ଘର ରଙ୍ଗ କରୁଥିବା ବେଳେ ନିଶୁଣି ହଲାଇ ଯୁବକଙ୍କୁ ତଳକୁ ପକାଇ ଦେଲେ ବୃଦ୍ଧ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଯିବା ପାଇଁ ବାଟ ନ ମିଳିବାରୁ ଜଣେ ବୃଦ୍ଧ କରିଥିବା କାମ ଏବେ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଜଣେ ଯେ କେତେ ହୃଦୟହୀନ ହୋଇପ‌ାରେ, ତାହା ଏହି ଭିଡିଓ‌ରେ ଦେଖିବାକୁ ମିଳିଛି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି, ଆଗକୁ ଯିବା ପାଇଁ ବାଟ ନ ମିଳିବାରୁ ବୃଦ୍ଧ ଜଣକ ଖୁବ୍ ଜୋରରେ ନିଶୁଣିକୁ ହଲାଉଛନ୍ତି। ଯାହା ପରେ ନିଶୁଣି ଉପରେ ଚଢ଼ି ଘର ରଙ୍ଗ କରୁଥିବା ଜଣେ ଯୁବକ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଉଛନ୍ତି। ପୀଡ଼ିତଙ୍କ ନାଁ ଫର୍ଣ୍ଣାଡିଜ୍ ସାଞ୍ଚେଜ ବୋଲି ଜଣା ପଡ଼ିଥିବା ବେଳେ ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା ଜଣା ପଡ଼ିଛି।

ସୂଚନା ମୁତାବକ, ଘଟଣାଟି ଦକ୍ଷିଣ ଆମେରିକାରେ ଥିବା ପେରୁରେ ଘଟିଛି। ସାଞ୍ଚେଜ ବକ୍ସି ଡେ’ ଅବସରରେ  ଏକ ୩ମହଲା କୋଠାକୁ ରଙ୍ଗ କରୁଥିଲେ। ନିଶୁଣିରେ ଚଢ଼ି ସେ ରଙ୍ଗ କରିବା ସହ ଦଉଡ଼ି ସାହାଯ୍ୟରେ ନିଶୁଣିଟିକୁ ଏକ ଲୁହା ଗ୍ରିଲରେ ବାନ୍ଧିଥିଲେ। ଏହି ସମୟରେ ବୃଦ୍ଧ ନିଜ ହ୍ବିଲଚେୟାରରେ ବାହାରକୁ ଆସିବା ସହ ନିଶୁଣିଟି ତାଙ୍କ ଆଗରେ ଥିବା ଦେଖି ରାଗରେ ନିଶୁଣିକୁ ହଲାଇଥିଲେ। ଖୁବ୍ ଜୋରରେ ନିଶୁଣିଟି ହଲିବାରୁ ତଳକୁ ଖସି ପଡ଼ିଥିଲେ ସାଞ୍ଚେଜ। ଏହା ପରେ ପାଖରେ ଥିବା ଜଣେ କାର ଚାଳକ ଆସି ସାଞ୍ଚେଜଙ୍କୁ ଉଠାଇଥିଲେ। ବୃଦ୍ଧଙ୍କୁ ଏପରି କରିବାର କାରଣ ପଚରାଯାଇଥିଲେ ମଧ୍ୟ ସେ ନିଜ ଭୁଲକୁ ମାନିବା ପରିବର୍ତ୍ତେ ଯାହା କରିଛି ଠିକ୍ କରିଛି ବୋଲି କହିଥିଲେ। ଏହା ପରେ କାର ଚାଳକଜଣଙ୍କ ସାଞ୍ଚେଜଙ୍କୁ ଡାକ୍ତରଖାନା ନେଇଥିବା ବେଳେ ତାଙ୍କର ଶରୀରରେ କୌଣସି ଗଭୀର ଆଘାତ ଲାଗି ନଥିବା କହିଥିଲେ ଡାକ୍ତର।

ସମ୍ବନ୍ଧିତ ଖବର