ମୁମ୍ବାଇ: ଆର୍ୟନ୍ ଖାନ୍ ଡ୍ରଗ୍ସ ମାମଲା ଆଜି ଏକ ନୂଆ ମୋଡ଼ ନେଇଛି। ଧୁଲେ ଅଂଚଳର ଏନ୍ସିପି କର୍ମୀ ସୁନୀଲ ପାଟିଲ ହି ସମଗ୍ର ମାମଲାର ‘ମାଷ୍ଟରମାଇଣ୍ଡ’ ଏବଂ ସେ ଏନ୍ସିପି ନେତାଙ୍କ ସହ ଅତି ଘନିଷ୍ଠ ବୋଲି ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଛି। ପାଟିଲଙ୍କ ଜରିଆରେ ବିଜେପିକୁ ବଦନାମ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ହୋଇଛି ବୋଲି ଦଳ ଅଭିଯୋଗ କରିଛି।
ମହାରାଷ୍ଟ୍ର ବିଜେପି ନେତା ମୋହିତ କାମ୍ବୋଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ ବିଜେପିକୁ ବଦନାମ କରିବା ପାଇଁ ଏନ୍ସିପିର କିଛି ବରିଷ୍ଠ ନେତା ସୁନୀଲ ପାଟିଲଙ୍କୁ ଧରି ଷଡ଼୍ଯନ୍ତ୍ର ରଚିଛନ୍ତି। ମହାରାଷ୍ଟ୍ରର ଯେଉଁ ମନ୍ତ୍ରୀମାନେ ସୁନୀଲ ପାଟିଲଙ୍କୁ ଷଡ଼୍ଯନ୍ତ୍ର ରଚନା ପାଇଁ ପଠାଇଥିଲେ ସେମାନଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି କାମ୍ବୋଜ କହିଛନ୍ତି। ଏନ୍ସିପି ନେତାମାନେ ଡ୍ରଗ୍ ମାଫିଆଙ୍କୁ ସମର୍ଥନ କରିବା ସହ ଜଣେ ଅଫିସରଙ୍କୁ ନିଶାଣ କରିବା କଥା ସମସ୍ତ ଜାଣିସାରିଛନ୍ତି ଏବଂ ସେମାନେ ଏହାର ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାମ ନନେଇ କାମ୍ବୋଜ କହିଛନ୍ତି ଯେ ସେ ଦେଶମୁଖ ଡ୍ରଗ୍ ଚାଲାଣକାରୀଙ୍କ ସଂପର୍କରେ ଥିଲେ ଯିଏ କି ଦାଉଦ ଇବ୍ରାହିମ୍ର ଘନିଷ୍ଠ। ଏନ୍ସିପି ଏହାର ସ୍ପଷ୍ଟୀକରଣ ଦେବା ଉଚିତ ବୋଲି କାମ୍ବୋଜ ଦାବି କହିଛନ୍ତି। ସୁନୀଲ ପାଟିଲ ଓ ଅନ୍ୟମାନେ ଲିୟେଜନିଂ (ଯୋଗାଯୋଗ) କାମ କରନ୍ତି ଏବଂ ସେମାନେ ଏନ୍ସିପି ସହ ସମ୍ପୃକ୍ତ ବୋଲି ମତ ରଖି କାମ୍ବୋଜ କହିଥିଲେ ଯେ ଷଡ଼୍ଯନ୍ତ୍ରର ମାଷ୍ଟରମାଇଣ୍ଡ ହେଉଛନ୍ତି ସୁନୀଲ ପାଟିଲ। ତାଙ୍କ ଘର ଧୁଲେ ଏବଂ ଏନ୍ସିପି ସହ ତାଙ୍କର ୨୦ ବର୍ଷର ସମ୍ପର୍କ। ଅନିଲ ଦେଶମୁଖଙ୍କ ପୁଅ ହୃଷୀକେଶ ଦେଶମୁଖଙ୍କର ମଧ୍ୟ ସେ ଜଣେ ଘନିଷ୍ଠ ବନ୍ଧୁ। ୧୯୯୯ରୁ ୨୦୧୪ ଭିତରେ ସୁନୀଲ ପାଟିଲ ବଦଳି ଓ ନିଯୁକ୍ତି ପାଇଁ ଗୃହ ବିଭାଗ ସହ ଏକ ରୢାକେଟ୍ ଚଳାଉଥିଲେ।
କାମ୍ବୋଜଙ୍କ କହିବା ଅନୁସାରେ, ଏନ୍ସିପି ସଦସ୍ୟ ସୁନୀଲ ପାଟିଲ ଅକ୍ଟୋବର ପହିଲାରେ ସାମ ଡିସୌଜାଙ୍କୁ ଫୋନ୍ କଲେ ଏବଂ କହିଲେ ତାଙ୍କୁ ଜଣେ ଏନ୍ସିବି ଅଧିକାରୀଙ୍କ ସହ ଯୋଗାଯୋଗ କରାଇଦିଅନ୍ତୁ। ଅକ୍ଟୋବର ୨ ତାରିଖରେ ସୁନୀଲ ପାଟିଲ ସାମ ଡିସୌଜାଙ୍କୁ କହିଲେ ଯେ, କିରଣ ଗୋସାବି ଏନ୍ସିବି ସହ କଥା ହେବେ। ଜଣେ ଏନ୍ସିପି ସଦସ୍ୟ ଡ୍ରଗ୍ ପାର୍ଟି ବିଷୟରେ କେମିତି ଜାଣିଲେ ବୋଲି କାମ୍ବୋଜ ପ୍ରଶ୍ନ କରିଛନ୍ତି। ଡିସୌଜା ଜଣେ ବ୍ୟବସାୟିକ ପରାମର୍ଶଦାତା ଯିଏ କି ଅଭିନେତା ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ୍ ଖାନ୍ଙ୍କୁ ଡ୍ରଗ୍ ମାମଲାରେ ସାହାଯ୍ୟ କରିବା ପାଇଁ ମଧ୍ୟସ୍ଥି କାମ କରିଥିବା ଅଭିଯୋଗ ହୋଇଛି। କର୍ପୋରେଟ୍ ଲିୟେଜନ ଭାବେ କାମ କରୁଥିବା ସୁନୀଲ ପାଟିଲ କ୍ରୁଜ୍ ପାର୍ଟିରେ ବ୍ୟବହୃତ ଡ୍ରଗ୍ ବିଷୟରେ ତଥ୍ୟ ଦେବା ପାଇଁ ତାଙ୍କୁ ଫୋନ୍ କରି କହିଥିଲେ। କାମ୍ବୋଜ ପୁଣି ଅଭିଯୋଗ କରିଛନ୍ତି ଯେ, ଏନ୍ସିବି ସାକ୍ଷୀ କିରଣ ଗୋସାବି ମଧ୍ୟ ପାଟିଲଙ୍କ ଲୋକ। ବିଜେପିକୁ ନିନ୍ଦିତ କରିବା ପାଇଁ ଏହା ଏକ ବଡ଼ ଷଡ଼୍ଯନ୍ତ୍ର। ସୁନୀଲ ପାଟିଲ ସହ ଏନ୍ସିପିର କ’ଣ ସମ୍ପର୍କ ଅଛି ତାହା ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଥିଲେ। କାମ୍ବୋଜ କହିଥିଲେ ଯେ ସୁନୀଲ ପାଟିଲ ଏକ ବଡ଼ ହୋଟେଲରେ ଏକ ସୁଟ୍ ବୁକ୍ କରିଥିଲେ। ଏନ୍ସିପିର କେଉଁ ନେତାମାନେ ତାଙ୍କ ସହ ସେଥିରେ ଯୋଗ ଦେଇଥିଲେ, ନୱାବ ମଲିକ ଏହାର ଉତ୍ତର ଦିଅନ୍ତୁ ବୋଲି କାମ୍ବୋଜ ଆହ୍ବାନ ଦେଇଛନ୍ତି। ତେବେ ଏହାର ଜବାବରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ କହିଛନ୍ତି, ସମୀର ୱାଙ୍ଖଡ଼େଙ୍କ ବେସରକାରୀ ସେନାର ଜଣେ ସଦସ୍ୟ ସତ୍ୟକୁ ବାଟବଣା କରିବା ଓ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କିନ୍ତୁ ସତ୍ୟ କେବେ ଲୁଚିବ ନାହିଁ। ‘ମୁଁ ଆସନ୍ତାକାଲି ସତ୍ୟ ଉନ୍ମୋଚନ କରିବି’ ବୋଲି ସେ କହିଛନ୍ତି।