ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି। ଓଡ଼ିଶାର ଜୁଏଲ ଓରାମଙ୍କ ପାଖକୁ ଫୋନ୍ କଲ୍ ଆସିଛି। ଜୁଏଲ୍ଙ୍କୁ ରବିବାର ସାଢ଼େ ୧୧ଟାରେ ନରେନ୍ଦ୍ର ମୋଦୀଙ୍କ ଚା’ପାନ ପାର୍ଟିରେ ଯୋଗଦେବାକୁ କୁହାଯାଇଛି।
ସେହିପରି ଅଶ୍ବିନୀ ବୈଷ୍ଣବଙ୍କ ପାଖକୁ ମଧ୍ୟ ଫୋନ୍ କଲ୍ ଆସିଛି। ଉଭୟ ଜୁଏଲ୍ ଏବଂ ଅଶ୍ବିନୀ ମୋଦୀଙ୍କ ବାସଭବନକୁ ଯାଇଛନ୍ତି। ଅଶ୍ବିନୀ ପୁଣିଥରେ ରେଳମନ୍ତ୍ରୀ ହେବେ ଅବା ଅନ୍ୟ ପଦବୀ ପାଇବେ ସେନେଇ ଚର୍ଚ୍ଚା ଜାରି ରହିଛି।
ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ରେଳମନ୍ତ୍ରୀ ରହିଥିଲେ ଅଶ୍ୱିନୀ ବୈଷ୍ଣବ । ଏହାସହ ଜୁଏଲ୍ ଓରାମ ମଧ୍ୟ ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀ ରହିସାରିଛନ୍ତି । ତେଣୁ ଏହି ଦୁଇ ନେତାଙ୍କ ଉପରେ ପୁଣିଥରେ ଆସ୍ଥାପ୍ରକଟ କରିଛନ୍ତି ପିଏମ୍ ମୋଦୀ ।
ସୂୂଚନାଯୋଗ୍ୟ ଯେ, ଆଜି ମୋଦୀଙ୍କ ସହ ୩୦ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ସମ୍ଭାବିତ ମନ୍ତ୍ରୀଙ୍କ ପାଖକୁ ଫୋନ୍ ଯିବା ଆରମ୍ଭ ହୋଇଗଲାଣି । ସୂଚନା ଅନୁସାରେ ରାଜନାଥ ସିଂହ, ନୀତୀନ ଗଡ଼କରୀ, ପ୍ରହଲ୍ଲାଦ ଯୋଶୀ, ପୀୟୁଷ ଗୋଏଲଙ୍କ ପାଖକୁ ଫୋନ୍ ଯାଇଛି ।
ସେହିପରି ଜୀତନରାମ ମାଂଝୀ, ଜୟନ୍ତ ଚୌଧୁରୀ ଓ ଅନୁପ୍ରିୟା ପଟେଲଙ୍କୁ ମଧ୍ୟ ଫୋନ୍ ଯାଇଛି । ଟିଡିପିର ଦୁଇ ଜଣ ରାମ ମୋହନ ନାଇଡୁ ଓ ଡ. ଚନ୍ଦ୍ରଶେଖରଙ୍କୁ ଫୋନ୍ କଲ ଯାଇଛି । ସେହିପରି ଜେଡିୟୁର ରାମନାଥ ଠାକୁରଙ୍କୁ ଫୋନ୍ ଯାଇଥିବା ଜଣାପଡ଼ିଛି ।
ବିହାରର ଏନଡିଏର ସହଯୋଗୀ ଦଳ ଏଲଜେପିର ଚିରାଗ ପାସୱାନଙ୍କୁ ମଧ୍ୟ ଫୋନ ଯାଇଛି । ଫୋନ ଯାଇଥିବା ନେତାମାନେ ମୋଦୀଙ୍କ କ୍ୟାବିନେଟରେ ସାମିଲ ହେବା ନେଇ ସୂଚନା ମଳିଛି ।