଇଥିବା ଜଣେ ସାକ୍ଷୀଙ୍କ ଦେହରକ୍ଷୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏଭଳି ଅଭିଯୋଗ କେବଳ ବିଭ୍ରାନ୍ତି ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଏବଂ ଏଭଳି ମିଥ୍ୟା ତିଷ୍ଠି ରହିବ ନାହିଁ ବୋଲି ଏନ୍‌ସିବି ପକ୍ଷରୁ କୁହାଯାଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଡିଜି ଏକ ବିବୃତି ଜାରି କରି କହିଛନ୍ତି ଯେ ଏନ୍‌ସିବିର ଅଧିକାରୀମାନେ ଏଭଳି ଭିତ୍ତିହୀନ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି ଏବଂ ସଂପୃକ୍ତ ଅଭିଯୋଗକାରୀ ଉପଯୁକ୍ତ ଫୋରମ୍‌ରେ ଏ ବାବଦ ଅଭିଯୋଗ କଲେ ଏହାର ସମ୍ମୁଖୀନ ହେବାକୁ ଆମେ ପ୍ରସ୍ତୁତ ରହିଛୁ।

ଏନ୍‌ସିବି ସାକ୍ଷୀ କେପି ଗୋସାବିଙ୍କ ଦେହରକ୍ଷୀ ପ୍ରଭାକର ଶୈଳ ଏକ ନୋଟାରୀକୃତ ସତ୍ୟପାଠ ମାଧ୍ୟମରେ ଦାବି କରିଛନ୍ତି ଯେ ୱାଙ୍ଖଡ଼େଙ୍କ ତରଫରୁ ଗୋସାବି ଉକ୍ତ ଟଙ୍କା ଦାବି କରିଥିଲେ। ଆର୍ୟନ୍ ଖାନ୍‌ଙ୍କ ସହ ଯେଉଁ କେପି ଗୋସାବିଙ୍କ ସେଲ୍‌ଫି ଭାଇରାଲ ହୋଇଥିଲା, ଉକ୍ତ ଡ୍ରଗ୍ ମାମଲାରେ ସେ ବି ଜଣେ ସାକ୍ଷୀ ଏବଂ ସେ ବର୍ତ୍ତମାନ କୁଆଡ଼େ ଫେରାର ହୋଇଯାଇଛନ୍ତି। ପ୍ରଭାକର ଶୈଳ ଦାବି କରିଛନ୍ତି ଯେ, ଆର୍ୟନ୍ ଖାନ୍‌ଙ୍କ ଗିରଫଦାରି ପରେ ହୋଇଥିବା ଟଙ୍କା କାରବାରର ସେ ଜଣେ ସାକ୍ଷୀ। ଚଢ଼ାଉ ଦିନ ସେ ଗୋସାବିଙ୍କ ସାଙ୍ଗରେ ଥିଲେ ବୋଲି ଉକ୍ତ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ଶୈଳ ପୁଣି ଦାବି କରିଛନ୍ତି ଯେ, ଏନ୍‌ସିବି ଅଫିସ୍ ନିକଟରେ ସାମ୍‌ ନାମକ ଜଣେ ବ୍ୟକ୍ତି ଏବଂ ଗୋସାବି ଭେଟାଭେଟି ହୋଇଥିବା ସେ ଦେଖିଥିଲେ। ସମେ୍‌ ଲୋୟର ପାରେଲ ପାଖକୁ ଗାଡ଼ି ଚଲାଇ ଗଲେ, ଯେଉଁଠି ଆଉ ଗୋଟିଏ ନୀଳ ରଙ୍ଗର କାର୍ ଥିଲା। ଶାହରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦାଦଲାନି ସେଥିରେ ବସିଥିଲେ। ଗୋସାବି ଓ ସାମ ତାଙ୍କ ସହ କଥାବାର୍ତ୍ତାବେଳେ ୨୫ କୋଟି ମାଗିଲେ କିନ୍ତୁ ୧୮ କୋଟିରେ ଛିଣ୍ଡିଲା। ଗୋସାବି କଥାବାର୍ତ୍ତା ବେଳେ କହୁଥିବାର ଶୁଣାଯାଉଥିଲା ଯେ ୮ କୋଟି ଟଙ୍କା ୱାଙ୍ଖଡ଼େ ନେବେ ଏବଂ ବାକି ୧୦ କୋଟି ଅନ୍ୟମାନଙ୍କ ଭିତରେ ବଣ୍ଟା ହେବ। ଶୈଳ ପୁଣି କହିଛନ୍ତି ଯେ, ତାଙ୍କୁ ପରଦିନ ସକାଳେ ତାରଦେଓ ପଠାଯାଇଥିଲା, ଯେଉଁଠାରେ ଏକ ଧଳା କାର୍‌ରୁ ସେ ୫୦ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। କିନ୍ତୁ ଗୋସାବି ତାଙ୍କୁ ଟ୍ରାଇଡେଣ୍ଟ ହୋଟେଲରେ ସାମକୁ ଟଙ୍କା ଫେରାଇ ଦେବା ପାଇଁ ପଠାଇଲେ। କାରଣ ୧୨ ଲକ୍ଷ ଟଙ୍କା କମ୍ ଥିଲା, ଅର୍ଥାତ୍ ୫୦ ଲକ୍ଷ ବଦଳରେ ଥିଲା ୩୮ ଲକ୍ଷ। ସେ ଗୋସାବିଙ୍କୁ କହିଲେ ଯେ, ସେ ଦୁଇ ବା ତିନି ଦିନ ଭିତରେ ଟଙ୍କା ଦେଇଦେବେ।

ସେହିଦିନ, ପୂର୍ବରୁ ପ୍ରଭାକର ଶୈଳ ଅଭିଯୋଗ କରିଥିଲେ ଯେ, ଉକ୍ତ ମାମଲାରେ ଏନ୍‌ସିବିର ଏକ ଫାଙ୍କା ପଞ୍ଚନାମାରେ ତାଙ୍କୁ ଦସ୍ତଖତ କରିବାକୁ କୁହାଯାଇଥିଲା। ବର୍ତ୍ତମାନ କେପି ଗୋସାବି ସନ୍ଦେଜନକ ଭାବେ ନିଖୋଜ ହୋଇ ଯାଇଥିବାରୁ ସମୀର ୱାଙ୍ଖଡ଼େଙ୍କ ଆଡ଼ୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଶୈଳ ପ୍ରକାଶ କରିଥିଲେ। ପ୍ରଭାକର ଶୈଳ ମଧ୍ୟ ଚଢ଼ଉ ସମୟର କେତେକ ଭିଡିଓ ଓ ‌ଫଟୋ ଉଠାଇଥିଲେ। ଗୋଟିଏ ଭିଡିଓରେ ଦେଖାଯାଉଛି ଯେ ଗୋସାବି ଏକ ଫୋନ୍‌ର ସ୍ପିକର ଅନ୍ କରିଛନ୍ତି ଏବଂ ଆର୍ୟନ୍ ଖାନ୍ କାହା ସହ କଥା ହେଉଛନ୍ତି। ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ଜାମିନ ଆବେଦନ ଖାରଜ କରିଦେବା ପରେ ଆର୍ୟନ୍ ଖାନ୍ ବର୍ତ୍ତମାନ ଏବେ ଜେଲ୍‌ରେ ଅଛନ୍ତି।

ୱାଙ୍ଖଡ଼େଙ୍କୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେଙ୍କ ସମର୍ଥନ, ପଛୁଆବର୍ଗର ହୋଇଥିବାରୁ ଟାର୍ଗେଟ୍‌

ମୁମ୍ବାଇ: ହାଇପ୍ରୋଫାଇଲ୍‌ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କୁ ଲଗାତାର ଏନ୍‌ସିବି ନେତା ଏବଂ ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ନବାବ ମଲ୍ଲିକ ଟାର୍ଗେଟ୍‌ କରୁଛନ୍ତି। ତେବେ ମଲିକ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନେ ଯୋଜନାବଦ୍ଧ ଭାବେ ୱାଙ୍ଖଡ଼େଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରୁଛନ୍ତି ଏବଂ ତାଙ୍କ ବିରୋଧରେ ଲଗାତାର ମିଛ କୁହାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି। ୱାଙ୍ଖଡ଼େ ପଛୁଆ ବର୍ଗର ହୋଇଥିବାରୁ ଜାଣିଶୁଣି ତାଙ୍କୁ ବଦନାମ କରବା ପାଇଁ ଷଡ଼ଯନ୍ତ୍ର ହୋଇଛି ବୋଲି ଅଠାବଲେ କହିଛନ୍ତି। ଗୋଟିଏ ପରେ ଗୋଟିଏ ମିଥ୍ୟା ଅଭିଯୋଗ ଆଣି ଏନ୍‌ସିବି ନିର୍ଦ୍ଦେଶକଙ୍କୁ ବିଚଳିତ କରବାକୁ ନବାବ ମଲିକ ଚଳାଇଥିବା ପ୍ରୟାସ ସଫଳ ହେବନାହିଁ ବୋଲି ସେ କହିଛନ୍ତି। ମଲିକଙ୍କ ଜ୍ବାଇଁଙ୍କ ବିରୋଧରେ ଏନ୍‌ସିବି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବାରୁ ଏଥିରେ କ୍ରୋଧିତ ହୋଇ ସେ ଗୋଟିଏ ପରେ ଗୋଟିଏ ମିଥ୍ୟା କହିଚାଲିଛନ୍ତି ବୋଲି ଅଠାବଲେ କହିଛନ୍ତି।

ସମ୍ବନ୍ଧିତ ଖବର