ନୂଆ ବିଦେଶ ମନ୍ତ୍ରୀଙ୍କ ପରିବର୍ତ୍ତେ ତାଙ୍କ ପୁଅକୁ ପାସପୋର୍ଟ ସମସ୍ୟା ପାଇଁ ସାହାଯ୍ୟ ମାଗିଲେ ବ୍ୟବହାରକାରୀ, ମିଳିଲା ମଜାଦାର ଜବାବ

ନୂଆଦିଲ୍ଲୀ : ଗତକାଲି ଶପଥ ଗ୍ରହଣ ସମାରୋହ ପରେ ଆଜି ବିଭିନ୍ନ ନେତାମାନଙ୍କୁ ଭିନ୍ନ ଭିନ୍ନ ମନ୍ତ୍ରିମଣ୍ଡଳ ଦିଆ ଯାଇ ସାରିଛି । ପୂର୍ବରୁ ବୈଦେଶିକ ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଦାୟିତ୍ୱ ତୁଲାଉଥିବା ବେଳେ ଆଜିଠାରୁ ଏସ୍‌.ଜୟଶଙ୍କର ଏହି ଦାୟିତ୍ୱ ତୁଲାଇବେ । ସୁଷମା ସ୍ୱରାଜ କେବଳ ଟୁଇଟ୍‌ ମାଧ୍ୟମରେ ଲୋକମାନଙ୍କ ସମସ୍ୟାର ସମାଧାନ କରୁଥିବା ବେଳେ ଏସ୍‌.ଜୟଶଙ୍କରଙ୍କଠାରୁ ମଧ୍ୟ ଲୋକେ ସେହି ଆଶା କରୁଛନ୍ତି । ତେବେ ଶପଥ ନେଉ ନେଉ ହିଁ ଏସ୍‌.ଜୟଶଙ୍କରଙ୍କୁ ଲୋକେ ଟୁଇଟ୍‌ରରେ ସାହାଯ୍ୟ ମାଗିବା ଆରମ୍ଭ କରି ଦେଇଛନ୍ତି । ସବୁଠାରୁ ମଜାକଥା ହେଲା, ଜଣେ ଟୁଇଟର ବ୍ୟବହାରକାରୀ ଏସ୍‌.ଜୟଶଙ୍କରଙ୍କୁ ସାହାଯ୍ୟ ମାଗିବା ପରିବର୍ତ୍ତେ ତାଙ୍କ ପୁଅ ଧ୍ରୁବ ଜୟଶଙ୍କରଙ୍କୁ ସାହାଯ୍ୟ ମାଗି ଦେଇଥିଲେ । ଯାହା ପରେ ଧ୍ରୁବ ବ୍ୟବହାରକାରୀଙ୍କ ଟୁଇଟର ମଜାଦାର ଜବାବ ଦେଇଥିବା ଦେଖା ଯାଇଛି ।

ସୂଚନା ମୁତାବକ, ପାସପୋର୍ଟ ସମ୍ବନ୍ଧିତ ସମସ୍ୟାକୁ ନେଇ ବ୍ୟବହାରକାରୀ ଧ୍ରୁବଙ୍କୁ ସାହାଯ୍ୟ ମାଗିଥିଲେ । ଏହାର ଜବାବ ରଖି, ଡୁଡ୍‌, ଭୁଲ ଟୁଇଟର ହ୍ୟାଣ୍ଡେଲ । ଏହା ପୂର୍ବରୁ କିଏ କିଛି ପଚାରୁ ମୁଁ କହି ରଖିବାକୁ ଚାହେଁ କି, ମୁଁ କାହାର ପାସପୋର୍ଟ, ଭିସା ବା ବିଦେଶୀ ଜେଲରେ ବନ୍ଦୀ ଥିବା ଭଳି ସମସ୍ୟାର କୌଣସି ସମାଧାନ କରି ପାରିବି ନାହିଁ । କାରଣ ମୁଁ ନିଜେ ଏ ସବୁ ସମସ୍ୟା ଦେଇ ଗତି କରୁଛି ବୋଲି ଲେଖିଥିଲେ ଧ୍ରୁବ ।

ସମ୍ବନ୍ଧିତ ଖବର